ଅଜମେର୍ ଜେଲ୍ରେ ୨ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଜଣଙ୍କ ମୃତ୍ୟୁ; ଆକ୍ରମଣରେ ମୁଖ୍ୟ କନଷ୍ଟେବଳ ଗୁରୁତର
ରାଜସ୍ଥାନର ଅଜମେର୍ ଜେଲ୍ରେ ଦୁଇ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଏହି ହାତାହାତି ଏବଂ ମାରପିଟ ସମୟରେ ଜଣେ ହେଡ୍ କନଷ୍ଟେବଳଙ୍କ ଉପରେ ଦୁଇ କଏଦୀ ଆକ୍ରମଣ କରିିଥିଲେ, ଯେଉଁଥିରେ କନଷ୍ଟେବଳ ଜଣକ ଗୁରୁତର ଆହତ ହୋଇଛନ୍ତି ।
ରାଜସ୍ଥାନର ଅଜମେର୍ ଜେଲ୍ରେ ଦୁଇ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଏହି ହାତାହାତି ଏବଂ ମାରପିଟ ସମୟରେ ଜଣେ ହେଡ୍ କନଷ୍ଟେବଳଙ୍କ ଉପରେ ଦୁଇ କଏଦୀ ଆକ୍ରମଣ କରିିଥିଲେ, ଯେଉଁଥିରେ କନଷ୍ଟେବଳ ଜଣକ ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ପୋଲିସ ସୂଚନା ମୁତାବକ, ଜେଲ୍ରେ ଶ୍ରବଣ ଓ ଫରଦିନ୍ ନାମକ ଦୁଇ କଏଦୀ ହେଡ୍ କନଷ୍ଟେବଳ ରହିଶଙ୍କୁ ଲୁହାରଡ୍ ଏବଂ ବ୍ଲେଡ୍ରେ ଆକ୍ରମଣ କରିଥିଲେ । ଏଥିରେ ସେ ଗମ୍ଭୀର ରୂପେ ଆହତ ହୋଇଛନ୍ତି । ପାଟି ଶୁଣି ଜେଲ୍ର ଅନ୍ୟ ସୁରକ୍ଷା କର୍ମଚାରୀମାନେ ଓ୍ଵାର୍ଡରେ ପହଞ୍ଚିଥିଲେ ଏବଂ କନଷ୍ଟେବଳଙ୍କୁ ଆକ୍ରମଣକାରୀଙ୍କଠାରୁ ଉଦ୍ଧାର କରିଥିଲେ ।
ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏହି ରକ୍ତାକ୍ତ ସଂଘର୍ଷରେ ଶ୍ରବଣ ନାମକ କଏଦୀ ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏଥିସହ ହେଡ୍ କନଷ୍ଟେବଳଙ୍କୁ ମଧ୍ୟ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଶ୍ରବଣଙ୍କ ମୃତଦେହକୁ ସରକାରୀ ହସ୍ପିଟାଲର ଶବଗୃହରେ ରଖାଯାଇଛି । ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ପୋଲିସର କହିବା ହେଲା, ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମାମଲାର ତଦନ୍ତ କରାଯାଉଛି ।