ସୁପର ଚୋର: ୯୦ ଲକ୍ଷରେ ପ୍ଲଟ୍ କିଣି ଚୋରି ପାଇଁ ତିଆରି କଲେ ସୁଡ଼ଙ୍ଗ, ଡାକ୍ତରଙ୍କ ଘରୁ ଉଡ଼ାଇ ନେଲେ କୋଟିଏ ଟଙ୍କାର ଚାନ୍ଦି!
ରାଜସ୍ଥାନର ଜୟପୁରରୁ ଚୋରିର ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବୈଶାଳୀ ନଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଖବରରୁ ଜଣାପଡ଼ିଛି, ଏଠାରେ ଜଣେ ଜଣାଶୁଣା ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତର ସୁନୀତ୍ ସୋନି ନିଜ ଘରର ବେସ୍ମେଣ୍ଟରେ ଚାନ୍ଦି ଭର୍ତ୍ତି ବାକ୍ସ ରଖିଥିଲେ। କିନ୍ତୁ ଚୋରଙ୍କୁ ଏ ବିଷୟରେ କିପରି ସୁରାକ୍ ମିଳିଥିଲା ଏବଂ ସେମାନେ ଚୋରି କରିବା ପାଇଁ କିଭଳି ଜାଲ ବିଛାଇଥିଲେ, ତାହା ବେଶ୍ ଆଶ୍ଚର୍ଯ୍ୟଜନକ।
ଚୋରମାନେ ପ୍ରଥମେ ଡାକ୍ତରଙ୍କ ଘର ସଂଲଗ୍ନ ଏକ ପ୍ଲଟ୍କୁ ୯୦ ଲକ୍ଷ ଟଙ୍କାରେ କିଣିଥିଲେ। ଏଠାରେ କାମ କରିବା ବାହାନାରେ ସେମାନେ ୩ ମାସରେ ୧୫ ଫୁଟ୍ ଗଭୀର ଏବଂ ୨୦ ଫୁଟ ଲମ୍ବାର ଏକ ସୁଡ଼ଙ୍ଗ ତିଆରି କରିଥିଲେ। ଯେପରି କି, ବହୁତ ସହଜରେ ସେମାନେ ଡାକ୍ତରଙ୍କ ଘରର ବେସ୍ମେଣ୍ଟ ପର୍ଯ୍ୟନ୍ତ ଯାଇପାରିବେ ଏବଂ ଚାନ୍ଦି ବାକ୍ସ ଚୋରି କରିପାରିବେ।
ଡାକ୍ତର ସୋନି ୩ ମାସ ପୂର୍ବେ ହିଁ ଏହି ଚାନ୍ଦି ବାକ୍ସକୁ ନିଜ ବେସ୍ମେଣ୍ଟରେ ରଖିଥିଲେ। ଏବେ ଯେତେବେଳେ ସେ ବେସ୍ମେଣ୍ଟକୁ ଯାଇ ଚେକ୍ କରିଥିଲେ, ତ ତାଙ୍କର ହୋଶ୍ ଉଡ଼ିଯାଇଥିଲା। ଚୋରମାନେ ବାକ୍ସକୁ କଟର୍ରେ କାଟିଦେଇଥିଲେ। ସେଠାରେ ଦୁଇଟି ଅନ୍ୟ ବାକ୍ସ ମଧ୍ୟ ରଖାଯାଇଥିଲା, ଯାହାକି ଖାଲି ଥିଲା।
ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା। ଯଦିଓ ଚାନ୍ଦି ବାକ୍ସରେ କେତେ ଗହଣା ଥିଲା, ତା’ର କୌଣସି ତଥ୍ୟ ଡାକ୍ତର ଏ ପର୍ଯ୍ୟନ୍ତ ପୋଲିସକୁ ଦେଇନାହାନ୍ତି। ଏସିପି ରାୟ ସିଂ ବେନିଓ୍ଵାଲଙ୍କ କହିବା ହେଲା, ଏଥିରେ ୨ କିମ୍ବା ୩ରୁ ଅଧିକ ଜଣ ଲୋକ ସାମିଲ ଥିବା ନେଇ ଅନୁମାନ କରାଯାଉଛି। ଡାକ୍ତରଙ୍କ ପାଖ ଲୋକଙ୍କ ହିଁ ଘଟଣାରେ ସମ୍ପୃକ୍ତ ଥାଇପାରନ୍ତି। କାହିଁକି ନା, ସେମାନଙ୍କୁ ଭଲ ଭାବେ ଜଣା ଥିଲା କି, ଘରର ବେସ୍ମେଣ୍ଟରେ ଚାନ୍ଦି ବାକ୍ସ ରଖାଯାଇଛି। ତେବେ ଏହି ମାମଲାରେ ପୋଲିସ କିଛି ସନ୍ଦିଗ୍ଧ ଲୋକଙ୍କୁ ଅଟକ ରଖିଛି।