ଆଜି ଜାତୀୟ କ୍ରୀଡ଼ା ଦିବସ, ମନେ ପଡ଼ନ୍ତି ଏହି ମହାନ୍ ଖେଳାଳି

ଆଜି ଜାତୀୟ କ୍ରୀଡ଼ା ଦିବସ। ପ୍ରତ୍ଯେକ ବର୍ଷ ୨୯ ଅଗଷ୍ଟ ଦିନ ରାଷ୍ଟ୍ରିୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ। ଏଥିସହ ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ।
ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନରେ ପ୍ରତ୍ଯେକ ବର୍ଷ ଭାରତ ସରକାର ଆଜିର ଦିନ ଅର୍ଥାତ ୨୯ ଅଗଷ୍ଟକୁ ରାଷ୍ଟ୍ରିୟ କ୍ରୀଡା ଦିବସ ରୂପେ ପାଳନ କରିଥାନ୍ତି। ଆଜିର ଦିନରେ ରାଷ୍ଟ୍ରପତି ନିଜେ କ୍ରୀଡାର ବିଭିନ୍ନ କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଥାନ୍ତି। ପ୍ରତ୍ଯେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ କ୍ରୀଡା ଦିବସ ପାଳନ କରାଯିବ। ଏଥିରେ ବିଭିନ୍ନ କ୍ରୀଡା କ୍ଷେତ୍ରରେ ସମୁଦାୟ ୩୨ ଜଣ ଖେଳାଳୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କୃତ କରିବେ।
ଜାଣନ୍ତୁ କିଏ ଥିଲେ ଧ୍ୟାନଚାନ୍ଦ:
ଧ୍ୟାନଚାନ୍ଦ ଥିଲେ ଭାରତୀୟ ହକିର ଚାନ୍ଦ। ବିଶ୍ବ ହକିର ଉଜ୍ଜ୍ବଳ ତାରକା। ସେ ପ୍ରାୟତଃ ରାତି ସମୟରେ ଅଭ୍ୟାସ କରୁଥିବାରୁ ସାଥୀ ଖେଳାଳିମାନେ ନାଁ ରଖିଥିଲେ ଧ୍ୟାନଚାନ୍ଦ। ଅଖଣ୍ଡ ଭାରତର ଏହି ରତ୍ନ କେବଳ ମାତ୍ର ଜଣେ ଖେଳାଳି ନଥିଲେ, ସେ ଥିଲେ ହକି ପଡ଼ିଆର ରହସ୍ୟମୟ ଯାଦୁଗର। ଅସାଧାରଣ ଷ୍ଟିକ୍ ଚାଳନା, ବିଚକ୍ଷଣ ବଲ୍ ନିୟନ୍ତ୍ରଣ ଓ ଗୋଲ୍ ବର୍ଷାର ଅବିଶ୍ବସନୀୟ କଳା ପାଇଁ କ୍ରୁର ହିଟଲର ବି ତାଙ୍କ ପ୍ରଶଂସକ ପାଲଟି ଯାଇଥିଲେ।
ଏହାସହ ପଢନ୍ତୁ: ପାଟିକରି ପଢି ଯୁବକ କଲେ ରେକର୍ଡ, ଲଗାତାର ୨୭ ଘଣ୍ଟାର ପରିଶ୍ରମ ଦେଲା ଗିନିଜ ବୁକ୍ରେ ସ୍ଥାନ
ଇଂରେଜ ସମୟ ଠାରୁ ଆରମ୍ଭ କରି ସ୍ବାଧୀନ ଭାରତ ପର୍ଯ୍ୟନ୍ତ ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଧ୍ୟାନଚାନ୍ଦ ଥିଲେ ଭାରତୀୟ ହକିର ଅପ୍ରତିଦ୍ବନ୍ଦ୍ବୀ ନାୟକ। ୧୯୨୬ରୁ ୧୯୪୯ ମଧ୍ୟରେ ବ୍ରିଟିଶ୍ ଇଣ୍ଡିଆ ଓ ସ୍ବୀଧୀନ ଭାରତର ପ୍ରତିନିଧିତ୍ବ କରି ୧୮୫ ମ୍ୟାଚ୍ରୁ ସେ କରିଥିଲେ ୫୭୦ ଗୋଲ୍ । ୧୯୨୮ରୁ ୧୯୩୬ ମଧ୍ୟରେ ଭାରତ ଲଗାତାର ତିନିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଧ୍ୟାନଚାନ୍ଦ। ଅବସର ନେବା ପରେ ମଧ୍ୟ ତାଙ୍କ ତେଜସ୍ବୀ ପ୍ରଭାବ ଭାରତୀୟ ହକି ଉପରେ ରହିଥିଲା। ସେଥିପାଇଁ ୧୯୨୮ରୁ ୧୯୬୪ ମଧ୍ୟରେ ଭାରତ ୮ରୁ ୭ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତି ନେଇଥିଲା। ଭାରତୀୟ ହକିର ସେହି ପ୍ରବାଦ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅବସରରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଆସୁଛି।