ଆବର୍ଜନାରୁ ସୌନ୍ଦର୍ଯ୍ୟକରଣ, କେନ୍ଦୁଝର ହରିଚନ୍ଦନପୁରର ସୋନାଲି ଗୁପ୍ତାଙ୍କ ନିଆରା ପ୍ରୟାସ
![home print](https://knewsodisha.com/wp-content/uploads/2019/09/home-print.jpg)
ସ୍ୱଚ୍ଛତା ଓ ସୁନ୍ଦରତା ଏକ ଭାବନା । ସାଜସଜ୍ଜା ଉପରେ ଶିକ୍ଷା ତାଲିମପ୍ରାପ୍ତ ବିଶେଷଜ୍ଞ ଯାହା କରିପାରନ୍ତି ନାହିଁ,ତାହାକୁ ସୌନ୍ଦର୍ଯ୍ୟରେ ରୁଚି ରଖୁଥିବା ଜଣେ ଲୋକ ମଧ୍ୟ କରିପାରେ । ବିଶେଷ ଖର୍ଚ୍ଚ ନକରି ଓ ଚାରିପାଖରେ ମିଳୁଥିବା ଅଦରକାରୀ ଭଙ୍ଗା ତୁଟା ଜିନିଷକୁ ନେଇ ଘର ବାହାରେ ଓ ଭିତରେ କେମିତି ସୁନ୍ଦର ଭାବେ ସଜାଇ ହୁଏ ତାହା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ସୋନାଲି ଗୁପ୍ତାଙ୍କ ଘରେ ଦେଖିବାକୁ ମିଳିଛି ।
ଏହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ପାର୍ବତିଶଙ୍କର ଗୁପ୍ତାଙ୍କ ପତ୍ନୀ ସୋନାଲି ଗୁପ୍ତା । ସେ ଘର ଭିତର ଓ ବାହାରକୁ ଯେପରି ସଜାଇଛନ୍ତି ସେଥିରୁ ତାଙ୍କର ସୌନ୍ଦର୍ଯ୍ୟକରଣ ପ୍ରତି ଥିବା ରୁଚିକୁ ସ୍ପଷ୍ଟ କରୁଛି । ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ବୋତଲ, ତେଲ ବୋତଲ, ନଡିଆ ସରେଇ, ପାନୀୟ ବୋତଲ, କପ ପ୍ଲେଟ, ପ୍ଲାଷ୍ଟିକ ଜାର, କାଚ ପାତ୍ର , ଗଛର ଡାଳ ଓ
ମୂଳକୁ ସେ ତାଙ୍କର କଳାର ମାଧ୍ୟମରେ ବ୍ୟବହାର କରୁଛନ୍ତି । ଅନେକ ଜିନିଷ ରଖିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ବାଛିଛନ୍ତି । ଆହୁରୀ ସୁନ୍ଦର ଆକର୍ଷଣ କରିବାକୁ ବାଡିରେ ବିଭିନ୍ନ ଫୁଲଗଛ ମନିପ୍ଲାଣ୍ଟ, କାକଟସ, କ୍ରୋଟନ, ଲକିବୋମ୍ବୋ, ସ୍ନେକ ପ୍ଲାଣ୍ଟ ଆଦି ଲଗାଇଛନ୍ତି । ଭଙ୍ଗା ବୋତଲ,ନଡିଆ କତା ଆଦିରେ ରଙ୍ଗଦେଇ ସଜେଇ ରଖିବା କୌଶଳ ତାଙ୍କୁ ବେସ ଭଲ ଭାବେ ଜଣା ।
ସେ ସାଜସଜ୍ଜା ଉପରେ କୌଣସି ତାଲିମ ନେଇ ନାହାନ୍ତି । ସ୍ୱଚ୍ଛତା ପ୍ରତି ସବୁବେଳେ ସଚେତନ ଥିବା ଓ ସୁନ୍ଦରକୁ ସବୁବେଳେ ଭଲ ପାଉଥିବା ସୋନାଲି ନିଜ ଇଚ୍ଚାଶକ୍ତି ବଳରେ ଏ କଳାକୁ ଆୟତ କରିଛନ୍ତି । ସ୍ୱାମୀ ଦିଲ୍ଲୀରେ ଚାକିରି କରୁଥିବା ବେଳେ ସୋନାଲି ଏକ ଘରୋଇ ସ୍କୁଲରେ ଚାକିରି କରୁଥିଲେ । ସେତେବେଳେ ସେ ବିଭିନ୍ନ ଗାର୍ଡେନ ଓ ଚିଗଡର ରକ୍ ଗାର୍ଡେନ
ବୁଲିବାକୁ ସୁଯୋଗ ପାଇଥିଲେ । ରକ ଗାର୍ଡେନରେ ଅଦରକାରୀ ଓ ଭଙ୍ଗା ସାମଗ୍ରୀରେ ତିଆରି ହୋଇଥିବା ମୂର୍ତ୍ତି, ପ୍ରାଣି ଓ ଘରର ପ୍ରତିକୃତି ଦେଖିଥିଲେ । ସେଠାରୁ ଆସିବା ପରେ କିଛି ସୁନ୍ଦର କାମ କରିବାକୁ ସ୍ଥିର କରିଥିଲେ ସୋନାଲି। ପ୍ରତି ଜିନିଷକୁ ଅଦରକାରୀ ଭାବି ଫିଙ୍ଗିଦେବା ଅପେକ୍ଷା ତାହାକୁ ନିଜ ଢଙ୍ଗରେ ଭିନ୍ନ ରୂପ ଦେଇ ସୁନ୍ଦର ଭାବେ ସଜାଇବାକୁ ଉଚିତ ମନେକଲେ । ଏବେ ଅବସର ସମୟରେ ଘରେ ସେ ସେହି କାମ ହିଁ କରୁଛନ୍ତି ।