ଜନଗହଳି ରାସ୍ତାରେ ଲୋକଙ୍କ ଆଗରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ, ପୋଲିସ୍ ସାଜିଲା ମୁକସାକ୍ଷୀ

ହାଇଦ୍ରାବାଦ : ହାଇଦ୍ରାବାଦ ରାଜେନ୍ଦ୍ର ନଗର ଅଞ୍ଚଳ । ଏହି ଅଞ୍ଚଳର ବ୍ୟସ୍ତତମ ରାସ୍ତା । ସେଇଠି ଦିନ ବେଳେ ବିଚ୍ ରାସ୍ତାରେ ହତ୍ୟା । ସମସ୍ତେ ଦେଖୁଥିଲେ । ସମସ୍ତେ ଜାଣୁଥିଲେ । ଇଚ୍ଛା ଥିଲା ଅଟକାଇବାକୁ । ହେଲେ କେହି ଆଗକୁ ଆସିଲେ ନାହିଁ । ରାସ୍ତା ଉପରେ ଦୁଇଜଣ ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ କୁରାଢ଼ୀରେ ଜଣେ ବ୍ୟକ୍ତିକୁ ହାଣି ଚାଲିଥିଲେ । ସେ ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରୁଥିଲେ । ହେଲେ କେହି ରୋକିବାକୁ ଆସିଲେ ନାହିଁ । ଏମିତିକି ପାଖରେ ଥିବା ଦୁଇ ଜଣ ପୋଲିସ୍ କର୍ମଚାରୀ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ମଧ୍ୟ ଆଗକୁ ନଆସି ନିଜ ନିଜ ବାଡ଼ି ଖୋଜିବାକୁ ଚାଲି ଗଲେ । ବାଡ଼ି ଧରି ଫେରିଲା ବେଳକୁ ସବୁ ଶେଷ ହୋଇ ସାରିଥିଲା ।

ସେପଟେ ସେହି ରାସ୍ତାରେ ଗାଡ଼ି ଅଟକି ଟ୍ରାଫିକ ଜାମ୍ ହୋଇଯାଇଥିଲା । ତା ଭିତରେ କିଛି ଲୋକ ହତ୍ୟା ଘଟଣାର ଭିଡିଓ ରେକର୍ଡ଼ିଂ କରୁଥିଲେ । ସେହି ସମୟରେ ସାଇବରାବାଦ ପୋଲିସର ଏକ ଗାଡ଼ି ସେହି ବାଟ ଦେଇ ଗଲା ସିନା ଟିକେ ଅଟକିଲା ବି ନାହିଁ । ଲୋକଟି ହଣା ଖାଇ ଖାଇ ଶେଷରେ ନିଶ୍ଚଳ ହୋଇଗଲା । ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ହାତ ଉଠାଇ ବିଜୟ ଗର୍ବରେ ଫାଟି ପଡ଼ୁଥିଲେ । ତା ପରେ ଯେଝା ବାଟରେ ଯିଏ ନିଜେ ଚାଲିଗଲେ । ଭିଡିଓ ଭାଇରାଲ ହେଲା ପରେ ଆସିଲା ପ୍ରତିକ୍ରିୟା ।

MURDER ON THE ROAD-2

ପରେ ପୋଲିସ୍ କହିଛି ଦୁଇ ଅପରାଧୀଙ୍କୁ ଗିରଫ କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ମୃତକର ନାଁ ରମେଶ । ସେ ଜଣେ ହତ୍ୟା ଅଭିଯୁକ୍ତ । କୋର୍ଟରେ ମାମଲାର ଶୁଣାଣି ପରେ ଘରକୁ ଫେରୁଥିଲା । ରମେଶ ଯାହାକୁ ହତ୍ୟା କରିଛି ବୋଲି ଅଭିଯୋଗ ରହିଛି ତାରି ସମ୍ପର୍କୀୟ ଦୁଇ ଜଣ ଏହି ବର୍ବର କାଣ୍ଡ ବିଚ୍ ରାସ୍ତାରେ ଘଟାଇଥିଲେ ।

Leave A Reply

Your email address will not be published.