Below header

ସାଂଘାତିକ ହେଉଛି ଶ୍ରୀଲଙ୍କା ସ୍ଥିତି, ଜୁଲାଇ ୧୩ରେ ଇସ୍ତଫା ଦେବେ ରାଷ୍ଟ୍ରପତି

ସାଂଘାତିକ ହେଉଛି ଶ୍ରୀଲଙ୍କା ସ୍ଥିତି । ଉଗ୍ର ରୂପ ନେଉଥିବା ବେଳେ ଜୁଲାଇ ୧୩ରେ ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି । ୧୩ ତାରିଖରେ ଇସ୍ତଫା ଦେବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦଶର୍ନକାରୀ । ପ୍ରଧାନମନ୍ତ୍ରୀଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ବିକ୍ରମସିଂଘେଙ୍କ ଘରୋଇ ବାସଭନକୁ ପ୍ରତିବାଦକାରୀମାନେ ଧସେଇ ପଶିବା ସହ ନିଆଁ ଲଗାଇ ଦେଇଛନ୍ତି। ଭଙ୍ଗାରୁଜା ମଧ୍ୟ କରିଛନ୍ତି ।

ତା ପୂର୍ବରୁ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ କବ୍‌ଜା କରି ନେଇଥିଲେ । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ। କେଉଁଠି ଅଛନ୍ତି ଜଣାପଡିନଥିଲେ ମଧ୍ୟ ସେନା ମୁଖ୍ୟାଳୟରେ ଆଶ୍ରୟ ନେଇଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଜୋରଦାର ବିକ୍ଷୋଭ । ରାଷ୍ଟ୍ରପତି ଭବନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଏହାକୁ ପୂରା ନିୟନ୍ତ୍ରଣକୁ ନେଇଛନ୍ତି ବିକ୍ଷୋଭକାରୀ। ଆର୍ଥିକ ସଙ୍କଟର ମୁକାବିଲା ପାଇଁ ସରକାର ବିଫଳ ହୋଇଥିବାରୁ ଗତ କିଛି ମାସ ଧରି ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି।

ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିବା ପରେ ମାର୍ଚ୍ଚ ମାସରୁ ଦେଶବ୍ୟାପୀ ପ୍ରତିବାଦର ସ୍ୱର ତେଜୁଛି। ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଦୁର୍ଦ୍ଦିନରେ ଗତି କରୁଛି ଦେଶ । ପୂରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ତୈଳ ସଙ୍କଟ ଉତ୍କଟ । ମିଳୁନି ଖାଦ୍ୟ ପଦାର୍ଥ, ଔଷଧ । ତୈଳ ଅଭାବ ଯୋଗୁ ପରିବହନ ସେବା ଠପ୍‌ । ଦେଶର ଦୁର୍ଗତି ପାଇଁ ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍‌ସେଙ୍କ ପରିବାରକୁ ଦାୟୀ କରିଛନ୍ତି ସିଂହଳୀବାସୀ।

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ । ଗତକାଲି ଅପରାହ୍ନରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି । ଦେଶର ଆର୍ଥିକ ସଙ୍କଟକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ଆସୁଥିଲେ ଦେଶବାସୀ । ଏନେଇ ବିକ୍ଷୋଭ ମଧ୍ୟ ଜାରିରହିଥିଲା । ଅନ୍ୟପକ୍ଷରେ ଆଜି ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟଭାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡ଼ି କେଉଁଆଡେ ପଳାୟନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.