Below header

ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ନିଜ ଲେଖନୀରୁ ଧାଡ଼ି ଧାଡ଼ି ଛାନ୍ଦ କବିତା ସୃଷ୍ଟି କରୁଛନ୍ତି ନନ୍ଦକିଶୋର

ସେ ଜଣେ ସାଧାରଣ ମଣିଷ, ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ । ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ଧାଡ଼ି ଧାଡ଼ି ଛାନ୍ଦ କବିତା ସୃଷ୍ଟି କରୁଛନ୍ତି ନିଜ ଲେଖନୀରୁ । ତାଙ୍କ କବିତା କୁ ନେଇ ସବୁଠି ଚର୍ଚ୍ଚା। ଗଣ୍ଡେ ଖାଇବା ପାଇଁ ଦାବି ନାହିଁ କି ଖଣ୍ଡେ ଦାମୀ କନାର ଡ୍ରେସ୍‌ ପିନ୍ଧିବାର ଆଗ୍ରହ ନାହିଁ । ହେଲେ ସମସ୍ତଙ୍କୁ କରୁଛନ୍ତି ଗୋଟିଏ ନିବେଦନ । ମୋ ବସ୍ତାରେ ବନ୍ଧା ଥିବା ଲେଖାଗୁଡ଼ିକୁ ସାଇତି ରଖ । ପାଠକଙ୍କ ପାଇଁ ଗୋଟିଏ ନିରାପଦ ସ୍ଥାନରେ ରଖିଦିଅ। ପାଠାଗାରଟିଏ ହେଲେ ଭଲ ହୁଅନ୍ତା । ଏତିକି ହୋଇଗଲେ, ସାରା ଜୀବନର ପରିଶ୍ରମ ସାର୍ଥକ ହୋଇଯିବ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ବି. ନୂଆପଲ୍ଲୀ ଗାଁ’ର ନନ୍ଦକିଶୋର ଏକଥା କହନ୍ତି। ଆଜି ମାତୃଭାଷା ଦିବସରେ ଆସନ୍ତୁ ଜାଣିବା ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବି.ନୂଆପଲ୍ଲୀ ଗାଁର ଏମିତି ଜଣେ ନିଆରା କବି ନନ୍ଦକିଶୋରଙ୍କ ବିଷୟରେ…

ନନ୍ଦକିଶୋର ପ୍ରଧାନଙ୍କ ବୟସ ୫୪ ବର୍ଷ। ସ୍କୁଲ ଦୁଆର ମାଡ଼ି ନାହାନ୍ତି। ହେଲେ ପାଟିରୁ ଅନର୍ଗଳ କବିତା ବାହାରୁଛି। ସେଥିରୁ ଅନେକ ପୁସ୍ତକ ଆକାରରେ ପ୍ରକାଶିତ ବି ହୋଇଛି । ଟ୍ୟୁସନ୍‌ରେ ଅକ୍ଷର ଶିଖିଥିଲେ। ତେବେ ନନ୍ଦକିଶୋର କୁହନ୍ତି, କବିସୂର୍ଯ୍ୟଙ୍କ ମାଟିରେ ଜନ୍ମ ତାଙ୍କର । ପାଠ ସିନା ପଢ଼ି ନାହିଁ ହେଲେ ଭଗବତୀଙ୍କ କରୁଣାରୁ ଲେଖି ଚାଲିଛି। ଘରେ ହେଉ କି ବାହାରେ, ସାଙ୍ଗସାଥୀ ମେଳରେ ଅବା ସଭାସମିତିରେ। କଥା କଥାରେ ତାଙ୍କ ମୁହଁରୁ ବାହାରି ଆସେ କବିତା। ସାଂପ୍ରତିକ ସମସ୍ୟା ହେଉ କି ଆଖି ଆଗରେ ପଡୁଥିବା ଘଟଣା। କବିତା ହୋଇଯାଏ ତାଙ୍କ କଣ୍ଠରେ। ତାପରେ ଘରକୁ ଆସି ସେବୁକୁ ‘ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଅନୁପ୍ରାସ ଢଙ୍ଗରେ କବିତା ଲେଖନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ କୁହନ୍ତି ଛନ୍ଦ କବି ନନ୍ଦ କିଶୋର।

ନନ୍ଦକିଶୋରଙ୍କ କବିତା ଗୁଡ଼ିକ ସଚେତନଧର୍ମୀ ଏବଂ ସମାଲୋଚନା ଓ ବ୍ୟଙ୍ଗ ଶୈଳୀରେ ରଚିତ। ମାତ୍ର ୧୫ ବର୍ଷ ବୟସରୁ ସେ ଏହି କବିତା ପ୍ରତି ଆକୃଷ୍ଟ ହୋଇଥିଲେ। କବିତା ଲେଖିବା ସହ ଚାଷକାର୍ଯ୍ୟ କରି ପରିବାର ଚଳାନ୍ତି। ଏବେ ସେ ଜଣେ ଚର୍ଚ୍ଚିତ କବି ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି । ଆଜି ପର୍ଯ୍ୟନ୍ତ ନନ୍ଦକିଶୋର ୩୦୦୦ ରୁ ଊର୍ଦ୍ଧ୍ବ କବିତା ଲେଖି ସାରିଲେଣି । ୧୮ ଛୋଟବଡ ବହି ସଂକଳନ କରିଛନ୍ତି । ହେଲେ ଗରିବ ଅବସ୍ଥା ଓ ଅର୍ଥାଭାବ ଯୋଗୁ ଲିଖିତ ପାଣ୍ଡୁଲିପି ଗୁଡ଼ିକୁ ଅଖାବସ୍ତା ଭିତରେ ବାନ୍ଧି ରଖିବାକୁ ପଡୁଛି। ନନ୍ଦକିଶୋରଙ୍କ କବିତା “ ଚିଲିକା ଦର୍ଶାନୀ କ୍ଷୋଭ “ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ରେ ଆଲୋଚନା ହେବା ପରେ ତାହାର ଇଂରାଜୀ ଅନୁବାଦ ଉତ୍ତର କୋରିଆରେ ପହଞ୍ଚିଥିଲା । ତାଙ୍କୁ ଉତ୍ତର କୋରିଆ ଯିବା ପାଇଁ ଡାକରା ବି ଆସିଥିଲା । ହେଲେ ପାସପୋର୍ଟ ଓ ଭିସା ହୋଇ ନପାରିବାରୁ ବିଦେଶ ଗସ୍ତ ଆଶା ମଉଳିଗଲା।
ତେବେ ନନ୍ଦକିଶୋରଙ୍କ ଭଳି ଜଣେ ବିରଳ ପ୍ରତିଭାଙ୍କୁ ପ୍ରୋତ୍ସାହନ ମିଳିଲେ ତାଙ୍କ ସୃଜନଶୀଳତା ପ୍ରତି ଶ୍ରେଷ୍ଠ ସମ୍ମାନ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.