କ୍ୟାପିଟାଲ ହସ୍ପିଟାଲରେ କ୍ୟାନ୍ସର ଉଇଙ୍ଗ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି, ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ସ୍ୱାସ୍ଥ୍ୟ ବିଭାଗ

କ୍ୟାପିଟାଲ ହସ୍ପିଟାଲରେ କ୍ୟାନ୍ସର ଉଇଙ୍ଗ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଏହା ଅବଗତ କରାଯାଇଛି। ଏବେ ବାଲେଶ୍ଵର ଓ ବ୍ରହ୍ମପୁରରେ ପେଟ ସିଟି ସ୍କାନ ସମ୍ଭବ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି।

କଟକ(କେନ୍ୟୁଜ୍):ରାଜ୍ୟରେ କର୍କଟ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପ୍ରସଙ୍ଗରେ ହାଇକୋର୍ଟରେ ଆଗତ ମାମଲାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହେବ ସ୍ୱତନ୍ତ୍ର କ୍ୟାନ୍ସର ଉଇଙ୍ଗ ହେବ ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ କ୍ୟାନ୍ସର ଉଇଙ୍ଗ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଏହା ଅବଗତ କରାଯାଇଛି। ଏବେ ବାଲେଶ୍ଵର ଓ ବ୍ରହ୍ମପୁରରେ ପେଟ ସିଟି ସ୍କାନ ସମ୍ଭବ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି।

ନିକଟରେ ଏୟାର ପୋର୍ଟ ନଥିବାରୁ ଏହି ସମସ୍ୟା ରହିଛି। ପେଟ ସିଟି ସ୍କାନ ଚିକିତ୍ସା ପାଇଁ ସାଇକ୍ଲୋଟ୍ରନ ଆବଶ୍ୟକତା ରହିଛି। ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକତାରୁ ଏହି ସାଇକ୍ଲୋଟ୍ରନ ଆସିଥାଏ। ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ରୋଗୀର ଚିକିତ୍ସା ଏଥିରେ ହୋଇଥାଏ। ଏଥିପାଇଁ ବାଲେଶ୍ଵର ଓ ବ୍ରହ୍ମପୁରରେ ଏବେ ଏହି ଚିକିତ୍ସା ସମ୍ଭବ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ପ୍ରସଙ୍ଗରେ ଶୁଣାଣି କରି ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି ଅଦାଲତ।

ଆବେଦନକାରୀ ଅନିତା ବୁଦ୍ଧିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ, ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ, କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି। କର୍କଟ ରୋଗୀଙ୍କ ପାଇଁ ଉପଯୁକ୍ତି ଚିକିତ୍ସା ଓ ପରୀକ୍ଷା ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଅନିତା ବୁଦ୍ଧିଆ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କର୍କଟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ପ୍ରସଙ୍ଗ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ୨୦୨୧, ଜାନୁଆରି ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ଜବାବ ତଲବ କରିଥିଲେ। କିନ୍ତୁ ଶୁଣାଣିର କିଛି ଘଣ୍ଟା ପରେ ଜାନୁଆରି ୧୯ ତାରିଖ ସଂଧ୍ୟା ୮ଟା ସମୟରେ ସବୁ ଦିନ ପାଇଁ ଆଖି ବୁଜିଥିଲେ କର୍କଟ ପୀଡ଼ିତା ଅନିତା ବୁଦ୍ଧିଆ।

କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ୍‌ ନଥିବା ଓ ଏଥି ଯୋଗୁଁ ବହୁ ଗରିବ ରୋଗୀ ହଇରାଣ ହେଉଥିବା ନେଇ ଜନସ୍ବାର୍ଥ ଆବେଦନରେ ସେ ଦର୍ଶାଇଥିଲେ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପୂର୍ବ ଭାରତର ପ୍ରମୁଖ କର୍କଟ ଚିକିତ୍ସା କେନ୍ଦ୍ର ହୋଇଥିବା ବେଳେ ସବୁ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ରୋଗୀ ଏଠାକୁ ଆସୁଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କେଉଁ ପରିସ୍ଥିତିରେ ପେଟ୍ ସିଟି ସ୍କାନ ଭଳି ଜରୁରୀ ମେସିନ ବ୍ୟବସ୍ଥା କରାଯାଉ ନାହିଁ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ଏହା ପୂର୍ବରୁ ମଧ୍ୟ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.