ଜୁନ- ଜୁଲାଇରେ ପଙ୍ଗପାଳ ଓଡ଼ିଶା ଆସି ବ୍ୟାପକ କ୍ଷତି କରିପାରନ୍ତି, ସତର୍କ କଲା ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ

କେନ୍ୟୁଜ୍ (ବ୍ୟୁରୋ): ଜୁନ-ଜୁଲାଇରେ ଓଡ଼ିଶାକୁ ରହିଛି ପଙ୍ଗପାଳ ଭୟ। ଏନେଇ ସତର୍କ କରିଛି ଜାତିସଂଘ। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ସ୍ଥିତି ଅନୁଧ୍ୟାନ ପରେ ଏଭଳି ସତର୍କବାଣୀ କରାଯାଇଛି। ଗତ ମେ’ ୪ ତାରିଖରେ ରାଜସ୍ଥାନରେ ଜୟସଲମେର ଓ ଯୋଧପୁରରେ ପଙ୍ଗପାଳଙ୍କର ଏକ ଛୋଟ ଦଳ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ପରେ ଏମାନେ ବିଶାଳ ଦଳରେ ସୃଷ୍ଟି ହୋଇ ପଶ୍ଚିମ ଦିଗରେ ଗତି କରି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଜୁନ ମାସରେ ଇରାନ୍ ଓ ପାକିସ୍ତାନ ପଟୁ ବିଶାଳ ପଙ୍ଗପାଳ ଦଳ ରାଜସ୍ଥାନକୁ ଆସୁଥିବା ରିପୋର୍ଟରେ କୁହାଯାଇଛି । ସେହିପରି ଜୁଲାଇରେ ପୂର୍ବ ଆଫ୍ରିକା ଦେଇ ପଙ୍ଗପାଳ ଗୁଜରାଟ, ରାଜସ୍ଥାନକୁ ଆସିବେ। ମୌସୁମୀ ବର୍ଷା ଜାରି ରହିବା ଦ୍ୱାରା ଏମାନେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ବିହାର ଏବଂ ଓଡ଼ିଶା ଆସିପାରନ୍ତି । ଏହି ସମୟରେ ପଙ୍ଗପାଳ ଶସ୍ୟରେ ଲୁଚିରହି ବ୍ୟାପକ କ୍ଷତି କରିବାର ଆଶଙ୍କା ରହିଛି ।

ମିିଳିତ ଜାତିସଂଘ ଦ୍ୱାରା ପରିଚାଳିତ ଫୁଡ ଆଣ୍ଡ ଆଗ୍ରିକଲଚର ଅର୍ଗାନାଇଜେସନ ବା ଖାଦ୍ୟ ଓ କୃଷି ସଂଗଠନ ୧୯୪୫ ମସିହାରୁ କାମ କରିଆସୁଛି । ଖାଦ୍ୟ ସୁରକ୍ଷା ଓ କ୍ଷୁଧା ନିବାରଣ ଉପରେ ଏହା ଗୁରୁତ୍ୱ ଦେଉଛି । ରୋମରେ ଏହାର ମୁଖ୍ୟାଳୟ ଥିବା ବେଳେ ଏଥିସହ ୧୩୦ଟି ଦେଶ ସଂପୃକ୍ତ ଅଛନ୍ତି । ନିକଟରେ ପଙ୍ଗପାଳ ଦଳ ଛତିଶଗଡ଼ରୁ ମଧ୍ୟପ୍ରଦେଶ ଫେରିଯାଇଛନ୍ତି । ତେବେ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ମୁକାବିଲା ପାଇଁ ଜିଲ୍ଲା ସ୍ତରରେ କମିିଟି ଗଠନ କରାଯିବା ସହ ଅଗ୍ନିଶମ ବାହିନୀକୁ ଆଲର୍ଟରେ ରଖାଯାଇଛି । ମୁକାବିଲା ପାଇଁ ରାଜ୍ୟକୁ ତିନିଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱର କୃଷି ଭବନରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.