କାଲୁଆ ଶୀତରେ ଥରୁଛି ଭାରତ । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ହ୍ରାସ ହେବା ପରେ ଶୀତ ବଢିବାରେ ଲାଗିଛି । ଦେଶର କିଛି ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ରେକର୍ଡ ତାପମାତ୍ରା ହ୍ରାସ ପାଇଛି । ଅସହ୍ୟ ଜାଡରୁ ରକ୍ଷା ପାଇବାକୁ କିଏ ନିଆଁ ପୁଉଁଛି ତ ପୁଣି କିଏ ଘରୁ ବାହାରକୁ ବାହାରିବାକୁ ଡରୁଛି । ଆଉ ଯଦି କେହି ବାହାରକୁ ବାହାରୁଛି ତେବେ ସ୍ୱେଟର କିମ୍ବା ଚାଦର ଘୋଡାଇବାକୁ ଭୁଲୁନାହିଁ । ପର୍ବତ ଉପରେ ତୁଷାରପାତ ହେତୁ ଥଣ୍ଡା ପାଗ ଆରମ୍ଭ ହୋଇଯାଇଛି। ବାରାଣାସୀରେ ମଧ୍ୟ ଶୀତଳ ତରଙ୍ଗ ଲୋକଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛି । ଶୀତ ବଢ଼ୁଥିବାର ପ୍ରଭାବ ଏଠାରେ ଥିବା ମନ୍ଦିରଗୁଡ଼ିକରେ ମଧ୍ୟ ଦୃଶ୍ୟମାନ ହେଲାଣି । ଆଜିକାଲି, ଭଗବାନ ଶୀତରୁ ରକ୍ଷା ପାଇବା ପାଇଁ ସ୍ୱେଟର ଏବଂ ଶାଲ ପିନ୍ଧି ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ମଧ୍ୟ ଦେଉଛନ୍ତି ।
ଉତ୍ତରପ୍ରଦେଶର ବାରାଣାସୀରେ କ୍ରମାଗତ ଭାବରେ ତାପମାତ୍ର ଖସିବାରେ ଲାଗିଛି । ଏହାର ପ୍ରଭାବ ବାରାଣାସୀର ମନ୍ଦିରରେ ମଧ୍ୟ ଦୃଶ୍ୟମାନ ହେଉଛି । ଯେଉଁଠାରେ ଭଗବାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ।ପ୍ରଭୁ ରାମ, ଲକ୍ଷ୍ମଣ, ମାତା ସୀତା, ଭରତ ଏବଂ ଶତ୍ରୁଘ୍ନଙ୍କ ସମେତ ହନୁମାନଙ୍କୁ ମଧ୍ୟ ପଶମ ପୋଷାକ ପିନ୍ଧାଯାଇଥିବା ବେଳେ ଗଣେଶଙ୍କୁ ମଧ୍ୟ ଚାଦର ଘୋଡାଇ ଦିଆଯାଇଥିବାର ଦେଖାଯାଉଛି। କେବଳ ଏତିକି ନୁହେଁ, ସାଇ ବାବାଙ୍କୁ ଏକ ପଶମ ଟୋପି ପିନ୍ଧାଇବା ସହିତ ଶାଲ ଘୋଡାଇ ହୋଇଥିବାର ଦେଖିବାକୁ ମିଳୁଛି । ବାରାଣାସୀର ଲୋହାଟିଆ ଅଞ୍ଚଳରେ ଅବସ୍ଥିତ ପ୍ରାଚୀନ ବଡା ଗଣେଶ ମନ୍ଦିରରେ ପ୍ରଭୁ ଗଣେଶଙ୍କ ପ୍ରତିମାକୁ ଉଷ୍ମ କମ୍ବଳରେ ଆଚ୍ଛାଦିତ କରିଥିବା ବେଳେ ତାଙ୍କ ମୁଣ୍ଡରେ ଏକ କ୍ୟାପ୍ ମଧ୍ୟ ପିନ୍ଧାଯାଇଛି।
ବଡା ଗଣେଶ ମନ୍ଦିରର ପୁରୋହିତ କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ପ୍ରଭୁଙ୍କ ନିକଟରେ ସୂତା ପୋଷାକ ପିନ୍ଧାଯାଏ। ସେହିଭଳି, ଶୀତ ଋତୁରେ ବି ସେମାନେ ପଶମ ପୋଷାକ ମଧ୍ୟ ପିନ୍ଧନ୍ତି । ଯେହେତୁ ଥଣ୍ଡା ବଢୁଛି ତେଣୁ ଭଗବାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ଏପରି ପ୍ରୟାସ କରାଯାଇଛି । ସେ କହିଥିଲେ ଯେ ଭଗବାନ ମଧ୍ୟ ଗ୍ରୀଷ୍ମ ଋତୁ ଗରମ ଅନୁଭବ କରନ୍ତି ସେହିପରି ଶୀତ ଋତୁରେ ମଧ୍ୟ ଥଣ୍ଡା ଅନୁଭବ କରନ୍ତି।
ସେହିପରି ଅନ୍ୟ ଜଣେ ପୂଜକ କହିଛନ୍ତି, କାର୍ତ୍ତିକ ମାସର ବୈକୁଣ୍ଠ ଚର୍ତ୍ତୁଦଶୀରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଭଗବାନଙ୍କୁ ଶୀତ ବସ୍ତ୍ର ପିନ୍ଧା ଯାଇଥାଏ । କାଶୀରେ ଥିବା ସମସ୍ତ ଦେବାଳୟରେ ଭଗବାନଙ୍କୁ ଏଭଳି ବସ୍ତ୍ର ପିନ୍ଧାଯାଇଥାଏ । ଭଗବାନଙ୍କୁ ଆମେ ଭକ୍ତି ସହକାରେ ପୂଜା କରିଥାଉ । ତେଣୁ ଆମକୁ ଯେତେବେଳେ ଥଣ୍ଡା ଲାଗୁଛି ସେତେବେଳେ ଭଗବାନଙ୍କୁ ମଧ୍ୟ ଥଣ୍ଡା ଲାଗୁଥିବା ନେଇ ଭାବନା ଆସିଥାଏ, ଯେଉଁଥିପାଇଁ ଭଗବାନଙ୍କୁ ଗରମ କପଡା ପିନ୍ଧା ଯାଇଥାଏ ।