ସାପ ନାମ ଶୁଣିଲେ ସମସ୍ତେ ଡରିଯାଆନ୍ତି। ସେ ଛୋଟ ହେଉ ଅବା ବଡ କୌଣସି ସାପକୁ ଦେଖିଲେ ଆମ ମନରେ ଭୟ ଆସିଥାଏ। ତାହା ବିଷଧର ହେଇଥାଉ କି ନୁହେଁ। କିନ୍ତୁ କ’ଣ ଆପଣ ଜାଣନ୍ତି କି ? ପ୍ରତିବର୍ଷ ସର୍ପ ଦଂଶନରେ କେତେ ଲୋକ ମୃତ୍ୟୁବରଣ କରନ୍ତି ? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତରେ ଦୀର୍ଘ କୋଡିଏ ବର୍ଷରେ ସର୍ପ ଦଂଶନରେ ପ୍ରାୟତଃ ବାର ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି।
ସର୍ପ ଦଂଶନରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ବୟସ ୩୦ ରୁ ୬୯ ବର୍ଷ । ଏଥିମଧ୍ୟରୁ ଚାରି ଭାଗରୁ ଏକ ଭାଗ ଶିଶୁ ରହିଛନ୍ତି। ‘ରର୍ସେଲ ୱାଇପର’, ‘କରେତ’ ଓ ‘ନାଗ’ ପ୍ରଜାତିର ବିଷାକ୍ତ ସାପ ହେଉଛନ୍ତି ସାପ ଦଂଶନର ଅଧିକାଂଶ ମୃତ୍ୟୁର କାରଣ । ସର୍ପ ଦଂଶନରେ ମୃତ୍ୟୁ ବରଣ କରୁଥିବା ସ୍ଥାନ ଗୁଡିକରେ ମେଡିକାଲ ସାହାଯ୍ୟର ଅଭାବ ହେତୁ ଏପରି ପରିସ୍ଥିତ ଉପୁଜିଥାଏ। ଏହାଦ୍ୱାରା ଅନେକ ଲୋକ ସର୍ପ ଦଂଶନରେ ମୃତ୍ୟୁବରଣ କରୁଛନ୍ତି ।
ସର୍ପଦଂଶନର ଅଧିକାଶଂ ଘଟଣା ପ୍ରାୟତଃ ବର୍ଷା ମାସ ଅର୍ଥାତ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହୋଇଥାଏ । ଏହି ସମୟରେ ସମସ୍ତ ସାପ ନିଜ ହୁଙ୍କାରୁ ବାହାରକୁ ଆସିଥାନ୍ତି ବୋଲି ଅଧ୍ୟୟନରୁ ଜଣାପଡିଛି । ଅଧିକାଂଶ ସମୟରେ ସାପ ବ୍ୟକ୍ତିର ପାଦକୁ ହିଁ ଦଶିଂଥାଏ । ପାଖାପାଖି ଭାରତ ଓ ଦକ୍ଷିଣ ଏସିଆରେ ଅଧିକାଂଶ ଦେଖାଯାଉଥିବା ‘ରସେଲ୍ସ ୱାଇପର’ କୁ ଅନେକ ଲୋକ ଦୁବୋଇୟା ସାପ ମଧ୍ୟ କୁହନ୍ତି । ଏହି ସାପକୁ ବିଷାକ୍ତ ସାପଙ୍କ ପ୍ରଜାତିରେ ଗଣାଯାଏ । ଏମାନେ ମୂଷା ଓ ଗୁଣ୍ଡୁଚିମୂଷା ଖାଇ ନିଜର ପେଟ ପୋଷିଥାନ୍ତି ।
ମେଡିକାଲ ସାହାଯ୍ୟର ଆବଶ୍ୟକ:
ଭାରତରେ ଦେଖାଯାଉଥିବା କରେତ ସାପ ସୂର୍ଯ୍ୟକିରଣରେ ଶାନ୍ତ ପଡିଥାଏ ଏବଂ ରାତିରେ ଭୟଙ୍କର ରୂପ ନେଇଥାଏ । ଏହାର ଲମ୍ବ ପାଖାପାଖି ଦୁଇ ମିଟର ଅର୍ଥାତ ପାଞ୍ଚ ଫୁଟ୍ ନଅ ଇଞ୍ଚ ହୋଇଥାଏ । ଅନ୍ୟପକ୍ଷରେ ନାଗସାପ କେବଳ ଅନ୍ଧାରରେ ଆକ୍ରମଣ କରିଥାଏ । ଅଧ୍ୟୟନ ଅନୁଯାୟୀ, ୨୦୦୧ ରୁ ୨୦୧୪ ମଧ୍ୟରେ ଆଠଟି ରାଜ୍ୟରୁ ସର୍ପ ଦଂଶନର ପାଖାପାଖି ୭୦ ପ୍ରତିଶତ ମାମଲା ଏଠାରୁ ମିଳିଛି। ସେହି ରାଜ୍ୟଗୁଡିକ ହେଉଛି , ବିହାର, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡିଶା, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଗୁଜୁରାଟ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ:
ଗବେଷକଙ୍କ ମତରେ ବର୍ଷା ମାସରେ ବିଲରେ ରହୁଥିବା ସାପ ମାନଙ୍କର ଦଂଶନ ଅଧିକ ବିଷାକ୍ତ ହୋଇଥାଏ । ଏହି ସ୍ଥାନ ଗୁଡିକରେ ଚାଷ କରୁଥିବା ସମୟରେ ଲୋକଙ୍କୁ ସାପ କବଳରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଶିଖାଇବା ଉଚିତ୍ ବୋଲି ମଧ୍ୟ ଡବ୍ଲୁଏଚଓ କହିଛି। ସେହିପରି ସାରା ବିଶ୍ୱରେ ପ୍ରତି ବର୍ଷ ସର୍ପ ଦଂଶନରେ ମୃତ୍ୟୁ ସଂଖ୍ୟା ୮୧ ହଜାରରୁ ୧୩୮ ହଜାର ମଧ୍ୟରେ ହୋଇଥାଏ ।