ଭାଇର ମଙ୍ଗଳ କାମନା କରି ଦୁଇ କାନ୍ଧରେ ୭୦ ଲିଟର ପାଣି ଧରି ଲିଙ୍ଗରାଜ ମନ୍ଦିରରେ ପହଁଚିଲେ ଏହି ଯୁବକ, ଆଉ ତାପରେ..…

ବଡ଼ ଭାଇର ମଙ୍ଗଳ ଓ ଦୀର୍ଘାୟୁ କାମନା କରି ସାନଭାଇ କରିଛି ଏମିତି କାମ

(କେନ୍ୟୁଜ ) : ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାରରେ ଜଣେ ଯୁବକ ବସି ଭୋ ଭୋ ହୋଇ କାନ୍ଦିବାରେ ଲାଗିଥାନ୍ତି । ପାଖରେ ଥୁଆ ହୋଇ ଥାଏ ପାଣି ଭାର । ଦୁଇ କାନ୍ଧରେ ତିନିଟି ଲେଖାଁଏ ଷ୍ଟିଲ ଗରା । ଏ ଯୁବକ ଜଣକ ଏଠି କାନ୍ଦିବା ପଛର କାରଣ ମଧ୍ୟ ସେମିତି ହୃଦୟର ଗଭୀରତାକୁ ଭେଦ କରିଲା ଭଳି । ଆମେ ତ କହିବୁ ଆପଣ ଏ ତେବେ ଗୋଟିଏ ଫିଲ୍ମି କାହାଣୀ ଠାରୁ ଏକିଛି କମ ନୁହେଁ କହିଲେ ଭୁଲ ହେବନି । ପ୍ରଥମେ ଯୁବକ ଜଣଙ୍କ ନେଇଥିବା କଷ୍ଟ ଆଉ ଯନ୍ତ୍ରଣା ର ଦୃଶ୍ୟ ଥରେ ନିଜ ଆଖିରେ ଦେଖି ନିଅନ୍ତୁ । ଶ୍ରାବଣ ମାସ ପାଇଁ ସୋମବାରରେ ଲିଙ୍ଗରାଜ ମନ୍ଦିରକୁ ଆସନ୍ତି ଅନେକ କାଉଡିଆ ପାଣି ଭାର ଆଣି ଜଳ ଲାଗି କରିଥାନ୍ତି ପ୍ରଭୁ ଲିଙ୍ଗରାଜଙ୍କ ଉପରେ । ତେବେ ସେମାନଙ୍କ ଉପରେ ଖବର ସଂଗ୍ରହ ପାଇଁ ଆମେ ଯାଇଥାଉ ଲିଙ୍ଗରାଜ ମନ୍ଦିର ନିକଟକୁ । ଲିଙ୍ଗରାଜ ମନ୍ଦିର ଠାରୁ ଅନତି ଦୂରରେ ଯୁବକ ଜଣେ ଘର ପାହାଚ ରେ ବସି ଗୋଟିଏ ବାଲଟି ରୁ ପାଣି ବାହାର କରି ମୁଣ୍ଡରେ ଢ଼ାଳୁ ଥାନ୍ତି । ପ୍ୟାଣ୍ଟ ଗଞ୍ଜି ପରିଧାନ କରିଥାନ୍ତି । ଆଣ୍ଠୁରେ ନିକ୍ୟାପ, ଗୋଡ଼ରେ ଗୋଡ ପଟି ବନ୍ଧା ହୋଇ ଥାଏ । ଆମେ ଭାବିଲୁ ବୋଧହୁଏ ଲୋକ ଜଣଙ୍କର ମୁଣ୍ଡ କଣ ହୋଇ ଯାଉଛି ଖରାକୁ ତେଣୁ ପାଣି ଢ଼ାଳୁଛନ୍ତି । କିନ୍ତୁ ଏଆମର ଯାହା ଭାବନା ଥିଲା ବାସ୍ତବରେ ତାହା ନଥିଲା ।

କାହିଁକି ନା କିଛି ସମୟ ପରେ ଯୁବକ ଜଣଙ୍କ ରାସ୍ତା ଉପରକୁ ଆସି ରାସ୍ତା ଉପରେ ଥୁଆ ହୋଇ ଥିବା ଷ୍ଟିଲ ପାଣି ଗରା ଭାର କୁ ଚେଷ୍ଟା କରୁଥିଲେ କାନ୍ଧରେ ଉଠାଇବା ପାଇଁ । ଭାର ଦୁଇ ପାଖରେ ତିନି ତିନୋଟି ଲେଖାଏଁ ଷ୍ଟିଲ ଗରା । ତାତଳେ ଲୁହାର ଷ୍ଟାଣ୍ଡ l କାନ୍ଧରେ ବୋହିବା ପାଇଁ ମୋଟା ମୋଟା ବେତ ବାଡ଼ି ସାଙ୍ଗକୁ କାନ୍ଧ ନକାଟିବା ପାଇଁ ଟାୱେଲ ଗୋଡାଇ ଦିଆଯାଇଥାଏ । ଯୁବକ ଜଣଙ୍କ ସେହି ଓଜନିଆ ଭାରକୁ କାନ୍ଧରେ ବୋହି ବୋହି ଚାଲିବାକୁ ଲାଗିଲେ । ପଛରେ ବାଇକ ଗଡେଇ ଗଡେଇ ଚାଲୁ ଥାନ୍ତି ଜଣେ ବ୍ୟକ୍ତି । ଯୁବକ ଜଣଙ୍କ ପାଣି ଭାର ଧରି କିଛି ବାଟ ଚାଲୁ ଥାନ୍ତି ପାଦ ସମ୍ଭାଳି ସଂଭାଳି । କିନ୍ତୁ ଅଳ୍ପ ବାଟ ଗଲା ପରେ ଭାର ଥୋଇ ଦେଲେ । ଆଉ ପାରିଲେନି ଆଗକୁ ବଢ଼ିବା ପାଇଁ,ଏଣେ ପ୍ରଚଣ୍ଡ ଖରା ତାପ ।

ଆଗକୁ ଆଉ ଚାଲିନପାରି ଜଣଙ୍କ ଦୋକାନ ପିଣ୍ଢାରେ ବସି ପଡିଲେ ଯୁବକ ଜଣଙ୍କ । ତାଙ୍କର ଅବସ୍ଥା ଦେଖି ସ୍ଥାନୀୟ ଲୋକ କିଛି ଜଣ ଧାଇଁ ଆସିଲେ । ସେମାନଙ୍କ ମଧ୍ୟରୁ ଜଣେ ପେନ୍ ରିଲିଫ୍ ସ୍ପ୍ରେ ଦେଲେ । ଯୁବକ ଜଣଙ୍କ ସ୍ପ୍ରେ କରି ଟିକେ କଷ୍ଟରୁ ଉପଶମ ପାଇ ପୁଣି ଆସି ପାଣି ଭାର ପାଖରେ ପହଞ୍ଚିଲେ l ଆଉ ଭାର ବୋହିବାକୁ ଲାଗିଲେ । ଅନେକ କଷ୍ଟ ଯନ୍ତ୍ରଣା ହେଉଥିଲା ଭଳି ମନେ ହେଉଥିଲା । ଆଉ ଏକ ବହୁତ ସୁନ୍ଦର ଚିତ୍ର ଦେଖିବାକୁ ମିଳିଥିଲା ଯେ ଯୁବକଙ୍କ ସାହସ ଓ ମନୋବଳ ବଢ଼ାଇବା ପାଇଁ କିଛି ଲୋକ ଯୁବକଙ୍କ ସହିତ ପାଦରେ ପାଦ ମିଶାଇ ଚାଲୁଥିଲେ ।

ସେମାନେ ଯୁବକ ଜନଙ୍କୁ ସାହସ ଦେଉଥିଲେ ଚାଲ ଆଗକୁ ପାଦ ପକାଅ, ତୁମେ ପାରିବ ଆଉ ଅଳ୍ପ ବାଟ ରହିଲା କହି କହି ଚାଲିଥାନ୍ତି । ଶେଷରେ ବହୁତ କଷ୍ଟରେ ପାଦ ଟଳମଳ କରି ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ପାଖରେ ପହଂଚି ଗଲେ । ପହଁଚି ଯିବାର ଖୁସିରେ ଆଖିରୁ ବହି ଆସୁଥିଲା ଭକ୍ତି ଭରା ଲୁହ । କାନ୍ଧରେ ୭୦ ଲିଟର ପାଣି ଭାର ବୋହୁଥିବା ଏ ଯୁବକଙ୍କ ନାମ ନାମ ଶୁଭ୍ରଜିତ ସାହୁ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ସେ ଦିଲ୍ଲୀରେ ଏକ କମ୍ପାନୀରେ ଚାକିରୀ କରିଛନ୍ତି l ଆଉ ଆଜି ସେ ଆସିଛନ୍ତି ବଡ ଭାଇ ପାଇଁ ଶିବଙ୍କ ଉପରେ ପାଣି ଢ଼ାଳିବାକୁ । କାରଣ ଆଜି ଯଦି ସିଏ ପାଠ ପଢ଼ି ଇଞ୍ଜିନିୟର ଚାକିରି କରିଛନ୍ତି ତାହେଲେ କେବଳ ତାଙ୍କ ବଡ ଭାଇ ପାଇଁ । ବଡ ଭାଇଙ୍କ ଅବଦାନ ଓ ଅକ୍ଲାନ୍ତ ପରିଶ୍ରମ ପାଇଁ ଆଜି ସେ ଅଛନ୍ତି ।

କାରଣ ଛୁଆଟି ବେଳୁ ବାପା ମାଆଙ୍କ ଅନୁପସ୍ଥିତିକୁ କେବେ ଅନୁଭବ କରାଇଦେଇନାହାଁନ୍ତି ବଡ ଭାଇ । ବଡ଼ ଭାଇ ସବୁ ଭଲ ପାଇବା ଦେଇ ବଢ଼େଇ କୁଢେଇ ବଡ଼ କରିଛନ୍ତି । ତେଣୁ ଭାଇର ମଙ୍ଗଳ କାମନା କରି ସୁଦୂର କେନ୍ଦ୍ରାପଡ଼ା ରୁ କଟକ ଗଡ଼ଗଡ଼ିଆ ଘାଟ ଆସିଥିଲେ ଶୁଭ୍ରଜିତ । ସେଠାରୁ ଛଅଟି ଗରାରେ ସତୁରି ଲିଟର ପାଣି ଧରି ଭାର କରି ଚାଲି ଚାଲି ଆସି ପହଞ୍ଚି ଥିଲେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । ଏତେ ଲିଟର ପାଣି ସହିତ ବାହୁଙ୍ଗୀ ଲୁହା ଷ୍ଟାଣ୍ଡ ପାଖା ପାଖି ଶହେ କିଲୋ ଓଜନ ହେବ l ଏସବୁ ବୋହି ଏତେ ବାଟ ଚାଲିବା ସହଜ କଥା ନୁହେଁ ।

କିନ୍ତୁ ଏତେ କଷ୍ଟ ଯନ୍ତ୍ରଣାରେ ପାଣି ଭାର ନେଇ ପହଞ୍ଚିବା ପଛରେ ଭାଇ ପାଇଁ ଭାଇର ଉଦ୍ଦେଶ୍ୟକୁ ଦେଖି ସବୁ ଆଡେ ପ୍ରଶଂସା ସାଉଣ୍ଟୁ ଛନ୍ତି ଶୁଭ୍ରଜିତ । ଆଜିର ସମୟରେ ଭାଇ ପ୍ରତି ଭାଇର ଏଭଳି ଭଲ ପାଇବା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ନିଶ୍ଚିତ ।

ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେନ୍ୟୁଜ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.