ଉତ୍ତର ପ୍ରଦେଶରେ ପୁଣି ଲଜ୍ଜା, ବଳାତ୍କାର ପରେ ଅଭିଯୋଗ କରିବାକୁ ୯୦୦ କିଲୋମିଟର ଯାତ୍ରା କଲେ ପୀଡ଼ିତା

ଉତ୍ତର ପ୍ରଦେଶର ହାଥରସ୍‌ରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ସପ୍ତାହେ ପୂରିନଥିବା ବେଳେ ଏବେ ପୁଣିଥରେ ଲକ୍ଷ୍ନୌରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି। ଲକ୍ଷ୍ନୌରେ ଜଣେ ୨୨ ବର୍ଷୀୟା ବିବାହିତା ନେପାଳୀ ମହିଳା ବାରମ୍ବାର ନିଜ ପରିଚିତ ଲୋକଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ତାଙ୍କ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିଲା। ନିଜ ସହ ହୋଇଥିବା ଏହି ଶୋଷଣର ଅଭିଯୋଗ କରିବାକୁ ମହିଳାଙ୍କୁ ଟ୍ୟାକ୍ସି କରି ୯୦୦ କିଲୋମିଟର ନାଗପୁର ଯିବାକୁ ପଡ଼ିଛି।

ଅଭିଯୁକ୍ତ ପ୍ରବୀଣ ଯାଦବ ସ୍ଥାନୀୟ ପୋଲିସ ଅଫିସରଙ୍କ ସମ୍ପର୍କୀୟ ହୋଇଥିବାରୁ ପୀଡ଼ିତା ନାଗପୁରରେ ରହୁଥିବା ଜଣେ ନେପାଳୀ ବନ୍ଧୁଙ୍କ ପାଖକୁ ଯିବାକୁ ଉଚିତ ମଣିଥିଲେ। ମହିଳାଙ୍କ ଅନୁସାରେ ଯାଦବ ଲକ୍‌ଡାଉନ୍‌ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତା’ପରେ ଯୌନ ଶୋଷଣ ଆରମ୍ଭ ହୋଇଯାଇଥିଲା।

rape

ଯାଦବ ପୀଡ଼ିତାଙ୍କ ଭିଡିଓ ତିଆରି କରି ତାହାକୁ ଭାଇରାଲ କରିବାକୁ ଧମକ ଦେଇ ଶାରୀରିକ ସମ୍ପର୍କ ରଖୁଥିଲା। କିନ୍ତୁ ପୀଡ଼ିତାକୁ ହଇରାଣ କରିବାକୁ ସେ ଉକ୍ତ ଭିଡିଓକୁ ପୀଡ଼ିତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲା। ଏଥିସହ ତାହାର ପାସଓ୍ଵାର୍ଡ ବି ବଦଳାଇ ଦେଇଥିଲା। ଫଳରେ ସେ ଉକ୍ତ ଭିଡିଓକୁ ଡିଲିଟ୍‌ କରିପାରିନଥିଲେ। ଉକ୍ତ ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାର ସ୍ୱାମୀ ଓ ପରିବାର ଲୋକେ ଏନେଇ ଜାଣିବାକୁ ପାଇଥିଲେ। ଶେଷରେ କିଛି ଉପାୟ ନ ପାଇ ପୀଡ଼ିତା ପୋଲିସରେ ଅଭିଯୋଗ କରିବାକୁ ୯୦୦ କିଲୋମିଟର ଟ୍ୟାକ୍ସିରେ ଯାଇ ନାଗପୁରରେ ପୋଲିସରେ ଅଭିଯୋଗ କରିଛନ୍ତି। ମାତ୍ର ଏହି ଅପରାଧ ଲକ୍ଷ୍ନୌରେ ହୋଇଥିବାରୁ ନାଗପୁର ଏସ୍‌ପି ଅମିତେଶ କୁମାର ମାମଲାକୁ ଲକ୍ଷ୍ନୌ ଟ୍ରାନ୍ସଫର କରିଛନ୍ତି।