ଶାହାରୁଖ ଖାନ୍ଙ୍କୁ ସନ୍ଷ୍ଟ୍ରୋକ୍, ହସପିଟାଲରେ ଭର୍ତ୍ତିି ହେଲେ ବଲିଉଡ୍ ବାଦଶାହ
ଅତିରିକ୍ତ ଗରମ ଯୋଗୁଁ ଶାହାରୁଖ ଖାନ୍ ଅଂଶୁଘାତର ଶିକାର ହୋଇ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି

ଅହମଦବାଦ : ବଲିଉଡ୍ ସୁପର ଷ୍ଟାର ଶାହାରୁଖ ଖାନ୍ ହସପିଟାଲରେ ଭର୍ତ୍ତି । ଅଚାନକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଅହମଦାବାଦର ଏକ ହସପିଟାଲକୁ ନିଆଯାଇଛି । ଅତିରିକ୍ତ ଗରମ ଯୋଗୁଁ ସେ ଅଂଶୁଘାତର ଶିକାର ହୋଇ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି ।
ଅହମଦାବାଦରେ ଆଜି ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଥିଲା । ସେଥିରେ କିଙ୍ଗ ଖାନ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଗତକାଲି ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କୋଲକାତା ନାଇଟ୍ ରାଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଥିଲା । ଶାହାରୁଖଙ୍କ ଦଳ କୋଲକାତା ୮ ଓ୍ଵିକେଟ୍୍ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ମ୍ୟାଚ୍ ଶେଷ ହେବା ପରେ ଶାହାରୁଖ ନିଜ ଝିଅ ସୁହାନା ଏବଂ ସାନପୁଅ ଆବରାମ ସହ ବିଳମ୍ବିତ ରାତି ଯାଏ ପଡ଼ିଆରେ ବୁଲି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଏହା ସହିତ ଦର୍ଶକଙ୍କୁ ଫ୍ଲାଇଂ କିସ୍ ଦେଇ ନିଜର ନିଆରା ଷ୍ଟାଇଲରେ ପୋଜ୍ ଦେଇଥିଲେ । ଦର୍ଶକ ମଧ୍ୟ କରତାଳି ଦେଇଥିଲେ ।
ତେବେ ଆଜି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତାଙ୍କ ଦେହରେ ଜଳୀୟ ଅଂଶ କମି ଯାଇଛି । ତେବେ ଚିକିତ୍ସା ପରେ ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି । ତାଙ୍କ ପାଇଁ ହସପିଟାଲ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତାଙ୍କ ବନ୍ଧୁ ତଥା ଫ୍ରାଞ୍ଚାଇଜ୍ ପାର୍ଟନର ଅଭିନେତ୍ରୀ ଜୁହି ଚାଓ୍ଵଲା ତାଙ୍କୁ ହସପିଟାଲରେ ଦେଖିବାକୁ ଯାଇଥିଲେ ।