Below header

୧୨ ଜୁଲାଇ ପରେ ଆଗାମୀ ଚାରି ମାସ ପର୍ଯ୍ୟନ୍ତ ସବୁ ଶୁଭ କାର୍ଯ୍ୟରେ ଲାଗିବ ରୋକ, ଜାଣନ୍ତୁ କାହିଁକି

ହିନ୍ଦୁ ଧର୍ମରେ କୌଣସିବି ଶୁଭକାମ କରିବା ପୂର୍ବରୁ ମୁହୂର୍ତ୍ତ ଏବଂ କାଳ ବା ସମୟକୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ । ଆସନ୍ତା ଜୁଲାଇ ୧୨ ତାରିଖ ପର ଠାରୁ ଆଗାମୀ ୪ ମାସ ପର୍ଯ୍ୟନ୍ତ କୌଣସି ପ୍ରକାର ଶୁଭକାର୍ଯ୍ୟ କରାଯାଇ ପାରିବ ନାହିଁ । ଜୁଲାଇ ୧୨ ତାରିଖରେ ପଡୁଛି ଦେବଶୟନୀ ଏକାଦଶୀ । ଏହି ଦିନଠାରୁ ୪ ମାସ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ଯୋଗନିଦ୍ରାକୁ ଚାଲିଯିବେ । ଭଗବାନଙ୍କର ଏହି ଚାରିମାସର ନିଦ୍ରାକୁ ଚତୁର୍ମାସ କୁହାଯାଇଥାଏ ଏବଂ ଚତୁର୍ମାସରେ କୌଣସି ବି ଶୁଭକାମ କରାଯାଇନଥାଏ । ଶାସ୍ତ୍ରରେ ଏହି ଚାରି ମାସରେ ଧର୍ମକର୍ମ, ପୂଜାପାଠ ଓ ଭଜନକୀର୍ତ୍ତନକୁ ବିଶେଷ ଭାବେ ମହତ୍ତ୍ୱ ଦିଆଯାଇଥାଏ ।

ଦେବଶୟନୀ ଏକାଦଶୀର ମହତ୍ତ୍ୱ

ଧାର୍ମିକ ଦୃଷ୍ଟିରୁ ଏହି ଚାରିମାସ ଭଗବାନଙ୍କ ନିଦ୍ରାକାଳ ବୋଲି ମାନ୍ୟତା ରହିଛି । ଚିକିତ୍ସା ବିଜ୍ଞାନ ଅନୁସାରେ ଏହି ସମୟରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ କିରଣ ପୃଥିବୀ ଉପରେ କମ ପଡିଥାଏ । ଜଳର ମାତ୍ରା ଅଧିକ ହୋଇଯାଏ । ଏହି ସମୟରେ ଅନେକ କୀଟ ପତଙ୍ଗ ଜନ୍ମ ହୋଇଥାନ୍ତି । ଆଉ ସେମାନେ ବିଭିନ୍ନ ରୋଗର କାରଣ ହୋଇଥାନ୍ତି । ସେଥିପାଇଁ ସାଧୁ ,ସନ୍ଥ ଓ ତପସ୍ୱୀମାନେ ଏହି ସମୟରେ ଗୋଟିଏ ସ୍ଥାନରେ ରହି ଜପ ତପ, ସାଧନା,ସ୍ୱାଧ୍ୟାୟ ଓ ପ୍ରବଚନ ଆଦି କରିଥାନ୍ତି । ଏହି ସମୟରେ କେବଳ ବୃନ୍ଦାବନା ଯାତ୍ରା କରାଯାଇ ପାରେ । କାରଣ ଏହି ମାସଗୁଡିକରେ ଭୂମଣ୍ଡଳର ସମସ୍ତ ତୀର୍ଥ ବ୍ରଜ ବା ବୃନ୍ଦାବନରେ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

୧୨ ଜୁଲାଇ ପର୍ଯ୍ୟନ୍ତ ଅଛି ବିବାହର ଶୁଭ ମୁହୂର୍ତ୍ତ

ଜ୍ୟୋତିଷଚାର୍ଯ୍ୟ ଅନୁସାରେ ବିବାହ ପାଇଁ କେବଳ ୧୦ ଓ ୧୧ ଜୁଲାଇକୁ ଭଲ ମୁହୂର୍ତ୍ତ ଅଛି । ୧୨ ଜୁଲାଇ ପରେ ବିବାହ ପାଇଁ ଆଉ ଶୁଭ ମୁହୂର୍ତ୍ତ ନାହିଁ । ଏହାପରେ ପୁଣି ନଭେମ୍ବର ୮ ତାରିଖକୁ ଦେବଉଠାଣି ଏକାଦଶୀ ଠାରୁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବ ।
ଦେବଉଠାଣି ଏକାଦଶୀ ପରେ ଥିବା ବିବାହର ଶୁଭ ମୁହୂର୍ତ୍ତ ଗୁଡିକ ହେଲା ନଭେମ୍ବର ୧୯, ୨୦, ୨୧, ୨୨, ୨୩, ୨୮ ଓ ୩୦ ତାରିଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.