ଗରୁଡ଼ ପୁରାଣ: ମୃତ୍ୟୁର ୧୩ ଦିନ ଯାଏଁ କ’ଣ ସତରେ ଘରେ ରହିଥାଏ ଆତ୍ମା?
ମୃତ୍ୟୁ କଥା ଶୁଣିବା ମାତ୍ରେ ମନକୁ କେବଳ ଗୋଟିଏ କଥା ଆସେ ଯେ ମରିବା ପରେ ଆତ୍ମା କୁଆଡ଼େ ଯାଏ। ହିନ୍ଦୁ ଧର୍ମଗ୍ରନ୍ଥ ଗୀତାରେ ଭଗବାନ କୃଷ୍ଣ କହିଥିଲେ, ଆତ୍ମା ଅଜର ଅମର, କେବେ ବି ମରିନଥାଏ। ମରେ କେବଳ ଶରୀର। ଜନ୍ମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ। ଆଉ ଯାହାର ମୃତ୍ୟୁ ହୋଇଛି ସେ ପୁଣିଥରେ ଜନ୍ମ ନେବା ମଧ୍ୟ ଏକ ପ୍ରକାରର ନିଶ୍ଚିତ ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। କିନ୍ତୁ ଭଲ କାମ କରିଥିବା ବ୍ୟକ୍ତି ଏହି ଜୀବନ ଚକ୍ରର ବାହାରି ପରଲୋକକୁ ଚାଲିଯାଏ। ତେବେ ମନରେ ପ୍ରଶ୍ନ ଆସେ ଯଦି ଆତ୍ମା ଜୀବିତ ତେବେ କ’ଣ ତାହା ସବୁ କିଛି ଦେଖିପାରେ? ଏହାର ଉତ୍ତର ଗରୁଡ଼ ପୁରାଣରେ ଦିଆଯାଇଛି।
ମୃତ୍ୟୁ ପରେ ଆତ୍ମା ସହ କିଭଳି ବ୍ୟବହାର କରାଯାଏ?
ମୃତ୍ୟୁ ପରେ ଆତ୍ମା ସହ କିଭଳି ବ୍ୟବହାର କରାଯାଏ ଗରୁଡ଼ ପୁରାଣରେ ସେ ନେଇ ବର୍ଣ୍ଣନା କରାଯାଇଛି। ଏହା ବ୍ୟକ୍ତିର କର୍ମ ଉପରେ ଆଧାରିତ। ଆତ୍ମା ଶରୀର ଛାଡ଼ିବାର ୨୪ ଘଣ୍ଟା ଯାଏଁ ଯମ ଦୂତଙ୍କ ସହ ରହିଥାଏ। ଏହି ସମୟରେ ସେ ଛାଡ଼ିଥିବା ଦେହକୁ ପଞ୍ଚ ଭୂତରେ ବିଲୀନ କରିବା କାର୍ଯ୍ୟ କରାଯାଏ।
୧୩ ଦିନ ପାଇଁ ନିଜ ଲୋକଙ୍କ ଭିତରେ ଛାଡ଼ି ଦିଆଯାଏ
୨୪ ଘଣ୍ଟା ପୂରା ହେବା ପରେ ଉକ୍ତ ଆତ୍ମାକୁ ୧୩ ଦିନ ପାଇଁ ପରିବାର ଲୋକଙ୍କ ମଧ୍ୟରେ ଛଡ଼ାଯାଏ। ଏହି ୧୩ ଦିନ ଯାଏଁ ଚାଲିଥିବା କ୍ରିୟା କର୍ମ ସରିବା ପରେ ଆତ୍ମା ପୁଣିଥରେ ଯମଲୋକ ଫେରିଯାଏ। ଏଠାରେ କର୍ମ ଆଧାରରେ ଫଳ ମିଳିଥାଏ। ଅର୍ଥାତ୍, ଆତ୍ମା ନର୍କ କି ସ୍ୱର୍ଗକୁ ଯିବ ତାହାର ନିଷ୍ପତ୍ତି ହୋଇଥାଏ ବୋଲି ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି।
ଗରୁଡ ପୁରାଣ ଅନୁଯାୟୀ, ମୃତ୍ୟୁ ପରେ ମୃତକଙ୍କ ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ନିଜ ଘରେ ହିଁ ରହିଥାଏ। ୧୩ ଦିନ ଯାଏଁ ମୃତକଙ୍କ ଆତ୍ମାରେ ଏତେ ଶକ୍ତି ନଥାଏ ଯେ ସେ ଯମଲୋକକୁ ଯାଇପାରିବ। ତେଣୁ ୧୦ ଦିନ ପର୍ଯ୍ୟନ୍ତ ପିଣ୍ଡଦାନ କରି ଆତ୍ମାକୁ ଶକ୍ତି ଦିଆଯାଏ। ଏହା ଦ୍ୱାରା ମୃତକଙ୍କ ଆତ୍ମା ଯମଲୋକ ପର୍ଯ୍ୟନ୍ତ ଯାଇଥାଏ। ଏହାପରେ ଦଶାହର ୩ ଦିନରେ ଆତ୍ମାର ବହୁତ ସୂକ୍ଷ୍ମ ଶରୀର ତିଆରି ହୋଇଯାଏ ଏବଂ ତାହା ଯମଲୋକକୁ ଯାତ୍ରା କରିପାରିଥାଏ। ଏଥିପାଇଁ ମୃତ୍ୟୁର ୧୩ ଦିନ ପର୍ଯ୍ୟନ୍ତ କର୍ମ କରାଯାଏ ଫଳରେ ମୃତକଙ୍କ ଆତ୍ମା ଯମଲୋକକୁ ଯାଇପାରେ।
Also Read: ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କୁ ମିଳିଲା ମୋଷ୍ଟ ଷ୍ଟାଇଲିସ୍ କପଲ ଆଓ୍ଵାର୍ଡ