Below header

ଡାକ୍ତରୀ ଦଳଙ୍କ ବିଶେଷ ସଫଳତା, ୫୧ ବର୍ଷୀୟ ବ୍ୟକ୍ତିଙ୍କ ମୁଣ୍ଡର ଉପର ଅଂଶରୁ ବାହାରିଲା ୭ କେଜିର ଟ୍ୟୁମର୍‌

ନିକଟରେ ଓଡ଼ିଶାର ଏମସ୍‌ ଡାକ୍ତରୀ ଦଳ ଏକ ବିରଳ ଅସ୍ତ୍ରୋପଚାର କରି ସୁନାମ ଆଣିଛନ୍ତି । ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖର ବଞ୍ଚାଇଛନ୍ତି ଏମସ୍‌ ଡାକ୍ତରୀ ଦଳ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମାଇଲଖୁଣ୍ଟ ହାସଲ କରିଛି ଏମ୍‌ସ ଭୁବନେଶ୍ୱର।

ଭୁବନେଶ୍ୱର(କେନ୍ୟୁଜ): ଅନେକ ଅଭାବୀ ଲୋକ ଅଛନ୍ତି ଯେଉଁମାନେ କୌଣସି ପ୍ରକାର ବିରଳ ରୋଗରେ ଆକ୍ରାନ୍ତ ହେଲେ ଚିକିତ୍ସା କରନ୍ତିନି । ଏହାର କାରଣ ହେଉଛି ସେମାନଙ୍କ ପାଖରେ ଅର୍ଥର ଅଭାବ ଥାଏ । ବଡ଼ ରୋଗର ଚିକିତ୍ସା କରିବା ପାଇଁ ଗରିବ ଲୋକଙ୍କ ପାଖରେ ଟଙ୍କା ନଥିବାରୁ ସେମାନେ ନିରୁପାୟ ହୋଇ ଘରେ ପଡ଼ି ପଡ଼ି ଶେଷ ନିଶ୍ୱାସ ତ୍ୟାଗ କରନ୍ତି । କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ମନେ ମନେ ଭାବନ୍ତି ବଡ଼ ବଡ଼ ରୋଗର ଚିକିତ୍ସା ଦିଲ୍ଲୀ କିମ୍ବା ମୁମ୍ବାଇ ଭଳି ବଡ଼ ସହରରେ ହିଁ ହୋଇପାରିବ । କିନ୍ତୁ ଏବେ ଆମ ଓଡ଼ିଶାରେ ବି ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁଛି । ଆମ ଓଡ଼ିଶାର ଏମସ୍‌ ଡାକ୍ତରଙ୍କ ଦକ୍ଷତା ଏବେ କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି ପ୍ରଚାର ହେଉଛି ।

ତେବେ ନିକଟରେ ଓଡ଼ିଶାର ଏମସ୍‌ ଡାକ୍ତରୀ ଦଳ ଏକ ବିରଳ ଅସ୍ତ୍ରୋପଚାର କରି ସୁନାମ ଆଣିଛନ୍ତି । ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖର ବଞ୍ଚାଇଛନ୍ତି ଏମସ୍‌ ଡାକ୍ତରୀ ଦଳ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମାଇଲଖୁଣ୍ଟ ହାସଲ କରିଛି ଏମ୍‌ସ ଭୁବନେଶ୍ୱର। ପଶ୍ଚିମବଙ୍ଗର ୫୧ ବର୍ଷିୟ ରବୀନ୍ଦ୍ର ବିଶୁଇଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଛି । ଦୀର୍ଘ ବର୍ଷ ହେବ ମାରାତ୍ମକ ଟ୍ୟୁମର୍‌କୁ ଧରି ଯନ୍ତ୍ରଣା ପାଉଥିଲେ ରବୀନ୍ଦ୍ର । କିନ୍ତୁ ବର୍ତ୍ତମାନ ତାଙ୍କ ଯନ୍ତ୍ରଣାକୁ ଦୂର କରିଛନ୍ତି ଏମ୍‌ସର ଡାକ୍ତରୀ ଦଳ । ତାଙ୍କୁ ଏକ ନୂଆ ଜୀବନ ମିଳିଛି । ଖପୁରୀର ଉପର ଭାଗରେ ସାଧାରଣତଃ ଏଭଳି ଟ୍ୟୁମର୍‌ ଦେଖାଯାଇନଥାଏ । ମାତ୍ର ଥରେ ହେଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ । ତେଣୁ ଅତ୍ୟନ୍ତ ସତର୍କତାର ସହିତ ଏହାକୁ କଢ଼ାନଗଲେ ରୋଗୀ ପାଇଁ ଏହା ବିପଦପୂର୍ଣ୍ଣ ପାଲଟିଯାଏ । ତେବେ ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ହୋଇଥିବା କୁହାଯାଉଛି ।

ରବୀନ୍ଦ୍ର ଏହି ବିରଳ ଟ୍ୟୁମ୍‌ର ଚିକିତ୍ସା ପାଇଁ ବିଭିନ୍ନ ହସ୍‌ପିଟାଲରୁ ନିରାଶ ହୋଇ ଫେରିବା ପରେ ଏମ୍‌ସ ଭୁବନେଶ୍ୱରର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଆସିଥିଲେ। ତେବେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ କୁମାର ଗିରିଙ୍କ ନେତୃତ୍ବରେ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି, ସର୍ଜିକାଲ୍ ଅଙ୍କୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ଆନାସ୍ଥେସିଓଲୋଜି ଏବଂ ପାଥୋଲୋଜି ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା ଏବଂ ଏହି ଅପରେସନ୍‌ ସଫଳତାର ସହ ଶେଷ ହୋଇଥିଲା ।

ଶ୍ରୀ ବିଶୁଇ ଦୁଇ ଦଶନ୍ଧି ହେବ ଏହି ଟ୍ୟୁମ୍‌ରରେ ପିଡ଼ୀତ ଥିଲେ । ମାତ୍ର ଗତ କିଛି ମାସ ହେବ ଏହି ଟ୍ୟୁମର୍‌ ବଡ଼ ହୋଇ ପ୍ରାୟ ୭ କେଜିରେ ପହଞ୍ଚିଥିଲା । ଏହି ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମରର ଜଟିଳ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ । ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ମାରାତ୍ମକ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ଶେଷ ହୋଇଥିଲା ।

ସଫଳ ଅସ୍ତ୍ରୋପଚାର ପରେ ରବୀନ୍ଦ୍ରଙ୍କୁ ଅଧିକ ନିରୀକ୍ଷଣ ପାଇଁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା । ଏପରି ବିରଳ ଅସ୍ତ୍ରୋପଚାର ଏମ୍‌ସ ଭୁବେନଶ୍ବରର ବିଭିନ୍ନ ବିଭାଗ ମଧ୍ୟରେ ଥିବା ବଳିଷ୍ଠ ଟିମ୍‌ୱାର୍କ୍‌କୁ ପ୍ରମାଣିତ କରିଛି । ଏମ୍‌ସରେ ହୋଇଥିବା ଏହି ବିରଳ ଅସ୍ତ୍ରୋପଚାର ପରେ ଅନେକ ଲୋକଙ୍କ ମନରେ ଆଶା ଜନ୍ମିଛି । ଏବେ ଲୋକମାନେ ଭଲ ଚିକିତ୍ସା ପାଇଁ ଦୂର ଦୂରାନ୍ତରକୁ ଯିବେ ନାହିଁ । ଓଡ଼ିଶାର ଏମସ୍‌ ରେ ସମସ୍ତ ପ୍ରକାର ଚିକିତ୍ସା କରିବେ ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.