Below header

ଜାଣନ୍ତୁ ସେହି ଅଫିସରଙ୍କ ବିଷୟରେ ଯିଏ ସରକାରଙ୍କ ବିପକ୍ଷରେ ଦିନେ ସଡକକୁ ଓହ୍ଲାଇଥିଲେ, କିନ୍ତୁ ଏବେ ନିଜେ ୩ୟ ଥର ପାଇଁ ଗଢିବେ ସରକାର

ସାଧାରଣ ବେଶ ପୋଷାକ, କମ ଉଚ୍ଚତା, ସରଳ ସ୍ୱଭାବର ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଜନତା ପୁଣି ଥରେ ଜନନେତା ର ଭାର ଦେଇଛନ୍ତି । ଲଗାତାର ତୃତୀୟ ଥର ପାଇଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି । ତାଙ୍କ ଦ୍ୱାରା ଗଠିତ ହୋଇଥିବା ‘ଆମ ଆଦମୀ ପାର୍ଟି’କୁ ୧୦ ବର୍ଷ ବି ପୂରିନଥିବା ବେଳେ ଦିଲ୍ଲୀବାସୀଙ୍କ ବିଶ୍ୱାସ ଜିଣି ପାରିଛି ଦଳ । ଇନକମ ଟ୍ୟାକ୍ସ ଅଫିସର ପଦରୁ ଇସ୍ତଫା ଦେବା ପରେ ସଡକରେ ଆନ୍ଦୋଳନମାନ ଆରମ୍ଭ କରି ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ କେଜ୍ରିୱାଲ । ତେବେ କେମିତି ଥିଲା କେଜ୍ରିୱାଲଙ୍କ ହାକିମ ପଦରୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତର ଯାତ୍ରା ଆସନ୍ତୁ ସେ ଉପରେ ଆଜି ଏକ ନଜର ପକାଇବା । ଅରବିନ୍ଦ କେଜ୍ରିୱାଲଙ୍କ ଜନ୍ମ ହୋଇଥିଲା ୧୯୬୮ ମସିହା ଅଗଷ୍ଟ ମାସ ୧୬ ତାରିଖରେ ହରିୟାଣାର ହିସାର ଜିଲ୍ଲାରେ । ତିନି ଭାଇ ଭଉଣୀଙ୍କ ଭିତରେ ସବୁଠାରୁ ବଡ ଥିଲେ ।

kejriwal

ତାଙ୍କ ପିତାଙ୍କ ନାମ ଥିଲା ଗୋବିନ୍ଦ ଓ ମା’ଙ୍କ ନାମ ଥିଲା ଗୀତା । ପିତା, ମାତା ଉଭୟଙ୍କ ନାଁ ଭଗବାନ କୃଷ୍ଣଙ୍କ ସହ ଜଡିତ ଥିବା ବେଳେ କେଜ୍ରିୱାଲଙ୍କ ଜନ୍ମ ପବିତ୍ର ଜନ୍ମାଷ୍ଟମୀ ଅବସରରେ ହିଁ ହୋଇଥିଲା । ହିସାର ଜିଲ୍ଲାର କ୍ୟାମ୍ପସ ସ୍କୁଲରୁ ନିଜ ପାଠ ପଢା ଆରମ୍ଭ କରିଥିବା ବେଳେ ପରେ ସୋନିପତ ସ୍ଥିତ କ୍ରିଷ୍ଟିୟାନ ମିସନାରୀ ସ୍କୁଲରୁ ନିଜ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ନିଜ ଛାତ୍ରବସ୍ଥା ସମୟରେ ଖୁବ ଚୁପଚାପ ସ୍ୱଭାବର ଥିଲେ କେଜ୍ରିୱାଲ । ଚେସ ଖେଳ ଓ ବହି ପଢା ପ୍ରତି ତାଙ୍କର ବିଶେଷ ରୁଚି ରହିଥିଲା । ପାଠପଢାରେ ଦକ୍ଷ ହୋଇଥିବା କାରଣରୁ ପ୍ରଥମ ଥରରେ ହିଁ ଆଇଆଇଟି ଖଡ଼ଗପୁରରେ ମେକାନିକାଲ ବିଭାଗରେ ତାଙ୍କର ଆଡ଼ମିସନ ହୋଇଯାଇଥିଲା । ଡିଗ୍ରୀ ହାସଲ ପରେ ୧୯୮୯ ମସିହା ଟାଟା ଷ୍ଟିଲରୁ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ୩ ବର୍ଷ କାମ କରିବା ପରେ ଇସ୍ତଫା ଦେଇ ୧୯୯୨ ମସିହାରେ ସିଭିଲ ସର୍ଭିସ ପ୍ରସ୍ତୁତି ଆରମ୍ଭ କରିଥିଲେ । କେନ୍ଦ୍ରୀୟ ଲୋକ ସେବା ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହେବା ପରେ ଆଇଆରଏସ ପଦବୀର ଭାର ସମ୍ଭାଳିଥିଲେ ।

kejriwal

ସେ ସମୟରେ ତାଙ୍କୁ ଡେପୁଟି କମିଶନରର ଦାୟିତ୍ୱ ମିଳିଥିଲା । ଟ୍ରେନିଂ ସମୟରେ ହିଁ ତାଙ୍କର ସାକ୍ଷାତ ସୁନିତାଙ୍କ ସହ ହୋଇଥିଲା । ଯାହାଙ୍କୁ ପରବର୍ତ୍ତୀ ସମୟରେ ସେ ନିଜ ଜୀବନ ସାଥି ଭାବେ ଗ୍ରହଣ କରିଥିଲେ । ଆୟକର ବିଭାଗରେ ଉଚ୍ଚ ପଦବୀରେ ଆବର୍ତ୍ତୀର୍ଣ୍ଣ ହେବା ସମୟରେ ହିଁ ଦେଶ ରାଜନୀତିକୁ ଖୁବ ନିକଟରୁ ଅନୁଭବ କରିଥିଲେ କେଜ୍ରିୱାଲ । କିନ୍ତୁ ପରେ ଏପରି ଏକ ଉଚ୍ଚ ପଦବୀ ଛାଡ଼ି ବିଭିନ୍ନ ସାମାଜିକ କାମରେ ମନ ନିବେଶ କରିଥିଲେ । ବିଭିନ୍ନ ସରକାରୀ କାମରେ ପାରଦର୍ଶିତା ଆଣିବା ପାଇଁ ସେ ‘ସୂଚନା ଅଧିକାର’ ପାଇଁ କାମ ଆରମ୍ଭ କରିଥିଲେ । ଏଥିପାଇଁ ବି ତାଙ୍କୁ ୨୦୦୬ ମସିହାରେ ‘ମାଗାସେସେ ପୁରସ୍କାର’ ବି ମିଳିଥିଲା । ଆଇଆରଏସ ଚାକିରୀ ଛାଡି ସମାଜସେବା କରୁଥିବା ସମୟରେ ତାଙ୍କୁ ଆନା ହଜାରେଙ୍କ ସାହାଯ୍ୟ ମିଳିଥିଲା । ୨୦୧୧ ମସିହାରେ ସ୍ୱରାଜ ଦାବି କରି ଆନ୍ନା ହଜାରେଙ୍କ ନେତୃତ୍ୱରେ ଏକ ଦଳ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଯଦିବା ଆନ୍ଦୋଳନର ମୁଖ୍ୟ ଚେହେରା ଆନ୍ନା ହଜାରେଙ୍କ ଥିଲା ।

kejriwal

କିନ୍ତୁ ସେଥିରେ ପ୍ରମୁଖ ସହଯୋଗି ଭାବେ ଅରବିନ୍ଦ କେଜ୍ରିୱାଲ ହିଁ ଦାୟିତ୍ୱ ତୁଲାଇ ଥିଲେ । ଦୀର୍ଘ ସମୟ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ସେସମୟର ସରକାରଙ୍କ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିବାରୁ ନିଜେ ରାଜନୀତିରେ ପାଦ ଥାପିବେ ବୋଲି କେଜ୍ରିୱାଲ ଘୋଷଣା କରିଥିଲେ । ପରେ ୨୦୧୨ ମସିହା ନଭେମ୍ବର ୨୬ ତାରିଖରେ ‘ଆମ ଆଦମୀ ପାର୍ଟି’ ମୂଳଦୁଆ ପକାଇ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ । କିନ୍ତୁ ଏଦିଗରେ ତାଙ୍କୁ ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଦେଇଥିଲେ ପତ୍ନୀ ସୁନିତା । ୨୦୧୩ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ବେଳେ ସେହିଥର ହିଁ ତାଙ୍କୁ ପୂର୍ଣ୍ଣ ବହୁମତ ମିଳିଥିଲା । କହିବାକୁ ଗଲେ ‘ଆମ ଆଦମୀ ପାର୍ଟି’ର ଜୟଯାତ୍ରା ସେବେଠାରୁ ହିଁ ଆରମ୍ଭ ହୋଇଯାଇଥିଲା । ଆଉ ଚଳିତ ଥର ଦିଲ୍ଲୀ ଜନତା ତାଙ୍କୁ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହିଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.