ଯୁଦ୍ଧର କରୁଣ ଚିତ୍ର, ଜେଜେ ବାପାଙ୍କ ସାମ୍ନାରେ ବିସ୍ଫୋରଣ ନେଲା ନାତୁଣୀ ଜୀବନ

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୧୩ ଦିନରେ ପହଞ୍ଚିଲାଣି। ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନର ହଜାର ହଜାର ଲୋକ ନିଜ ଜୀବନ ହରାଇଲେଣି। ଏମାନଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ସାମିଲ ରହିଛନ୍ତି। ରୁଷ ସେନା ୟୁକ୍ରେନର ସ୍କୁଲ ଉପରେ ମଧ୍ୟ ଆକ୍ରମଣ କରିଛି। ଆଉ ଗୋଟେ ସ୍କୁଲ ଉପରେ କ୍ଲଷ୍ଟର ବମ୍‌ ବିସ୍ଫୋରଣ ହେବା ଯୋଗୁଁ ଜଣେ ୭ ବର୍ଷ ଝିଅର ଜୀବନ ଚାଲିଯାଇଛି। ଅଲିସା ହନସଲ ନାମକ ଏହି ଛୋଟ ଝିଅକୁ ବଞ୍ଚାଇବା ପାଇଁ ଜେଜେ ଚେଷ୍ଟା କରିଛନ୍ତି କିନ୍ତୁ ଚେଷ୍ଟା ସବୁ ବ୍ୟର୍ଥ ଯାଇଛି। ଏହି ଘଟଣାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ପତ୍ନୀ ଓନୋ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ରୁଷ ଆକ୍ରମଣ କରିବାର ଦ୍ୱିତୀୟ ଦିନରେ ଓଖତେରକାରେ ଏକ କିଣ୍ଡରଗାର୍ଡେନରେ ହୋଇଥିବା ଆକ୍ରମଣରେ ମରିଥିବା ୬ ଜଣଙ୍କ ମଧ୍ୟରେ ଅଲିସା ରହିଥିଲେ। ତାଙ୍କ ଜୀବନ ବଞ୍ଚାଇବା ପାଇଁ ଜେଜେ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ପାରିନଥିଲେ। ଜେଜେ ବାପା ଆଖି ଆଗରେ ଚାଲିଯାଇଥିଲା ୭ ବର୍ଷ ନାତୁଣୀର ଜୀବନ। ଆକ୍ରମଣ ପରେ ସ୍କୁଲର ଏଣ୍ଟ୍ରି ଗେଟ୍‌ ଚାରିପାଖରେ ଶବ ପଡିଥିବା ଦେଖିବାକୁ ମିଳିଥିଲା। ଆକ୍ରମଣରେ ନର୍ସରୀରେ ଲୁଚିଥିବା ପିଲା ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିଲା।

ଦୁଇ ଦେଶର ଯୁଦ୍ଧ ଯୋଗୁଁ ଏପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡିସାରିଲେଣି। ୧୦ ଲକ୍ଷରୁ ଅଧିକ ଲୋକ ପୋଲାଣ୍ଡ ଶରଣରେ ରହିଛନ୍ତି। ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ହଙ୍ଗେରୀ ଏବଂ ୧ଲକ୍ଷ ୨୮ ହଜାର ଲୋକ ସ୍ଲୋଭାକିଆ ଶରଣରେ ରହିଛନ୍ତି।