କଳିଯୁଗର ମା’! କାନ୍ଦିବାରୁ ନିଜ ନିରୀହ ପୁଅଝିଅଙ୍କୁ ତଣ୍ଟି ଚିପି ମାରିଦେଲା, ମାଆ ଓ ଭାଇ ସହ ମିଶି ମୃତଦେହକୁ ଜାଳିଦେଲା
ମହାରାଷ୍ଟ୍ରରୁ ଆସିଛି ଏକ ଛାତିଥରା ଘଟଣା। ଏଠାରେ ଏକ ଗାଁରେ ଜଣେ ମହିଳା ନିଜ ପୁଅଝିଅଙ୍କୁ ଅତି ବିଭତ୍ସ ଭାବେ ତଣ୍ଟି ଚିପି ହତ୍ୟା କରିଛନ୍ତି। ପୁଅ ୨ ବର୍ଷର ଥିବା ବେଳେ ଝିଅ ୪ ମାସର ବୋଲି ଜଣାପଡ଼ିଛି। ଖବର ରହିଛି ଯେ ପିଲା ଦୁଇଜଣ କାନ୍ଦିବାରୁ ଏଥିରେ ବିରକ୍ତ ହୋଇ ମା’ ଏଭଳି କାଣ୍ଡ ଘଟାଇଛି। ତେବେ ସବୁଠୁ ଆଶ୍ଚର୍ଯ୍ୟ ଏବଂ ହୃଦୟବିଦାରକ କଥା ହେଉଛି, ମହିଳା ଜଣକ ନିଜ ପୁଅଝିଅଙ୍କ ମୃତଦେହକୁ ପାଖ ବିଲକୁ ନେଇ ସେଠାରେ ନିଅାଁ ଲଗାଇ ପୋଡ଼ି ଦେଇଥିଲେ। ତେବେ ଘଟଣାଟି ଗତ ମେ’ ୩୧ର ବୋଲି ପୋଲିସ କହିଛି।
ସ୍ଥାନୀୟ ପୋଲିସର କହିବା ଅନୁସାରେ, ଅଭିଯୁକ୍ତା ମହିଳାଙ୍କୁ ଗିରଫ କରାଯାଇଛି। ପ୍ରମାଣ ନଷ୍ଟ କରିବାରେ ଅର୍ଥାତ୍ ମୃତଦେହ ଦ୍ୱୟକୁ ଜାଳିବାରେ ସାହାଯ୍ୟ କରିଥିବା ସମ୍ପୃକ୍ତ ମହିଳାଙ୍କ ମା’ ଓ ଭାଇଙ୍କୁ ମଧ୍ୟ ଗିରଫ କରାଯାଇଛି।
ପୋଲିସ କହିଛି ଯେ ୪ ମାସର ଝିଅ ହଠାତ୍ କାନ୍ଦିବାରୁ ମହିଳା ତା’ର ତଣ୍ଟି ଚିପି ହତ୍ୟା କରିଥିଲେ। ପରଦିନ ୨ ବର୍ଷର ପୁଅ ଖାଇବା ପାଇଁ କାନ୍ଦିବାରୁ ସେ ତାକୁ ମଧ୍ୟ ହତ୍ୟା କରିଥିଲେ। ଅଭିଯୁକ୍ତା ମହିଳା ନିଜ ମା’ ଓ ଭାଇ ସହ ମିଶି ପିଲା ଦୁହିଁଙ୍କ ମୃତଦେହକୁ ଜାଳି ଦେଇଥିଲେ। ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି।