ଜି-୨୦ର ପ୍ରସ୍ତୁତି ଜୋର୍ଦାର, ବିଦେଶୀ ଅତିଥିଙ୍କ ପାଇଁ କିଣାଗଲା ୩ କୋଟିର ମର୍ସିଡିଜ୍; ଏ ସବୁ ରାଜ୍ୟରୁ ଆସିବ ୧୫୦ଟି ମହଙ୍ଗା ଗାଡ଼ି
ଆସନ୍ତା ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏଥିପାଇଁ କୋଟି କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଗାଡ଼ି କିଣାଯାଉଛି।

ଆସନ୍ତା ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏଥିପାଇଁ କୋଟି କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଗାଡ଼ି କିଣାଯାଉଛି। ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟ ୧୫୦ଟି ବିଳାସପୂର୍ଣ୍ଣ କାର୍ ଡିମାଣ୍ଡ କରିଛି। କିନ୍ତୁ ବିଦେଶୀ ଅତିଥିମାନଙ୍କ ପାଇଁ ଦିଲ୍ଲୀରେ ବିଳାସପୂର୍ଣ୍ଣ କାର୍ର ଅଭାବ ପଡ଼ିବାରୁ ଅନ୍ୟ ରାଜ୍ୟରୁ କାର୍ଗୁଡ଼ିକୁ ମଗାଯାଉଛି।
ଜି-୨୦ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସନ୍ତା ମାସ ଆରମ୍ଭରେ ଅନେକ ଦେଶର ରାଷ୍ଟ୍ରାଧ୍ୟକ୍ଷ ଦିଲ୍ଲୀ ଆସୁଛନ୍ତି। ଯେପରି କୌଣସି ପ୍ରକାର ଅଭାବ ନ ରହିବ, ସେଥିପାଇଁ କୋଟି କୋଟି ଟଙ୍କାର ଦାମୀ ଗାଡ଼ିଗୁଡ଼ିକର ବ୍ୟବସ୍ଥା କରାଯାଉଛି।
ଦିଲ୍ଲୀର ଏକ ରେଣ୍ଟାଲ୍ ସଂସ୍ଥା ମର୍ସିଡିଜ୍ ମେବ୍ୟାକ୍କୁ ୩ କୋଟି ଟଙ୍କାରେ କିଣିଛି, ଯାହାକୁ ୮ ଘଣ୍ଟା ପାଇଁ ଭଡ଼ାରେ ନେବାରେ ୬୦ ହଜାର ଟଙ୍କା ଦେବାକୁ ହେବ। ଯେତେବେଳେ କି, ଜି-୨୦ ସମୟରେ ଦିନକ ପାଇଁ ଭଡ଼ାରେ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ।
ଟୁରିଷ୍ଟ୍ ଟ୍ରାନ୍ସପୋର୍ଟ ସର୍ଭିସ୍ର ମାଲିକଙ୍କ କହିବା ହେଲା, ଏହିପରି ମହଙ୍ଗା ତଥା ବିଳାସପୂର୍ଣ୍ଣ ଯାନଗୁଡ଼ିକର ଚାହିଦା ଜି-୨୦ କାରଣରୁ ବଢ଼ିଯାଇଛି। ଦିଲ୍ଲୀରେ ବିଳାସପୂର୍ଣ୍ଣ କାର୍ଗୁଡ଼ିକ ମିଳିପାରୁ ନ ଥିବାରୁ ଅନ୍ୟ ରାଜ୍ୟ ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା ଏବଂ ପଞ୍ଜାବରୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି, ମର୍ସିଡିଜ୍ ଏସ୍ କ୍ଲାସ୍, ମର୍ସିଡିଜ୍ ଇ କ୍ଲାସ୍, ବିଏମଡବ୍ଲୁ, ଅଡି ଭଳି କାର୍ଗୁଡ଼ିକର ଅଧିକ ଡିମାଣ୍ଡ ରହିଛି।