Below header

ନିର୍ବାଚନ ୨୦୧୯ : ଏଥର ଫୋକସ୍ ଚିକିଟି, ଦେଖନ୍ତୁ ହାରଜିତ୍ ର ହିସାବ ନିକାଶ

ଗଂଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ବିଧାନସଭା ଆସନ ଚିକିଟି। ନିର୍ବାଚନକୁ ନେଇ ରାଜନୈତିକ ଦଳଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଶାସକ ବିଜେଡ଼ିକୁ ଟକ୍କର ଦେବାକୁ କଂଗ୍ରେସ ଓ ବିଜେପି ଆରମ୍ଭ କରି ସାରିଛନ୍ତି ଅଭିଯାନ । ସେପଟେ ଲୋକଙ୍କ ନିକଟରେ ରହି ନିଜର ବିଜୟ ଅଭିଯାନ ଜାରି ରଖିବାକୁ ବିଜେଡ଼ି ଜାରି ରଖିଛି ପ୍ରୟାସ। ୨୦୦୦ ମସିହାରୁ ଲଗାତର ଭାବେ ଏହି ଆସନଟି ବିଜେଡ଼ି କବ୍‌ଜାରେ। ବିଜେଡିରୁ ଚିକିଟି ରାଣୀ ଉଷା ଦେବୀ, ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ୧୯୮୫ ମସିହାରେ ରାଜନୀତିରେ ପାଦ ଥାପିଥିଲେ ଉଷା ଦେବୀ । ସେହି ନିର୍ବାଚନରେ, କଂଗ୍ରେସର ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କଠାରୁ ହାରିଥିଲେ। ଚିନ୍ତାମଣି ୧୯୮୦ରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ଏହାପରେ ୧୯୮୫ରେ କଂଗ୍ରେସରୁ ଓ ୧୯୯୫ରେ ପୁଣି ଥରେ ସ୍ୱାଧୀନ ଭାବେ ବିଜୟ ହୋଇଥିଲେ ଚିନ୍ତାମଣି ଦ୍ୟାନ ସାମନ୍ତରା।

୧୯୯୦ରେ ପ୍ରଥମ ଥର ପାଇଁ ଚିକିଟି ଆସନଟି ଯାଇଥିଲା ଉଷା ଦେବୀଙ୍କ ସପକ୍ଷରେ। ଏହାପରେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ଲଗାତର ଚାରିଥର ଜିତିଛନ୍ତି ଉଷା ଦେବୀ। ଗତ ନିର୍ବାଚନରେ ବିଜେଡିକୁ ଟକ୍କର ଦେବାକୁ କଂଗ୍ରେସରୁ ଚିନ୍ତାମଣିଙ୍କ ପୁଅ ମନୋରଞ୍ଜନ ଦ୍ୟାନ ସାମନ୍ତରା ପ୍ରାର୍ଥୀ ହୋଇଥିଲେ। ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଉଦୟ ପ୍ରଧାନ । ହେଲେ ଉଭୟଙ୍କ ରଣନୀତି ଫେଲ ମାରିଥିଲାା କଂଗ୍ରେସଠାରୁ ୩୧ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଉଷା ଦେବୀା ଉଷା ଦେବୀ ପାଇଥିଲେ ୭୪ ହଜାର ୮୪୯ ଭୋଟ୍‌। ୪୨ ହଜାର ୭୦୧ ଭୋଟ୍‌ ପାଇଥିଲେ କଂଗ୍ରେସ ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ଉଦୟନାଥ ପ୍ରଧାନ ପାଇଥିଲେ ମାତ୍ର ୪ ହଜାର ୫୯୦ ଭୋଟ୍‌। ଏବେ କିନ୍ତୁ ଚିତ୍ର ବଦଳି ଯାଇଛି । ମନୋରଞ୍ଜନ ଦ୍ୟାନ ସାମନ୍ତରା ବିଜେପି ଶିବିରରୋ କଂଗ୍ରେସ ପ୍ରାର୍ଥୀ ପାଇଁ କିଏ ଦାବିଦାର ଆଗକୁ ଆସି ନାହାନ୍ତି। ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ। ସେପଟେ ଗତ ଥର ବିଜେପି ପ୍ରାର୍ଥୀ ହୋଇଥିବା ଉଦୟ ନାଥ ପ୍ରଧାନ, ଆଗାମୀ ନିର୍ବାଚନ ପାଇଁ ଆଶାୟୀ ରହିଛନ୍ତି, ନିଜର ସାଙ୍ଗଠାନିକ କାଯ୍ୟର୍କ୍ରମ ଜାରି ରଖିଛନ୍ତି ।

ଏହି ଆସନରେ ବିଜେଡ଼ି ତାହାର ବିଜୟ ଅଭିଯାନକୁ ଜାରି ରଖିଥିଲେ ବି ପାତ୍ରପୁର ଅଂଚଳରେ ଏବେ ବି କଂଗ୍ରେସ ତଥା ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କ ଖାତିର ରହିଛି । ପୁଅ ବିଜେପି ଶିବିରକୁ ଯାଇଥିବା ବେଳେ ଭାଇ ପୂର୍ବରୁ ବିଜେଡ଼ି ସହ ହାତ ମିଶାଇ ସାରିଛନ୍ତି । ତଥାପି କଂଗ୍ରେସ ଦଳ ପାଇଁ ଅଲୋଡ଼ା ହୋଇନାହାନ୍ତି ଚିନ୍ତାମଣି ଦ୍ୟାନ ସାମନ୍ତରା । ଦଳର ସାଙ୍ଗଠାନିକ କାର୍ଯ୍ୟକ୍ରମରେ ଲୋଡ଼ା ପଡ଼ନ୍ତି ସେ । ଦଳ ପକ୍ଷରୁ ଏବେ ବି ତାଙ୍କ ଗୁରୁତ୍ୱ ରହିଛି। ଗତ ନିର୍ବାଚନରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ଏବେ ନୂଆ ସମୀକରଣରେ ସେ ନିର୍ବାଚନ ଳଢିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତିା ସେପଟେ ମୋଦିଙ୍କ ଲୋକ ପ୍ରିୟତାକୁ ପାଥେୟ କରି ବିଜେପିର ଦୁଇ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଆରମ୍ଭ କରି ଦେଇଛନ୍ତି ନିଜ ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମ । ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଦଳୀୟ ନେତା। ବିଜେଡ଼ି କହୁଛି, ଦଳର ନୀତି ଭଲ ଓ ନେତା ଭଲ। ଏହାସହ ଜାରି ରହିଛି ଜନହିତକାରୀ କାର୍ଯ୍ୟ। ଯାହା ଦଳକୁ ସଫଳତା ଆଣି ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.