Below header

ମଣିଷ ସ୍ୱାର୍ଥ ପାଇଁ ବଳି ପଡୁଛନ୍ତି ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁ, ଲକ୍ଷ୍ୟ ହୁଡ଼ିଛି ଲଖାରୀ ଅଭୟାରଣ୍ୟ

ମୋହନା (କେ ନ୍ୟୁଜ୍‌) : ଜଙ୍ଗଲ ସୁରକ୍ଷା, ପ୍ରକୃତିର ରକ୍ଷା । ପ୍ରକୃତି ବଞ୍ଚିଲେ ମଣିଷ ଏବଂ ଏ ଜୀବ ଜଗତର ପ୍ରାଣୀ ବି ବଞ୍ଚିବେ । ହେଲେ ମଣିଷ କଣ ଏ କଥାକୁ ବୁଝୁଛି ? ନିଜର ସ୍ୱାର୍ଥ ପାଇଁ ଜଙ୍ଗଲ ଆଉ ଜଙ୍ଗଲୀ ଜନ୍ତୁଙ୍କୁ ନଷ୍ଟ କରି ଚାଲିଛି । ଯାହା ବୀପରୀତ ଫଳ ଦେଉଛି ଆମ ସମସ୍ତଙ୍କୁ । ଆମ ରାଜ୍ଯ ଓଡିଶା ପ୍ରାକୃତିକ ସମ୍ପଦରେ ଭରପୂର । ଏଠାରେ ରହିଛି ଅନେକ ଘଞ୍ଚ ଜଙ୍ଗଲ ଏବଂ ଅଭୟାରଣ୍ଯ ତା ମଧ୍ୟରୁ ଅନ୍ଯତମ ଗଜପତି ଜ଼ିଲ୍ଲାର ଲଖାରୀ ଅଭୟାରଣ୍ଯ। ହେଲେ ଏହା କେବଳ ନାମକୁ ମାତ୍ର ଅଭୟାରଣ୍ୟ ହୋଇ ରହିଛି । କାରଣ ଏଠି ଜଙ୍ଗଲ କମିବାକୁ ଲାଗିଛି ଆଉ କମି ଯାଇଛନ୍ତି ଜୀବଜନ୍ତୁ । ଦିନେ ହାତୀଙ୍କ ଏନ୍ତୁଡ଼ିଶାଳ ସାଜିଥିବା ଏହି ଅଭୟାରଣ୍ଯରେ ଏବେ ହାତୀଙ୍କ ପାଦ ଚିହ୍ନ ବି ଦେଖିବାକୁ ମିଳୁ ନାହିଁ ।

LAKHARI-2

ଗଜପତି ଜ଼ିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ଅଞ୍ଚଳ । ଏହା ନିକଟରେ ରହିଛି ଲଖାରୀ ଅଭୟାରଣ୍ଯ। କୁଇକନ୍ଧ ସମ୍ପ୍ରଦାୟର ଆଦିବାସୀଙ୍କ ଭାଷାରେ ଘଞ୍ଚ ଜଙ୍ଗଲକୁ କୁହାଯାଏ ଲଖାରୀ। ସେଇଥି ପାଇଁ ଏହି ସ୍ଥାନଟିର ନାଁ ରହିଛି ଲଖାରୀ l ୧୮୫.୮୬ ବର୍ଗ କିଲୋମିଟର ଅଞ୍ଚଳରେ ଗଜପତି ସମେତ ଗଞ୍ଜାମ ଜ଼ିଲ୍ଲାର ଭୀଷ୍ମଗିରି, ପୋଡ଼ାମାରି, ପାତ୍ରପୁର, ଘୋଡ଼ାହାଡ଼ ଆଦି ଅଞ୍ଚଳର ସୀମାକୁ ଲାଗି ରହିଛି ଏହି ଅଭୟାରଣ୍ଯ । ୮ ଫେବୃଆରୀ ୧୯୮୫ ମସିହାରେ ଏହାକୁ ମିଳିଥିଲା ଅଭୟାରଣ୍ଯର ମାନ୍ଯତା । ୯ଟି ଫରେଷ୍ଟ ଗାର୍ଡ ବିଟ୍‌କୁ ନେଇ ଗଠିତ ଏହି ଅଭୟାରଣ୍ଯ ବନ୍ଯ ଜୀବଜନ୍ତୁଙ୍କ ନିର୍ଭୟ ବିଚରଣ ସ୍ଥଳୀ ଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବହୁ ପୂର୍ବରୁ ଏଠାରେ ବାଘ, ଗୟଳ, ହାତୀ ସମେତ ବହୁ ମାଂସାସୀ ଏବଂ ତୃଣଭୋଜି ବନ୍ଯଜନ୍ତୁ ରହୁୁଥିଲେ ।

ସମୟ କ୍ରମେ ଜନବସତି ବଢିବା ଫଳରେ ଧୀରେ ଧୀରେ ଜଙ୍ଗଲ କ୍ଷୟ ହୋଇ ଚାଲିଲା। ବନବିଭାଗର ସୂଚନା ପ୍ରକାରେ ଲଖାରୀ ମଧ୍ୟରେ ଛୋଟବଡ଼ ୩୬ରୁ ଊର୍ଦ୍ଧ୍ୱ ଗାଁ ରହିଛି। ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ମଧ୍ୟ୍ଯ ଯୋଗାଇ ଦିଆଯାଇଛି। ଫଳରେ ଅଭୟାରଣ୍ଯ ମଧ୍ୟରେ ବସବାସ କରୁଥିବା ଲୋକେ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି । ସେମାନେ ପୋଡୁଚାଷ ମଧ୍ୟ କରନ୍ତି। ଏହାସହ ପଡୋଶୀ ଗଞ୍ଜାମ ଜ଼ିଲ୍ଲାର ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ମଧ୍ୟ ଲଖାରୀର ବନ୍ଯ ସମ୍ପଦ ଉପରେ ପଡ଼ିଛି। ଅଭୟାରଣ୍ଯ ମଧ୍ୟରେ ବେଧଡକ ଗଛକଟା ଏବଂ ପଶୁ ଶିକାର ଯୋଗୁଁ ଧୀରେ ଧୀରେ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି। ବନ୍ଯଜନ୍ତୁ ସଂଖ୍ଯା ମଧ୍ୟ ସମ୍ପୂର୍ଣ କମିଗଲାଣି। ଦିନେ ହାତୀ ମାନଙ୍କ ବାସସ୍ଥଳୀ ପାଲଟିଥିବା ଲଖାରୀରେ ଏବେ ଗୋଟିଏ ମଧ୍ୟ୍ଯ ହାତୀ ନାହାନ୍ତି। ବନ ବିଭାଗର ହିସାବ ଅନୁସାରେ କେବଳ ତିନିଟି କଲରାପତରିଆ, କିଛି ଗଧିଆ, ଭାଲୁ ଏବଂ ବିଲୁଆ ରହି ଯାଇଛନ୍ତି ଏଠି l

ଲଖାରୀ ନଷ୍ଟ ହେବାର ଏକ ପ୍ରମୁଖ କାରଣ ହେଉଛି ଅଭୟାରଣ୍ଯ ମଧ୍ୟରେ ଗଢିଉଠିଥିବା ଗ୍ରାମ ସବୁ । ଯଦିଓ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଭୟାରଣ୍ଯ ଛାଡି ଅନ୍ୟତ୍ର ଯିବା ପାଇଁ ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ସହ ଗୃହ, ରାସ୍ତା, ପାନୀୟ ଜଳ ଯୋଗାଣର ବନ୍ଦୋବସ୍ତ ରହିଛି କିନ୍ତୁ ସଚେତନତା ଅଭାବରୁ ସରକାରୀ ନୀତି କେବଳ କାଗଜପତ୍ରରେ ରହିଯାଇଛି ।
ଶେଷ ଥର ୨୦୧୫ ମସିହାରେ ଲଖାରୀରେ ୧୨ଟି ହାତୀ ଥିବା ଦେଖା ଯାଇଥିଲା। ଏହା ଭିତରେ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଲଖାରୀ କୋର ଜଙ୍ଗଲରେ ହାତୀ ନାହାନ୍ତି। ଘଞ୍ଚ ଜଙ୍ଗଲ ଏବଂ ପାଣିର ଅଭାବରୁ ସେମାନେ ଜାଗା ଛାଡ଼ି ଦେଇଛନ୍ତି । କିଛି ହାତୀ ଦିଗପହଣ୍ଡି ରେଞ୍ଜର ଘୋଡାହାଡ଼ ଡ୍ଯାମ ତଟରେ ରହିଥିବା ସୂଚନା ଦେଇଛନ୍ତି ଗଜପତି ଡିଏଫଓ । ତେବେ ବନବିଭାଗ ପକ୍ଷରୁ ଗତ ୫ ମାସ ପୂର୍ବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆଣି ଲଖାରୀରେ ୩୯ଟି ହରିଣ ଛଡ଼ାଯାଇଛି।

LAKHARI-3

ସେହିପରି ଲଖାରୀ ଅସୁରକ୍ଷିତ ହେବାର ମୁଖ୍ଯ କାରଣ ହେଲା ବନବିଭାଗରେ କର୍ମଚାରୀଙ୍କ ଅଭାବ । ବିଭାଗୀୟ ସୂଚନା ଅନୁଯାୟୀ ଜ଼ିଲ୍ଲାରେ ୪୦ ପ୍ରତିଶତ ବନରକ୍ଷୀ ସ୍ତରୀୟ କର୍ମଚାରୀ ପଦବି ଖାଲି ରହିଛି l ଜଙ୍ଗଲ ରକ୍ଷା ଏବଂ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ହେଉଛି ମଣିଷର ଦାୟିତ୍ୱ । ତେବେ ଏଥିପାଇଁ ସରକାରଙ୍କ ତରଫରୁ ସବୁ ଯୋଜନା ରହିଥିବା ବେଳେ ଲଖାରୀ ଆଜି ଅବହେଳିତ । ଏଠି ଜଙ୍ଗଲ ଜନ୍ତୁ କମୁଛନ୍ତି ଏବଂ ଘଞ୍ଚ ଜଙ୍ଗଲ ବି କମୁଛି। ଯାହା ଏହାର ନାଁକୁ ନିରର୍ଥକ କରି ଦେଇଛି । ଯେମିତି ଦିନେ ହାତୀ ଅଭୟାରଣ୍ୟ ଭାବେ ନାଁ କମେଇଥିବା ଏହି ଲଖାରୀରେ ଏବେ ହାତୀ ନାହାନ୍ତି । …ଆମେ ଆଶା କରୁଛୁ ଉଭୟ ବନବିଭାଗ, ସରକାର ଏବଂ ସ୍ଥାନୀୟ ଜନସାଧାରଣ ନିଜର ଭବିଷ୍ୟତ ପାଇଁ ଲଖାରୀର ରକ୍ଷା କରିବେ ।

ସୁମନ ପଟ୍ଟନାୟକ, ମୋହନା, କେ ନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.