Below header

କରାଚି ସ୍ଥିତ ଚୀନ୍‌ ଦୂତାବାସ ନିକଟରେ ଆତଙ୍କୀ ହମ୍‌ଲା : ୨ ପୋଲିସ କର୍ମଚାରୀ ମୃତ, ପାଲଟା ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ସେପଟେ ଖାଇବର୍‌ ପଙ୍ଖତୁଙ୍ଖଓ୍ଵାରେ ବିସ୍ଫୋରଣ, ୨୫ମୃତ, ବହୁ ଆହତ

କରାଚି(କେନ୍ୟୁଜ୍) : ପାକିସ୍ତାନରେ ଆତଙ୍କୀ ହମ୍‌ଲା । କରାଚିର କ୍ଲିଫଟନ୍‌ ସ୍ଥିତ ଚୀନ୍‌ ଦୂତାବାସ ନିକଟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ୩-୪ ଜଣ ବନ୍ଧୁକଧାରୀ ଆତଙ୍କବାଦୀ ବୋମା ବିସ୍ଫୋରଣ ସହ ଗୁଳିମାଡ଼ କରିଛନ୍ତି । ବହୁ ସମୟ ଧରି ଚାଲିଥିଲା ଗୁଳି ବିନିମୟ । ଏଥିରେ ପାକିସ୍ତାନ ପୋଲିସର ଦୁଇ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ପାଲଟା ଆକ୍ରମଣରେ ନିହତ ହୋଇଛନ୍ତି ତିନି ଜଣ ଆତଙ୍କବାଦୀ । ମୃତ ଆତଙ୍କୀଙ୍କ ନିକଟରୁ ସୁଇସାଇଡ୍‌ ଜ୍ୟାକେଟ୍‌ ଓ ମାରଣାସ୍ତ୍ର ଜବତ ହୋଇଛି । ତେବେ ଏଥିରେ ଚୀନ୍‌ ଦୂତାବାସ ଅଧିକାରୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଆହତ ହୋଇଛନ୍ତି କିଛି ସୁରକ୍ଷାକର୍ମୀ । ଏହି ଘଟଣା ପରେ ଦୂତାବାସକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରିଦିଆଯାଇଛି । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନର ଏକ ଆତଙ୍କବାଦୀ ସଂଗଠନ । ଆତଙ୍କବାଦୀମାନେ ବିସ୍ଫୋରକ ବୋଝେଇ ଏକ କାର୍‌ରେ ଆସିଥିଲେ । ଯେଉଁଠାରେ ଆକ୍ରମଣ ହୋଇଛି, ଏହାର ୧୫୦ ମିଟର ଦୂରରେ ଅଣ୍ଡରଓ୍ଵାଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ର ଘର ।

ସେପଟେ ଖାଇବର୍‌ ପଙ୍ଖତୁଙ୍ଖଓ୍ଵାରେ ବିସ୍ଫୋରଣ, ୨୫ମୃତ, ବହୁ ଆହତ :

czସେପଟେ ଆଉ ଏକ ବିସ୍ଫୋରଣରେ ଥରିଲା ପାକିସ୍ତାନର ଖାଇବର ପଙ୍ଖତୁଙ୍ଖଓ୍ଵା ଅଞ୍ଚଳ । ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହତ ହୋଇଛନ୍ତି ଅନେକ । କେତେକଙ୍କ ଅବସ୍ଥା ସଂକଟାପନ୍ନ ବି ରହିଛି । ହାଙ୍ଗୁରେ ଥିବା ଏକ ମଦ୍ରାସା ଆଗରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖ ଅଞ୍ଚଳ କମ୍ପି ଉଠିଥିଲା । ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା ମୃତଦେହ । ତେବେ ବିସ୍ଫୋରଣରେ କାହାର ସଂପୃକ୍ତି ରହିଛି ଏଯାଏଁ କିଛି ସ୍ପଷ୍ଟ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.