ଛିଡ଼ିଲା ୧୫ ବର୍ଷର ସମ୍ପର୍କ , ‘ସାରେଗାମାପା’ ଛାଡ଼ିଲେ ହୋଷ୍ଟ୍‍ ଆଦିତ୍ୟ ନାରାୟଣ

ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସାରେଗାମାପା ଛାଡ଼ିଲେ ଆଦିତ୍ୟ ନାରାୟଣ। ସୋମବାର ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ସେ ଏହି ଶୋ’ ଛାଡ଼ୁଥିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଆଉ ଏହି ଶୋ’କୁ ହୋଷ୍ଟ କରିବେ ନାହିଁ। ଦୀର୍ଘ ୧୫ ବର୍ଷ ଧରି ଶୋ’ର ଅଂଶ ଥିବା ଆଦିତ୍ୟ ଏ ଅବସରରେ ସାରେଗାମାପାର କେତେକ ଫଟୋ ସହ ଏକ ନୋଟ୍‌ ମଧ୍ୟ ଲେଖିଛନ୍ତି। ଫଟୋରେ ଆଦିତ୍ୟ ନାରାୟଣଙ୍କ ସହ ଶୋ’ର ଜଜ୍‌ ହିମେଶ ରେଶମିୟା, ବିଶାଲ ଦଦଲାନୀ ଓ ଶଙ୍କର ମହାଦେବନ୍‌ ମଧ୍ୟ ନଜର ଆସିଛନ୍ତି।

ସାରେଗାମାପା ଶୋ’ ଛାଡ଼ୁଥିବା ନେଇ ଘୋଷଣା କରିବା ଅବସରରେ ଆଦିତ୍ୟ ନାରାୟଣ ଲେଖିଛନ୍ତି- ଅତି ଦୁଃଖରେ କହୁଛି ଯେ ମୋତେ ପରିଚୟ ଦେଇଥିବା ଶୋ’ ସାରେଗାମାପାର ହୋଷ୍ଟିଂ ଡ୍ୟୁଟିକୁ ମୁଁ ଛାଡ଼ୁଛି। ଏକ ୧୮ ବର୍ଷର ଟିନ୍‌ ଏଜରରୁ ଜଣେ ସ୍ୱାମୀ ଓ ଏକ ଛୁଆର ବାପା ହେବା ପର୍ଯ୍ୟନ୍ତ।୧୫ ବର୍ଷ, ୯ ସିଜନ୍‌, ୫୦ ଏପିସୋଡ୍‌… ସମୟ ସତରେ ଉଡ଼ିଯାଏ। ଟିମ୍‌ର ସବୁ ସଦସ୍ୟଙ୍କୁ ଧନ୍ୟବାଦ।


ତେବେ ଆଦିତ୍ୟ ନାରାୟଣ ଏହି ଖବର ସେୟାର କରିବା ପରେ ଫ୍ୟାନ୍‌ଙ୍କ ସମେତ ସେଲିବ୍ରିଟିମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମ୍ୟୁଜିକ ଡାଇରେକ୍ଟର ଶ୍ରେୟସ ପୁରାଣିକ କମେଣ୍ଟ ସେକ୍ସନ୍‌ରେ ଲେଖିଛନ୍ତି- ନାନୁ ସାହେବ, ଇଏ କି ଖବର ଦେଲ। ସେହିପରି ନିୟା ଶର୍ମା ଲେଖିଛନ୍ତି-ତୁମ ପାଇଁ ଆହୁରି ଶକ୍ତି, ଆଦିତ୍ୟ ନାରାୟଣ। ସେହିପରି ବିଶାଲ ଦଦଲାନୀ ଆଦିତ୍ୟ ନାରାୟଣଙ୍କୁ ଶୋ’ ଛାଡ଼ିବା ନେଇ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ ଟିଭି ଛାଡ଼ିବା ନେଇ ନିଷ୍ପତ୍ତି ବିଷୟରେ ଆଦିତ୍ୟ ନାରାୟଣ ବହୁତ ପୂର୍ବରୁ ହିଁ ଈଶାରା ଦେଇଛନ୍ତି। ଗତ ବର୍ଷ ଆଦିତ୍ୟ ନାରାୟଣ ସ୍ପଷ୍ଟ କରିଥିଲେ ଯେ ୨୦୨୨ ପରେ ଜୀବନରେ ଏକ ବଡ଼ ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଟିଭି ଛାଡ଼ିବେ। ଏକ ଇଣ୍ଟରଭ୍ୟୁରେ ଆଦିତ୍ୟ କହିଥିଲେ, ୨୦୨୨ ଇଣ୍ଡିଆନ୍‌ ଟେଲିଭିଜନରେ ହୋଷ୍ଟ ଭାବେ ମୋର ଶେଷ ବର୍ଷ ହେବ। ଏହା ପରେ ମୁଁ ଆଉ ହୋଷ୍ଟ କରିବିନି। ଆଗକୁ ବଡ଼ କାମ କରିବାର ଅଛି। କମିଟ୍‌ମେଣ୍ଟ କରିସାରିଛି, ଯାହାକୁ ଆଗକୁ ପୂରଣ କରିବାର ଅଛି।

Also Read: ୟୁକ୍ରେନ୍‌କୁ ଫାଇଟର ବିମାନ ପଠାଇବା ଲାଗି ନାଟୋକୁ ମଞ୍ଜୁରୀ ଦେଲା ଆମେରିକା, କିନ୍ତୁ ରାଜି ହେଉନାହାନ୍ତି କୌଣସି ଦେଶ