ବଡ଼ ଓଷାରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୁଏ ପ୍ରିୟ ଗଜ ଭୋଗ, ଏହାକୁ ନେଇ ରହିଛି ଏକ ପୌରାଣିକ କାହାଣୀ 

ବଡ଼ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପରିକ ଓଷା । ଯାହାକି ଦେବ ଦେବ ମହାଦେବଙ୍କ ପାଇଁ ରଖାଯାଏ। ଏହା କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ । ଏହିଦିନ ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି । ଏନେଇ ବାବା ଧବଳେଶ୍ୱରଙ୍କ ପୀଠରେ ଲାଗି ହେବ ପ୍ରସିଦ୍ଧ ଗଜଭୋଗ। ମାନ୍ୟତା ଅନୁସାରେ ବାବା ଧବଳେଶ୍ୱର କଳା ବଳଦକୁ ଧଳା କରିଥିବାରୁ ଏହି ଗଜଭୋଗ ତାହାର ପ୍ରତୀକ ଭାବରେ ପ୍ରସ୍ତୁତି କରାଯାଇ ଲାଗି କରାଯାଇଥାଏ ।ବିଶ୍ୱାସ ରହିଛି ଯେ ଯଦି ଏହି ଗଜଭୋଗ ପ୍ରସାଦ ଭାବରେ ଭକ୍ତ ପାଇଥାଏ ତେବେ ମାନସିକ ଶାନ୍ତି ପାଇବା ସହିତ ସମସ୍ତ ମନକାମନା ପୂରଣ ହୋଇଥାଏ ।

ପୂଜା ବିଧି କୁ ଧ୍ୟାନ ଦେଲେ ଏହି ଅବସରରେ ମହାଦେବଙ୍କ ସ୍ୱତନ୍ତ୍ର ପୂଜା କରାଯାଏ । ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ । ତରଣ ଓ ଗଜା ପିଠା, ମଣ୍ଡା ଭୋଗ ଲଗାଯାଏ । ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ । ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ । ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି ।

କିମ୍ବଦନ୍ତୀଙ୍କୁ ଧ୍ୟାନ ଦେଲେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟ କଥା ବୁଝିଲେ ନାହିଁ । ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା । ସେ ବଣରେ ରାଣୀଙ୍କ ସହିତ ଦୁଃଖରେ ଜୀବନ ଅତିବାହିତ କଲେ ।

ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସକରୁଥିଲେ । ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ । ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ । ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ । ଶିବ ଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । କ୍ରତୁ ରୋଗମୁକ୍ତ ହେବା ପରେ ଉଭୟଙ୍କୁ ପୁତ୍ର ସନ୍ତାନପ୍ରାପ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.