ବାପା ମାରିଲେ ଚାପୁଡ଼ା, ପୁଅ ରାଗରେ ଚଳାଇଲା ଗୁଳି

ମିରଟ : ବାପାଙ୍କ ଚାପୁଡ଼ାରେ ରାଗି ଜଣେ ଯୁବକ ଏପରି କାଣ୍ଡ କରିଛନ୍ତି ଯାହାର କଳ୍ପନା ମଧ୍ୟ ଆପଣ କରିପାରିବେ ନାହିଁ। ବେକାର ପୁଅକୁ ବାପା ଗାଳି କରିବା ସହ ଠିକ୍ ରାସ୍ତାକୁ ଆଣିବା ପାଇଁ ମାରିଲେ ଗୋଟିଏ ଚାପୁଡ଼ା। କିନ୍ତୁ ପୁଅ ଜଣଙ୍କ କ୍ରୋଧରେ ଅନ୍ଧ ହୋଇ ଚଲାଇ ଦେଲା ଗୁଳି। ଆଉ ସେଇଠି ଟଳି ପଡ଼ିଲେ ବାପା । ପିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଫେରାର ରହିଥିବା ଜଣାପଡ଼ିଛି। ଏବେ ଘଟଣାର ତଦନ୍ତ ଚଳାଇଛି ସ୍ଥାନୀୟ ପୋଲିସ।
ଘଟଣା ଅନୁଯାୟୀ, ମିରଟ ଅଞ୍ଚଳରେ ରହୁଥିବା ଶାକିବ ନାମକ ଜଣେ ଯୁବକ କିଛି କାମ ଦାମ କରୁନଥିବା ବେଳେ ବେକାର ହୋଇ ଏଣେତେଣେ ବୁଲୁଥିଲା। ଯେଉଁ କାରଣରୁ ତାଙ୍କ ପିତା ହିଜାବୁର ରହମାନ ତାଙ୍କୁ କାମ କରି ପେଟ ପୋଷିବା ପାଇଁ ବୁଝାଇଥିଲେ । ପୁଅ ନଶୁଣିବାରୁ ତାକୁ ଗାଳିଗୁଲଜ କରି ମାରିଥିଲେ ଚାପୁଡ଼ା । ଏହି କଥାରେ ଭୀଷଣ ରାଗିଯାଇଥିଲା ଶାକିବ । ବାପା ଶୋଇଥିବା ଅବସ୍ଥାରେ ତାଙ୍କ ଉପରେ ବନ୍ଧୁକରୁ ଗୁଳି ଚଳାଇ ଦେଲା। କିନ୍ତୁ ପରିବାର ଲୋକ ପୁଅକୁ ବଞ୍ଚାଇବାକୁ ଯାଇ ତାକୁ ଘଟଣା ସ୍ଥଳରୁ ଫେରାର କରି ଦେଲେ । ଏପଟେ ହିଜାବୁରଙ୍କ ରକ୍ତ ଜୁଡ଼ୁବୁଡ଼ୁ ପୋଷକକୁ ବଦଳାଇ ଦେଇଥିଲେ।
ବନ୍ଧୁକ ଗୁଳି ଶୁଣି ପାଖ ପଡ଼ିଶା ହିଜାବୁରଙ୍କ ଘରେ ପହଞ୍ଚିବାରୁ ପରିବାର ଲୋକ କିଛି କହିନଥିଲେ। ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ସମସ୍ତ ଘଟଣା ଉପରୁ ପରଦା ଉଠିଥିଲା। ପୋଲିସ ହତ୍ଯା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି।