Below header

ଚୌଦ୍ୱାରରେ ଆବିଷ୍କୃତ ହେଲା ପ୍ରାଚୀନ ଐତିହାସିକ କୂଅ, ଏଠାରେ ଗାଧୋଇଲେ ଭଲ ହୁଏ ଜ୍ୱର ରୋଗ

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ ମହିଷାଲଣ୍ଡା ପଞ୍ଚାୟତର ଆମ୍ବିଳିଝରୀ ଗାଁକୁ ଲାଗି ଘଞ୍ଚ ଜଙ୍ଗଲରେ ଥିବା ରହସ୍ୟମୟ ଦେଢଶୁର ଭାଇ ବୋହୂ କୂଅ ପୁନଃ ଆବିଷ୍କୃତ ହୋଇଛି । ଡାଳିଯୋଡା ବନାଞ୍ଚଳ ନିକଟବର୍ତ୍ତୀ ଆମ୍ବୁଆ ଗୁଡାହାଡର ପାଦ ଦେଶରେ ଥିବା ଏହି କୂଆକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି।

ଭାରତୀୟ ଜାତୀୟ କଳା ଓ ସଂସ୍କୃତି ସଂରକ୍ଷଣ ଟ୍ରଷ୍ଟ୍‌ (ଇଟାନକ୍‌)ର ଏକ ପ୍ରତିନିଧି ମଣ୍ଡଳୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ପ୍ରାଚୀନ କୂଅଟି ପ୍ରାୟ ୮୦୦ରୁ ୧୦୦୦ ବର୍ଷ ତଳର ଦ୍ୱାଦଶ /ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଇନଟାକ୍‌ ପ୍ରତିନିଧି ମଣ୍ଡଳୀ ଅନୁମାନ କରିଛନ୍ତି। କୂଅର ନିର୍ମାଣ ଶୈଳୀ କଳିଙ୍ଗ ଅଞ୍ଚଳରେ ଥିବା ପ୍ରାଚୀନ ମନ୍ଦିରମାନଙ୍କ ନିର୍ମାଣ ଶୈଳୀ ଭଳି ଅନନ୍ୟ ଏବଂ ଏଠାରେ କୌଣସି ଏକ ପୁରାତନ ଧର୍ମ ବିଶ୍ୱାସୀ ଜନବସତି ଗଢି ଉଠିଥିବାର ସେମାନେ ଅନୁମାନ କରିଛନ୍ତି । ଐତିହାସିକ ପ୍ରମାଣିକ ତଥ୍ୟ ହାସଲ ପାଇଁ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ଇନଟାକ୍‌ ପ୍ରତିନିଧି ମଣ୍ଡଳୀ ଅବଗତ କରାଇଛନ୍ତି।

well2

ପ୍ରକାଶ ଯେ, ଜଙ୍ଗଲ ମଧ୍ୟରେ ଥିବା ଏହି କୂଅର ପାଣିରେ ଗାଧୋଇଲେ ଜ୍ୱର ଛାଡିଯାଏ। ଅଢେଇ ଢୋକ ପିଇ ଦେଲେ ପେଟ ରୋଗ, ଚର୍ମରୋଗ ଏପରିକି କୋଷ୍ଠ ମଧ୍ୟ ଭଲ ହୋଇଯାଏ ବୋଲି ସ୍ଥାନୀୟ ବହୁ ପୁରୁଖା ଆଦିବାସୀମାନେ ପ୍ରକାଶ କରିଛନ୍ତି। ଏହା ସହିତ ପ୍ରତି ରଜ ସଂକ୍ରାନ୍ତିରେ ସାପ ଓ ବେଙ୍ଗ ଏକତ୍ର ଏଠାରେ ଖେଳିବା ସହିତ କୂଅ ଭିତରୁ ଝର ସୃଷ୍ଟି ହୋଇ ପ୍ରଚୁର ପାଣି କୂଅ ଉଛୁଳାଇ ଜଙ୍ଗଲ ମଧ୍ୟକୁ ବହି ଯାଇଥାଏ ବୋଲି କୁହାଯାଏ। ବୈଶାଖ ଜ୍ୟେଷ୍ଠ ଭଳି ଖରା ମାସରେ ଜଙ୍ଗଲର ବହୁ ପଶୁ ପକ୍ଷୀ ଏହି କୂଅ ପାଣିକୁ ପିଇଥାନ୍ତି।

ଏହି କୂଅଟିର ନାମ ଦେଢଶୁର ଭାଇବୋହୂ ବୋଲି ଲୋକ ମୁଖରେ ପରିଚିତ । କୂଅଟିକୁ କିଏ ଓ କେବେ ଖନନ କରିଥିଲେ ତାର ପ୍ରାମାଣିକ ତଥ୍ୟ ଏବେ ଯାଏଁ ମିଳିପାରିନାହିଁ । କୂଅଟିର ଆକାର, ପ୍ରକାର ଓ ଅବସ୍ଥିତିକୁ ଦେଖିଲେ ଏହା ପୌରାଣିକ ଯୁଗର ଭଳି ପ୍ରତୀୟମାନ ହୁଏ। କୂଅର ଉପର ଭାଗରେ ଦୁଇଟି ଖମ୍ବ ସହ ମୂର୍ତ୍ତି ଭଗ୍ନ ଅବସ୍ଥାରେ ରହିଛି। କୂଅ ଭିତରକୁ ଯିବାକୁ ବାଇଶି ପାହାଚ ରହିଛିା କୂଅର ମୁହଁ ଆକାର ପ୍ରାୟ ୧୨ ଫୁଟ୍‌ ହୋଇଥିବା ବେଳେ ଏହାର ଗଭୀର ଅନୁମାନିକ ୬୦ ଫୁଟ୍‌ ହେବ। ୨୦ ଫୁଟ୍‌ ବର୍ଗାକାର ଚତୁଃପାର୍ଶ୍ୱ ଘେରା କାନ୍ଥର ମଧ୍ୟ ଭାଗରେ ଏହି କୂଅ ରହିଛି । କୂଅ ନିକଟରେ ଯଜ୍ଞ କୁଣ୍ଡ ଓ ପଥର ଖୋଦିତ ଏକ ବଡ ଦ୍ୱୀପ ରହିଛି। ସ୍ଥାନୀୟ ଆଦିବାସୀଙ୍କ କହିବା ଅନୁଯାୟୀ, ୩୦ ବର୍ଷ ପୂର୍ବେ ଜଣେ ସାଧକ କୂଅଟିକୁ ଉଝାଳି ଥିଲେ । ସେତେବେଳେ କୂଅ ଭିତରୁ ପଥର ମୂର୍ତ୍ତି, ମୁଦ୍ରା, ମାଟିପାତ୍ରର ଭଗ୍ନାଂଶ ମିଳିଥିଲା । ଏହି କୀର୍ତ୍ତିରାଜିର ସର୍ଭେ କରାଯାଇ ସୁରକ୍ଷା ଓ ସଂରକ୍ଷଣ କରିବା ଦିଗରେ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.