ଏହି ମହିଳା,ଯିଏ ପ୍ରଥମ ଥର ପାଇଁ ବିଦେଶ ମାଟିରେ ଉଡ଼ାଇଥିଲେ ଭାରତୀୟ ତ୍ରିରଙ୍ଗା

ଭାରତ ବ୍ରିଟିଶ ଶାସନ ଅଧୀନରେ ଥିଲାବେଳେ କିଛି ମହିଳାଙ୍କ ତ୍ୟାଗ ଓ ଭାରତର ସ୍ବାଧୀନତା ପାଇଁ ସେମାନଙ୍କର ଆତ୍ମବଳି ସବୁଦିନ ପାଇଁ ସ୍ମରଣ ରହିବ । ସ୍ବାଧୀନତା ପାଇଁ ଲଢ଼ାଇ କରୁଥିବା ଏହି ମହିଳାମାନଙ୍କ ମଧ୍ୟରେ ଜଣେ ଥିଲେ ମ୍ୟାଡାମ୍‌ ଭିକାଜୀ କାମା । ସେ କେବଳ ଭାରତର ସ୍ବାଧୀନତା ଲଢ଼ାଇରେ ସହଯୋଗ କରିନଥିଲେ ବିଦେଶ ମାଟିରେ ପ୍ରଥମ ଥର ପାଇଁ ଭାରତର ତ୍ରିରଙ୍ଗା ଉଡ଼ାଇଥିଲେ ।

ମହିଳା ଶିକ୍ଷାକୁ କରିଥିଲେ ସମର୍ଥନ

ପିଲାଦିନରୁ ସ୍ୱତନ୍ତ୍ର ବିଚାର ରଖୁଥିବା ମ୍ୟାଡାମ୍‌ କାମା ନାରୀ ଶିକ୍ଷାର ପ୍ରବଳ ସମର୍ଥକ ଥିଲେ । ସେ କହୁଥିଲେ ମହିଳାଙ୍କ ବିନା ସ୍ବାଧୀନତା ଆନ୍ଦୋଳନ ସଫଳ ହେବ ନାହିଁ । ଭିକାଜୀ ଭାରତୀୟ ହୋମ୍‌ ରୁଲ୍‌ ସୋସାଇଟିର ସ୍ଥାପନରେ ସବୁଠୁ ସକ୍ରିୟ ଥିଲେ । ନିଜର କ୍ରାନ୍ତିକାରୀ ଭାଷଣ ଓ ଲିଙ୍ଗଗତ ସମାନତା ନେଇ ସେ ଦେଶ ଓ ବିଦେଶରେ ଜଣାଥିଲେ ।

madam vikaji kama
photo credit: punjabkesari.in

ଦେଶ ପାଇଁ ପତି ଠାରୁ ହୋଇଥିଲେ ଅଲଗା

ଏହି ସମୟରେ ଭିକାଜୀ କାମା ଦେଶର ସ୍ବାଧୀନତା ପାଇଁ ଏତେ ବୁଡ଼ି ରହିଥିଲେ ଯେ ଦେଶ ପାଇଁ ନିଜର ସ୍ୱାମୀଙ୍କୁ ମଧ୍ୟ ଛାଡ଼ିଦେଇଥିଲେ । କାରଣ ତାଙ୍କର ସ୍ୱାମୀ ମିଷ୍ଟର ରସ୍ତମ ବ୍ରିଟିଶ୍‌ ରାଜତ୍ୱର ଭକ୍ତ ଥିଲେ । ସମାଜ ସେବା କାର୍ଯ୍ୟରେ ସେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । ଲୋକଙ୍କ ସେବା କରୁ କରୁ ସେ ଏମିତି ରୋଗରେ ପଡ଼ିଲେ ଯେ ଚିକିତ୍ସା ପାଇଁ ତାଙ୍କୁ ଲଣ୍ଡନ ଯିବା ପଡ଼ିଲା ।  ବିଦେଶ ମାଟି ଆମେରିକାରେ ମଧ୍ୟ ସେ ଭାରତୀୟଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ଲଢ଼ାଇ ଜାରି ରଖିଥିଲେ ଓ ଦାଦା ଭାଇ ନାରୋଜୀଙ୍କ ସେକ୍ରେଟାରୀ ମଧ୍ୟ ଥିଲେ । ତାଙ୍କର ଏପରି ସଂଗ୍ରାମ ଦେଖି ବ୍ରିଟିଶ ସରକାର ତାଙ୍କ ଭାରତ ଆସିବା ଉପରେ ରୋକ୍‌ ଲଗାଇଥିଲେ ।

TRI COLOUR
photo credit: punjabkesari.in

ଜର୍ମାନରେ ଉଡ଼ାଇଥିଲେ ଭାରତୀୟ ତ୍ରିରଙ୍ଗା

ସ୍ବାଧୀନତାର ୪ ଦଶକ ପୂର୍ବରୁ ୧୯୦୭ ରେ ଭିକାଜୀ କାମା ବିଦେଶ ମାଟିରେ ଭାରତର ତ୍ରିରଙ୍ଗା ଉଡ଼ାଇଥିଲେ । ୧୯୦୭ ମସିହା ୨୨ ଅଗଷ୍ଟରେ ଜର୍ମାନୀ ସହର ଷ୍ଟୁଟ୍‌ଗାର୍ଟରେ ଇଣ୍ଟରନେସ୍‌ନାଲ୍‌ ସୋସାଲିଷ୍ଟ କଂଗ୍ରେସ ର ଆୟୋଜନ କରାଯାଉଥିଲା । ଯେଉଁଠି ଭାଗ ନେଉଥିବା ସବୁ ଦେଶର ପତାକା ଉଡୁଥିବା ବେଳେ ଭାରତ ତରଫରୁ ବ୍ରିଟିଶ୍‌ ପତାକା ଥିଲା । ମାତ୍ର ଏହା ଭିକାଜୀ କାମାଙ୍କୁ ସ୍ୱୀକାର ନଥିଲା । ତେଣୁ ସେ ନିଜ ହାତରେ ଭାରତର ଏକ ନୂଆ ତ୍ରିରଙ୍ଗା ପତାକା ତିଆରି କରି ସେଠାରେ ଉଡ଼ାଇଥିଲେ । ଏହି କଥା ସେତେବେଳେ ସାରା ଦୁନିଆରେ ଚର୍ଚ୍ଚା କରାଯାଇଥିଲା । ଯଦିଓ ଆଜିର ତ୍ରିରଙ୍ଗା ପତାକା ତା’ଠାରୁ ଅଲଗା ରହିଛି ।

madam vikaji kama
photo credit: punjabkesari.in

କେମିତି ଥିଲା ସେଦିନର ସେ ପତାକା

ଭିକାଜୀ କାମାଙ୍କ ଦ୍ୱାର ତିଆରି କରାଯାଇଥିବା ପତାକା ଉପରେ ‘ବନ୍ଦେ ମାତରଂ’ ଲେଖାଯିବା ସହ ଉପରେ ଥିବା ସବୁଜ ପଟିରେ ପଦ୍ମ ଫୁଲ ଭାରତର ଆଠ ଅଞ୍ଚଳର ଦର୍ଶାଉଥିଲା । ଏହା ବ୍ୟତୀତ ପତାକାରେ ସବୁଜ, ହଳଦିଆ ଓ ଲାଲ୍‌ ପଟି ରହିଥିଲା । ଏହି ପତାକା ଉପରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍‌ୟ ରହିଥିଲା । ଯାହା ହିନ୍ଦୁ ଓ ମୁସଲମାନ୍‌ ଧର୍ମର ପ୍ରତିକ ଥିଲା । ଏହି ପତାକା ଏବେ ପୁଣେ ସ୍ଥିତ କେଶରୀ ମରାଠା ଲାଇବ୍ରେରୀରେ ରହିଛି । ଜୀବନର ଶେଷ ସମୟ ୭୪ ବର୍ଷରେ ଭିକାଜୀ କାମା ୧୯୩୫ ମସିହାରେ ଭାରତ ଫେରିଥିଲେ । ହେଲେ ଭାରତ ସ୍ବାଧୀନତା ହେବା ପୂର୍ବରୁ ୧୯୩୬ ମସିହା ଅଗଷ୍ଟ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.