Below header

ଦେହରେ ରୋଗ କିନ୍ତୁ ମନରେ ଅସୁମାରୀ ଆଶା, ମାତ୍ର ୧୫ ବର୍ଷ ବୟସରେ ଦୁଇ ଭାଇଙ୍କ ବୋଝ ମୁଣ୍ଡାଇ ଭାଗ୍ୟକୁ ଆଦରି ଜୀବନ ପାଇଁ ସଂଘର୍ଷ କରିଚାଲିଛି ଜେମା

ନୁଖୁରା ମୁଣ୍ଡ ନିରୀହ ଚେହେରା, ନାଁଟି ତାର ଜେମା । ଏଇଥର ମାଟ୍ରିକ୍ ପରୀକ୍ଷା ଦେଇଛି । ପାଠ ପଢ଼ି ବଡ଼ ମଣିଷ ହେବାକୁ ଭାରି ଇଚ୍ଛା । ହେଲେ ଖାଲି ଇଚ୍ଛା ଥିଲେ ତ ହେବନି । ଏହି ଦୁନିଆଁରେ ବଞ୍ଚିବାକୁ ହେଲେ ଦରକାର ଟଙ୍କା , ଯାହା ଜେମା ପାଖରେ ନାହିଁ । ରାଜଧାନୀ ଭୁବନେଶ୍ୱରରେ ରହି ନିଜେ ପାଠ ପଢୁଛି ଆଉ ଦୁଇ ଭାଇଙ୍କୁ ପଢ଼ାଉଛି । ବୟସ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କ।ହିଁକିନା ଜେମାର ବୟସ ମାତ୍ର ୧୫ କି ୧୬ ବର୍ଷ ହେବ । ଆଉ ଏହି ବୟସରେ ସେ ଯେଉଁ କାମ କରୁଛି ତାହା ଜାଣିଲେ ଆପଣ ତାକୁ ପ୍ରଶଂସା ନ କରି ରହିପାରିବେନି।

jemaaଜେମା ରାତିରେ ଗୋଟିଏ ଚିଙ୍ଗୁଡ଼ି ଫ୍ୟାକଟ୍ରିରେ କାମ କରେ ଆଉ ଦିନରେ ପଢ଼େ । ରୋଜଗାର ପଇସାରେ ଘର ଖର୍ଚ୍ଚ ସହ ପଢ଼ା ଖର୍ଚ୍ଚ ତୁଲାଇବାକୁ ଚେଷ୍ଟା କରେ ହେଲେ ପାରେ ନାହିଁ । ତଥାପି କୁନି ବୟସରେ କରିଚାଲିଛି ସଂଘର୍ଷ । ଯାବତୀୟ ଘର କାମ ସାଙ୍ଗକୁ ଦୁଇ ଭାଇଙ୍କ ଦେଖାଶୁଣା । ସବୁବେଳେ କାମରେ ଲାଗିଥାଏ ଝିଅଟି । କାହା ସହ କଥା ହେବାକୁ କି ନିଜ ଦୁଃଖ କଥା କହିବାକୁ ତା ପାଖରେ ସମୟନାହିଁ । କାରଣ ସିଏ ଖଟିଲେ ପରିବାର ଚଳିବ, ସିଏ ରାନ୍ଧିଲେ ପେଟକୁ ଦାନା ଯିବ ।

jemaଖାଲି ଦାରିଦ୍ର୍ୟ ନୁହେଁ ତା ସାଙ୍ଗକୁ ରୋଗ ବି ଦାଉ ସାଧିଛି ଜେମା ଉପରେ । ଦେହରେ ଟ୍ୟୁମର ଧରି ବୁଲୁଛି । ଡାକ୍ତରଖାନା ଯାଇଥିଲା ଯେ ତାକୁ ବିଭିନ୍ନ ଡକୁମେଣ୍ଟ ମଗାଗଲା । ଯାହା ନା ସେ ବୁଝି ପାରିଲା ନା ରୋଗକୁ ଭଲ କରିବା ପାଇଁ ତା ପାଖରେ ଟଙ୍କା ଅଛି । ତେଣୁ ନିଜ ଦେହରେ ରୋଗ ମାରି ସେମିତି ଖଟି ଚାଲିଛି ନିଜର ଦୁଇ ଭାଇଙ୍କପାଇଁ । ଭୁବନେଶ୍ୱର ମଞ୍ଚେଶ୍ୱର ତାରିଣୀ ବସ୍ତି । ସେଇଠି ଏକ ଛୋଟିଆ କୋଠରୀରେ ରହୁଛନ୍ତି ତିନି ଭାଇ ଭଉଣୀ । କିଛି ବର୍ଷ ତଳେ ମା କୁଆଡ଼େ ଚାଲିଗଲା । ଦୁଇ ବର୍ଷ ହେଲା ବାପା ଆରପାରିକୁ ଚାଲିଯାଇଥିଲେ। ସେଥିପାଇଁ ବର୍ତ୍ତମାନ ପୂରା ପରିବାରର ବୋଝ ଜେମାର କୁନି କାନ୍ଧ ଉପରେ ।

ସରକାର ରାଜ୍ୟରେ ଶିକ୍ଷାର ପ୍ରସାର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଗାଁ ଗହଳିରେ ଶିକ୍ଷକମାନଙ୍କୁ ତାଗିଦ କରାଯାଇଛି ପିଲା ଯୋଗାଡ଼ କରି ସ୍କୁଲରେ ଉପସ୍ଥାନ ବଢ଼ାଇବାକୁ । ହେଲେ ରାଜଧାନୀର ଅନ୍ଧାରିଆ ବସ୍ତି ଭିତରେ ବି ଜେମା ଭଳି ଅନେକ ବଣମଲ୍ଲୀ ଏମିତି ମଉଳି ଯାଉଛନ୍ତି । କିଏ ଗୁଣିଆ ଆସିବ ଯେ ତାର ଗୁଣ ଚିହ୍ନିବ । ଆଉ ଅଭିଶପ୍ତ ଜୀବନରୁ ମୁକ୍ତି ମିଳିବ ଜେମା ଓ ତାର ଦୁଇ ଭାଇଙ୍କୁ ।

କେନ୍ୟୁଜ୍ ତରଫରୁ ଆମେ ଅନୁରୋଧ କରୁଛୁ ଏଭଳି ଏକ ପ୍ରତିଭାକୁ ଅକାଳରେ ଝଡ଼ି ଯିବାକୁ ଦିଆନଯାଉ । ଟିକିଏ ସହାୟତା ପାଇଲେ ନିଜ ପରିବାରକୁ ବଞ୍ଚାଇ ପାରିବା ସହ ନିଜକୁ ଜଣେ ଭଲ ଛାତ୍ରୀ ଭାବେ ପ୍ରମାଣିତ କରି ପାରିବ ଜେମା ।

ଜେମାର ଯୋଗାଯୋଗ ଠିକଣା ହେଲା-
ନାମ : ଜେମା ଛତର
ଠିକଣା : ଝରଣା ସାହି, ମଞ୍ଚେଶ୍ୱର
ମୋବାଇଲ୍ ନମ୍ବର- ୯୭୭୭୦୪୯୬୩୬

ଜେମାଙ୍କୁ ସାହାଯ୍ୟ କରିବାକୁ ଚାଁହୁଥିଲେ ଆପଣ ତଳେ ଦିଆଯାଇଥିବା ଏହି ଆକାଉଣ୍ଟରେ ଟଙ୍କା ପଠାଇ ପାରିବେ।ଆପଣଙ୍କର ଏହି ଛୋଟ ସାହାଯ୍ୟ ହୁଏତ ଏହି କୁନି ଝିଅଟିର ଭାଗ୍ୟ ବଦଳାଇ ଦେଇପାରିବ।

jema

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.