ମୃତ୍ୟୁ ପରେବି ପିଛା ଛାଡ଼ିଲାନି ଜାତିପ୍ରଥା: ୧୧ ଘଣ୍ଟା କାଳ କାନ୍ଧ ଅପେକ୍ଷାରେ ପଡିରହିଲା ଶବ
ପୁଣି ମିଳିଲାନି ମୃତଦେହକୁ କାନ୍ଧ । ଅଜାତିରେ ଝିଅ ବାହା ଦେଇଥିବାରୁ ବିଧବା ମହିଳାଙ୍କ ଶବକୁ ଛୁଇଁଲେନି ସମ୍ପର୍କୀୟ ।

ନବରଙ୍ଗପୁର(କେନ୍ୟୁଜ୍): ମାନବିକତାର ମୃତ୍ୟୁ । ପୁଣି ମିଳିଲାନି ମୃତଦେହକୁ କାନ୍ଧ। ମାନବିକତା ଆଗରେ ପୁଣି ଫିକା ପଡିଗଲା ରକ୍ତ ସମ୍ପର୍କ। ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଅଞ୍ଚଳରେ। ଯେଉଁଠି ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ। ମୃତ୍ୟୁ ପରେବି ପିଛା ଛାଡ଼ିଲାନାହିଁ ଜାତିପ୍ରଥା।
ଯାହା ସୂଚନା ମିଳିଛି, ଖାତିଗୁଡାଗାଁରେ ରହୁଥିବା ବିଧବା ମହିଳା ଲକ୍ଷ୍ମୀ ପାତ୍ର ପାଇକ ଜାତିର ହୋଇଥିବାବେଳେ ପାଞ୍ଚବର୍ଷ ତଳେ ଝିଅ ଯମୁନା ପାତ୍ର, ପିତାମ୍ବର ହରିଜନ ନାମକ ଏକ ହରିଜନ ଜାତିର ପୁଅକୁ ଭଲପାଇ ବାହା ହୋଇଥିଲେ। ତେବେ ମାଆ ଲକ୍ଷ୍ମୀ ପାତ୍ରର ଦେହ ଅସୁସ୍ଥ ହେବାରୁ ଗତ ୧ ବର୍ଷ ଧରି ଝିଅ ଯମୁନା ମାଆ ପାଖରେ ରହି ମାର ସେବା କରି ଆସୁଥିଲେ । ଯମୁନାଙ୍କ ସ୍ୱାମୀ ପିତାମ୍ବର ହରିଜନ ମଧ୍ୟ ଶାଶୁଘରକୁ ଯିବା ଆସିବା କରିବା ସହିତ ବେଳେବେଳେ ରହୁଥିଲେ ।
ହେଲେ ଗତକାଲି ରାତିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା । ଯାହାଫଳରେ ଶବ ସତ୍କାର ପାଇଁ ଆମ୍ବୁଲାନ୍ସ ଯୋଗେ ଖାତିଗୁଡା ସ୍ଥିତ ଘରକୁ ଲକ୍ଷ୍ମୀଙ୍କ ଶବ ଆସି ପହଁଚିଥିଲା । ହେଲେ ଅଜାତିରେ ଝିଅ ବାହା ଦେଇଥିବାରୁ ଲକ୍ଷ୍ମୀଙ୍କ ଶବକୁ ଛୁଇଁଲେ ନାହିଁ ସମ୍ପର୍କୀୟ ମାନେ । ଏଭଳି ସ୍ଥିତି ଦେଖି ଝିଅ ଯମୁନା ଉକ୍ତ ସ୍ଥାନ ଛାଡି କେଉଁଆଡ଼େ ଚାଲିଯାଇଥିଲେ ।
ଏପଟେ ଲକ୍ଷ୍ମୀଙ୍କ ଶବ ନିକଟରେ କେବଳ ତାଙ୍କ ନାବାଳକ ପୁଅ ବସି ରହିଥିଲା ସିନା କୌଣସି ଜାତିର ଠିକାଦାର ବୋଲେଇ ହେଉଥିବା ଲୋକ କେହି ନଥିଲେ। ହରିଜନ ଜାତିରେ ବାହା ହୋଇଥିବା ଝିଅକୁ ଘରେ ଆଣି ରଖିବା ଓ ତା ରନ୍ଧା ଖାଦ୍ୟ ଖାଉଥିଲା ବୋଲି ଲକ୍ଷ୍ମୀଙ୍କ ସମ୍ପର୍କୀୟ ମାନେ ଶବକୁ ଛୁଇଁବାକୁ ମନା କରିଦେଇଥିଲେ । ପ୍ରାୟ ୧୧ ଘଣ୍ଟା କାଳ ଏହିଭଳି କାନ୍ଧ ଅପେକ୍ଷାରେ ପଡି ରହିଥିଲା ଶବ ।
ଶେଷରେ ସ୍ଥାନୀୟ ପରଜାବାରଙ୍ଗପଦର ସରପଞ୍ଚଙ୍କ ସ୍ୱାମୀ ସଦା ଯାନୀ ସମ୍ପର୍କୀୟଙ୍କୁ ଅନେକ ବୁଝାଇବା ପରେ ବି ସମ୍ପର୍କୀୟ ମାନେ ଶବ ଛୁଇଁବାକୁ ମନା କରିଦେଇଥିଲେ। ଏହାପରେ ସଦା ଯାନୀ କିଛି ସମାଜସେବୀ ଯୁବକ ମାନଙ୍କ ସହାୟତାରେ ଲକ୍ଷ୍ମୀଙ୍କ ଶବକୁ କାନ୍ଧେଇ ଇନ୍ଦ୍ରାବତୀ ଶ୍ମଶାନକୁ ନେଇ ହିନ୍ଦୁ ରୀତିନୀତିରେ ଶବ ସତ୍କାର କରିଥିଲେ। ତେବେ ଆଜିର ସଭ୍ଯ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି, ଆଉ ସେଥିପାଇଁ ଶବକୁ ମିଳୁନି କାନ୍ଧ। ଯାହା ଅତି ବିଡମ୍ବନାର ବିଷୟ ।