ବଣ୍ଡା ସମ୍ପ୍ରଦାୟର ନିଆରା ପର୍ବ ପୌଷ ସଂକ୍ରାନ୍ତି, ଚାବୁକ ମାଡ଼ରେ ଜଣେ ଜଣଙ୍କୁ କରିଚାଲେ ରକ୍ତାକ୍ତ

ମାଲକାନଗିରି (କେନ୍ୟୁଜ୍‌) : ଆମ ଦେଶ ଯେମିତି ବିଭିନ୍ନ ଜାତି, ଭାଷାକୁ ନେଇ ସମୃଦ୍ଧ ସେହିଭଳି ଆମ ପରମ୍ପରାର ରଙ୍ଗ ମଧ୍ୟ ଭିନ୍ନ । ପ୍ରତି ସମ୍ପ୍ରଦାୟରେ ଥାଏ ଅଲଗା ରୀତିନୀତି । ସେମିତି ଏକ ଅଦଭୁତ ପରମ୍ପରା ଦେଖାଯାଏ ବଣ୍ଡା ସମ୍ପ୍ରଦାୟରେ । ପୁଷ ବା ପୌଷ ସଂକ୍ରାନ୍ତିରେ ପାଳିତ ହୁଏ ଏହି ପର୍ବ। ତେବେ ଏହି ପର୍ବରେ ଚାବୁକ ମାଡ଼ରେ ନିଜ ଶରୀରକୁ ରକ୍ତାକ୍ତ କରି ଦିଅନ୍ତି ଲୋକେ । ହେଲେ ଶରୀର ପୀଡାକୁ ଭ୍ରୁକ୍ଷେପ ନକରି ଅତି ଆନନ୍ଦରେ ସେମାନେ ପାଳିଥାନ୍ତି ଏହି ପର୍ବ।

ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟ ଏହି ଭିନ୍ନ ପ୍ରକାରର ପରମ୍ପରା ପାଳିଥାନ୍ତି। ନିଜେ କଷ୍ଟ ସହିବା ସହିତ ଅନ୍ୟକୁ ମଧ୍ୟ କଷ୍ଟ ଦେଇ ବନ୍ଧୁତା ସ୍ଥାପନ କରିବା ବଣ୍ଡା ସମ୍ପ୍ରଦାୟର ଏକ ସ୍ୱତନ୍ତ୍ର ପରମ୍ପରା। ସଲପ ଗଛର ଛାଲକୁ ଚାବୁକ ଭଳି ପ୍ରସ୍ତୁତ କରାଯାଇଥାଏ। ଆଉ ଏହି ଚାବୁକରେ ପରସ୍ପରକୁ ସେମାନେ ଆଘାତ ଦେଇ ବେଶ ଆନନ୍ଦ ପାଆନ୍ତି। ବାଜାର ତାଳେ ତାଳେ ନାଚି ନାଚି ଏଭଳି ଚାବୁକ ମାଡ଼ କରିଥାନ୍ତି ପୁରୁଷ ମାନେ। ଯିଏ ଅଧିକ ଚାବୁକ ମାଡ଼ ସହି ପାରିଲା ସିଏ ସବୁଠୁ ସାହସୀ ଆଉ ବଳବାନ ବୋଲି ଧରାଯାଏ। ଅନ୍ୟପଟେ ମହିଳାମାନେ ମଧ୍ୟ ନିଜ ପାରମ୍ପରିକ ନାଚଗୀତରେ ବେଶ ମସଗୁଲ ହୋଇଥାଆନ୍ତି।

ଚାବୁକ ମାଡ଼ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ପୁଣି ଉତ୍ତମ ସମ୍ପର୍କ ସ୍ଥାପନ କରି ନୂଆ ବର୍ଷ ପାଳନ କରିଥାନ୍ତି। ବଣ୍ଡା ଜନଜାତିର ଲୋକେ ଅତି ସରଳ ଏବଂ ଭାରି ବିଶ୍ୱାସୀ। ଏମାନଙ୍କ ରୀତିନୀତି, ପରମ୍ପରା ଆଉ ବେଶଭୁଷା ସବୁ କିଛି ଅଲଗା। ଆଉ ବଣ୍ଡା ସମ୍ପ୍ରଦାୟ ନାରୀ ଜାତିକୁ ଭାରି ସମ୍ମାନ ଦେଇଥାନ୍ତି। ପୁଣି ପ୍ରତ୍ୟେକ ଋତୁରେ କିଛି ଭିନ୍ନ ଢଙ୍ଗରେ ପାଳିଥାନ୍ତି ନିଜ ପରମ୍ପରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.