Below header

ମାଓବାଦୀ ଲିଙ୍କ ମାମଲା : ୫ ସାମାଜିକ କର୍ମୀଙ୍କ ଗିରଫଦାରୀ ଘଟଣାରେ ଦଖଲ ଦେବାକୁ ମନା କଲେ ସୁପ୍ରିମ କୋର୍ଟ

ଦିଲ୍ଲୀ(କେନ୍ଯୁଜ୍) : ମାଓବାଦୀ ଲିଂକରେ ଗିରଫ ୫ ଜଣ ବିଶିଷ୍ଟ ସମାଜିକ କର୍ମୀ ଓ ବୁଦ୍ଧିଜୀବୀଙ୍କ ଗିରଫଦାରୀ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମ୍ କୋର୍ଟ । ଏମାନଙ୍କ ଗିରଫଦାରୀରେ କୋର୍ଟ ଦଖଲ ଦେବେ ନାହିଁ ବୋଲି କହିଛନ୍ତି । ଏହା ସହିତ ସେମାନଙ୍କ ନଜରବନ୍ଦୀ ସମୟସୀମାକୁ ଆହୁରି ୪ ସପ୍ତାହ ବଢ଼ାଇ ଦେଇଛନ୍ତି । ପୁଣେ ପୋଲିସ ଏମାନଙ୍କ ରିମାଣ୍ଡରେ ନେଇ ପାରିବ କି ନାହିଁ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବାର ଥିଲା । ତେବେ ତଦନ୍ତରେ ଆଗେଇବା ପାଇଁ ପୁଣେ ପୋଲିସକୁ ସବୁଜ ସଂକେତ ଦେଇଛନ୍ତି କୋର୍ଟ । ଏହା ସହିତ ଏହି ମାମଲାରେ ଏସ୍ଆଇଟି ବସାଇବାକୁ ମଧ୍ୟ କୋର୍ଟ ମନା କରି ଦେଇଛନ୍ତି ।

ଗତ ଅଗଷ୍ଟ ୨୮ ତାରିଖରେ ପୁଣେ ପୋଲିସ ବିଶିଷ୍ଟ ସାମାଜିକ କର୍ମୀ ବରବରା ରାଓ, ଭର୍ଣ୍ଣନ ଗଂଜାଲଭେସ, ଅରୁଣ ପେରେରା, ସୁଧା ଭରଦ୍ୱାଜ ଓ ଗୌତମଙ୍କୁ ନକ୍ସଲ ଲିଙ୍କ ଅଭିଯୋଗରେ ଗିରଫ କରିଥିଲା । ତା ପରଦିନ ସୁପ୍ରିମକୋର୍ଟ ଟ୍ରାଞ୍ଜିଟ ରିମାଣ୍ଡ ଉପରେ ରହିତାଦେଶ ଦେବା ସହ ଏମାନଙ୍କୁ ନଜର ବନ୍ଦୀରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ସବୋର୍ଚ୍ଚ ନ୍ୟାୟାଳୟ ଦୁଇ ଥର ନଜର ବନ୍ଦୀର ଅବଧିକୁ ବଢାଇଥିଲେ ।

ଭୀମା କାରଗାଁଓ ଯୁଦ୍ଧର ୨ଶହ ବର୍ଷ ପୂର୍ତ୍ତି ଅବସରରେ ୨୦୧୭ ଡିସେମ୍ବର ୩୧ ତାରିଖରେ ଏଲଗାର ପରିଷଦ ପକ୍ଷରୁ ଏକ ସଭା ଆୟୋଜିତ ହୋଇଥିଲା। ଏହାର ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର ପୁଣେରେ ହିଂସାକାଣ୍ଡ ଘଟିଥିଲା । ଏ ଘଟଣାକୁ ନେଇ ପୋଲିସ ତଦନ୍ତ କରିଥିଲା । ଉଠିଥିଲା ମାଓବାଦୀ ଲିଙ୍କ କଥା । ପରେ ପୁଣେ ପୋଲିସ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ସାମାଜିକ କର୍ମୀଙ୍କୁ ଗିରଫ କରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.