ବିଭିନ୍ନ କାରଣରୁ ହସ୍ତତନ୍ତ ବୃତ୍ତିରୁ ମୁହଁ ଫେରାଇ ନେଉଛନ୍ତି ଏହି ପିତ୍ତଳ ଗାଁ ଲୋକେ

ଦିନ ଥିଲା ଗଞ୍ଜାମ ଜିଲ୍ଲା ପିତ୍ତଳ ଗାଁର ୩୦୦ରୁ ଉର୍ଦ୍ଧ୍ଵ ପରିବାର ହସ୍ତତନ୍ତ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ କାରଣରୁ ଏହି ବୃତ୍ତିରୁ ମୁହଁ ଫେରାଇ ଏବେ ମାତ୍ର ୧୦୦ ପରିବାର ଏହି ପେଶା ସହ ଜଡ଼ିତ ରହିଛନ୍ତି ।

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ୨୨ଟି ପଞ୍ଚାୟତକୁ ନେଇ ଗଠନ ହୋଇଥିବା ବେଳେ ପିତ୍ତଳ ପଞ୍ଚାୟତ ବ୍ଲକର ସବୁଠାରୁ ବଡ଼ ପଞ୍ଚାୟତ। ଏହି ପଞ୍ଚାୟତ ପିତ୍ତଳ,ସନ୍ତୋଷପୁର, ଚଷାପିତ୍ତଳ ଓ ପାକିଡି ଏହି ଚାରିଟି ଗ୍ରାମକୁ ନେଇ ଗଠିତ ହୋଇଛି । ଏହି ଗାଁ ରେ କିଛି ପରିବାର ପିତ୍ତଳ ଧାତୁ ରେ ବିଭିନ୍ନ ଘରେଇ ଉପକରଣ କାରୁକାର୍ଯ୍ୟ ର୍ନିମାଣ କରୁଥିବା ହେତୁ ଗାଁର ନାମ ପିତ୍ତଳ ବୋଲି ନାମକରଣ ହେଇଥିବା କୁହାଯାଉ ଥିବାବେଳେ, ଆଉ କେହି ସଠିକ୍‌ ତଥ୍ୟ ଉପଲବ୍ଧ ନଥିବା କହନ୍ତି। ଗୋପାଳପୁର- ରାୟପୁର ଜାତୀୟ ରାଜପଥ ୫୯ ରାସ୍ତା କଡ ଠାରୁ ମାତ୍ର ତିନି କିଲୋମିଟର ଗଲେ ପରେ ପଡ଼େ ପିତଳ ଗାଁ । ଏହି ଗାଁରୁ ସୁସାହିତ୍ୟିକ,ବିଶିଷ୍ଟ ଚିତ୍ରକାର ଓ ସଙ୍ଗୀତ ନିର୍ଦ୍ଦେଶକ ଜନ୍ମ ହୋଇଛନ୍ତି। ଏଠାର ଲୋକେ ଶିକ୍ଷିତ ହୋଇଥିବା ବେଳେ ଅଧିକାଂଶ ପରିବାର ଚାଷ କାର୍ଯ୍ୟ,ହସ୍ତତନ୍ତ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।

ଦିନ ଥିଲା ୩୦୦ରୁ ଉର୍ଦ୍ଧ୍ଵ ପରିବାର ହସ୍ତତନ୍ତ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ କାରଣରୁ ଏହି ବୃତ୍ତିରୁ ମୁହଁ ଫେରାଇ ଏବେ ମାତ୍ର ୧୦୦ ପରିବାର ଏହି ପେଶା ସହ ଜଡ଼ିତ ରହିଛନ୍ତି । ଗାଁ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସକ୍ରିୟ ରହି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ଗାଁରେ ୧୦ରୁ ଉର୍ଦ୍ଧ୍ଵ ପୁରୁଣା ମଠ ଓ ମନ୍ଦିର ରହିଛି।ପିତ୍ତଳ ଗାଁ ରେ ପ୍ରାୟ ସବୁ ଜାତିର ଲୋକେ ଠାରେ ବସବାସ କରନ୍ତି । ଶିକ୍ଷା,ଗମନାଗମନ,ବ୍ୟବସାୟ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ପିତଳ ଗ୍ରାମ ଶେରଗଡ଼ ବ୍ଳକରେ ଏକ ସ୍ୱତନ୍ତ୍ରତା ନା ରହିଛି।

ଚାରିଟି ଗାଁର ୧୮ଟି ୱାର୍ଡ଼କୁ ନେଇ ପିତ୍ତଳ ପଞ୍ଚାୟତ ତିଆରି ହୋଇଛି। ପ୍ରାୟ ଏକ ହଜାର ଘର ରହିଥିବା ବେଳେ ଜନସଂଖ୍ୟା ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ଵ ଲୋକେ ରହିଛନ୍ତି। ଏଠାରେ ପୁରୁଷ ଭୋଟର ୩୮୮୮, ମହିଳା ଭୋଟର ୩୩୪୪ ରହିଥିବା ବେଳେ ୨୮୦୦ରୁ ଉର୍ଦ୍ଧ୍ଵ ଶିଶୁ,ନାବାଳକ ଓ ନାବାଳିକା ଗାଁ ରେ ବାସ କରନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ ଏହି ଗାଁର ରାସ୍ତାଘାଟ,ପ୍ରାଥମିକ ବିଦ୍ୟାଳୟ,ହାଇସ୍କୁଲ,ଓ ବିକାଶମୂଳକ କାର୍ଯ୍ୟରେ ଅଗ୍ରଗତି ହୋଇଛି । ହେଲେ ମେଡିକାଲ୍‌ ରେ ବହୁ ବର୍ଷ ଧରି ସ୍ଥାୟୀ ଡାକ୍ତର ନଥିବା ବେଳେ ଅନେକ ଅବ୍ୟବସ୍ଥା ଲାଗି ରହିଛି । ଜାତୀୟ ରାଜପଥରୁ ପିତଳ ଗାଁକୁ ଯିବା ମୁଖ୍ୟ ରାସ୍ତାରେ ଅନ୍ଧାର ହେତୁ ଛାତ୍ର,ଛାତ୍ରୀଙ୍କ ଯିବା ଆସିବା ରେ ଅସୁବିଧା ରହିଛି।

ଗାଁ ରେ ପିଇବା ପାଣିର ସମସ୍ୟା କିଛି ମାତ୍ରା ରେ ସୁଧାରି ଥିବା ବେଳେ ଚଳିତ ଗ୍ରୀଷ୍ମ ଋତୁରେ ପାଣି ସମସ୍ଯାର ସମାଧାନ ହୋଇ ପାରୁନି । ଗାଁ ରେ ଭଲ ଶ୍ମଶାନ ନଥିବାରୁ ଗାଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ରେ ବହୁ ସ୍ଥାନରେ ଡ୍ରେନ୍ ନଥିବାରୁ ବର୍ଷା ଦିନେ ରାସ୍ତାକୁ ପାଣି ଆସୁଛି। ଆଉ କେଉଁଠି ଡ୍ରେନ୍‌ ପୋତି ହୋଇ ରହିଛି । ଗାଁରେ ବ୍ୟାଙ୍କ ସୁବିଧା ନଥିବାରୁ ଟଙ୍କା କାରବାର ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିତଳ ଗାଁ ରେ ଡେରା,ରଙ୍ଗୁଣୀ ଜାତିର ଲୋକେ ପାଟ ଲୁଗା ଓ ଶାଢ଼ୀ ବୁଣି ଜୀବନ ର୍ନିବାହ କରୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଣାକାର ପରିବାକୁ ସୋଲାର ପ୍ୟାନେଲ, ଇନ୍‌ ଭରଟର (ବ୍ୟାଟେରୀ ଆଉ ମେସିନ) ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବା ବେଳେ ପିତ୍ତଳ ତନ୍ତୁବାୟ ସମିତିର ପାତ୍ରଅନ୍ତର ନୀତି ଯୋଗୁଁ ଅନେକ ପରିବାର ଏଥରୁ ବାଦ୍‌ ପଡିଛନ୍ତି । ଆଗାମୀ ଦିନରେ ହସ୍ତତନ୍ତ କଳାକୁ ପିତ୍ତଳ ଗାଁରେ ବଞ୍ଚାଇ ରଖିବାକୁ ହେଲେ ସରକାର ହସ୍ତତନ୍ତ କାର୍ଯ୍ୟ କରୁଥିବା ଲୋକଙ୍କ ସମସ୍ୟାକୁ ଅନୁଧ୍ୟାନ କରି ସେମାନଙ୍କ ଦୁଃଖ ବୁଝିଲେ କଳା ବଞ୍ଚିରହିବ। ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ ସମିତିସଭ୍ୟଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଗାଁର ଜୀବନୀ,ଚଳଣି ଓ ସମସ୍ୟା କଥା ଦେଖିଲେ ଓ ଶୁଣିଲେ। ଯଦି ଏଥି ପ୍ରତି ପ୍ରଶାସନ ଯତ୍ନବାନ ହୋଇ ଆବଶ୍ୟକ ସୁବିଧା ଯୋଗାଇ ଦିଅନ୍ତା ତେବେ ପିତ୍ତଳ ଗାଁର ଉନ୍ନତି ହୋଇପାରନ୍ତା।