Below header

ମହାରାଷ୍ଟ୍ର ରାଜନୀତିରେ ଆସିବ ଆଉ ଏକ ଟ୍ଵିଷ୍ଟ୍‍! ସଞ୍ଜୟ ରାଉତଙ୍କ ଦାବି; ଅଜିତ୍‌ ପାଓ୍ଵାର ହେବେ ନୂଆ ସିଏମ୍‌

ସଞ୍ଜୟ ରାଉତ କହିଛନ୍ତି, ପ୍ରାୟ ଏକ ବର୍ଷ ପୂର୍ବେ ଶିବସେନା ବିରୁଦ୍ଧରେ ବିଦ୍ରୋହ କରିଥିବା ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ।

ମହାରାଷ୍ଟ୍ର ରାଜନୀତିରେ ବହୁତ ଜଲ୍‌ଦି ଆସିବ ଆଉ ଏକ ଟ୍ଵିଷ୍ଟ୍‍। ଏମିତି କହିଛନ୍ତି ଉଦ୍ଧବ ସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ସୋମବାର ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଏକନାଥ ସିନ୍ଦେଙ୍କ ଜାଗାରେ ଅଜିତ ପାୱାର ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ। ସେ ଆହୁରି କହିଛନ୍ତି କି, ଖୁବ୍‌ଶୀଘ୍ର ଏକନାଥ ସିନ୍ଦେ ଏବଂ ଶିବସେନା ବିରୁଦ୍ଧରେ ବିଦ୍ରୋହ କରିଥିବା ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ।

ସଞ୍ଜୟ ରାଉତ ଆହୁରି ବି କହିଛନ୍ତି ଯେ ପ୍ରାୟ ଏକ ବର୍ଷ ପୂର୍ବେ ଶିବସେନା ବିରୁଦ୍ଧରେ ବିଦ୍ରୋହ କରିଥିବା ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବାକୁ ଯାଉଛନ୍ତି। ଗଣମାଧ୍ୟମ ସହ କଥା ବେଳେ ସଞ୍ଜୟ କହିଛନ୍ତି, ‘ଆଜି ମୁଁ କ୍ୟାମେରା ସାମ୍ନାରେ କହୁଛି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାକୁ ଯାଉଛନ୍ତି। ଏକନାଥ ସିନ୍ଦେଙ୍କୁ ହଟାଯାଉଛି। ସିନ୍ଦେ ଏବଂ ୧୬ ଜଣ ବିଧାୟକ ଅଯୋଗ୍ୟ ହେବାକୁ ଯାଉଛନ୍ତି।

ଏତିକି ନୁହେଁ, ସେ କହିଛନ୍ତି କି, ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ଏକାଠି ହୋଇ ନିର୍ବାଚନ ଲଢ଼ିବେ। ବିଜେପି ଶିବସେନା, ଏନସିପି ଏବଂ କଂଗ୍ରେସକୁ ଭାଙ୍ଗୁଛି, କିନ୍ତୁ ଏଥିରେ ସେମାନଙ୍କୁ କୌଣସି ଲାଭ ମିଳିବ ନାହିଁ। ମହାରାଷ୍ଟ୍ରରେ ଆମେ ଏକଜୁଟ୍‌ ହୋଇ ଲଢ଼ିବୁ।

ଏକନାଥ ସିନ୍ଦେଙ୍କ ଉପରେ ଯେଉଁ ଅଯୋଗ୍ୟତାର ଖଣ୍ଡା ଲଟକି ରହିଥିଲା, ତାହା ଶୀଘ୍ର ଖସିବାକୁ ଯାଉଛି। ତାଙ୍କ ସହିତ ଯାଇଥିବା ୧୬ ବିଧାୟକ ଅଯୋଗ୍ୟ ହୋଇଯିବେ। ଅଳ୍ପ ଦିନ ମଧ୍ୟରେ ମହାରାଷ୍ଟ୍ରକୁ ଆଉ ଜଣେ ମୁଖ୍ୟମନ୍ତ୍ରୀ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.