ଆମେ ଘରେ ସେମାନେ ବାହାରେ, ଆମ ସୁରକ୍ଷା ତାଙ୍କ ଦାୟିତ୍ୱ ଆଉ ତାଙ୍କ ସୁରକ୍ଷା ?

ପୋଲିସ୍‌ । ଏଇ ନାଁଟା ଶୁଣିଲେ ଆଗରୁ ଯେମିତି ଛାନିଆ ଲାଗୁଥିଲା ଆଉ ସେଭଳି ଲାଗୁନି । ଖାକି ବର୍ଦ୍ଦିକୁ ଦୂରରୁ ଦେଖିଲେ ଛାତି ଥରି ଉଠୁଥିଲା । ହେଲେ ସେ ବେଳା ଆଉ ନାହିଁ । କାରଣ ସମୟ କ୍ରମେ ପୋଲିସ୍‌ ସିଧାସଳଖ ସାଜିଛି ଜନତାର ବନ୍ଧୁ । ଏକଥା ସତ ଯେ ସାଧାରଣ ଲୋକଙ୍କର ସବୁବେଳେ ପୋଲିସ୍‌ ପ୍ରତି ଏ ନକାରାତ୍ମକ ଚିନ୍ତାଧାରା ରହିଛି । ହେଲେ ବର୍ତ୍ତମାନ କରୋନା ଭୟରେ ଘରେ ବସିଥିବା ଲୋକମାନେ ଯଦି ପ୍ରତିଦିନ ଖବର ପଢୁଥିବେ ଓ ଦେଖୁଥିବେ ତେବେ ରାସ୍ତା ଉପରେ କେବଳ ଦେଖୁଥିବେ ଏହି ଖାକି ପୋଷାକଧାରୀଙ୍କୁ । ଯିଏ ଏବେ ଆମକୁ ରକ୍ଷା କରିବା ପାଇଁ, ଆମର ଜୀବନକୁ ବଞ୍ଚାଇବା ପାଇଁ ଦିନରାତି ଏକ କରି ଦେଇଛନ୍ତି ।

POLICE-1ଆପଣମାନେ ସମସ୍ତେ ଦେଖିଥିବେ ଆମେ ଯେମିତି କରୋନା ଠାରୁ ଦୂରେଇ ଘରେ ସୁରକ୍ଷିତ ରହିବା ଏବଂ ଆମ ପରିବାର ସୁସ୍ଥରେ ରହିବ ତାକୁ ନେଇ ପୋଲିସ୍‌ ଅନେକ ପଦକ୍ଷେପ ନେଇଛି । କରୋନାର ଭୟାବହତା ସମ୍ପର୍କରେ ଆମକୁ ସଚେତନ କରାଉଛି । ଆଉ କେବଳ ଅମାନିଆଙ୍କ ପାଇଁ କଠୋର ହୋଇଛି । କାରଣ ଏଭଳି ବ୍ୟବହାର କରିବା ବର୍ତ୍ତମାନ ସମୟରେ ନିହାତି ଜରୁରୀ ହୋଇପଡ଼ିଛି । ତେଣୁ କେଉଁଠି ମାଡ଼ ମାରୁଛି, ଆଉ କେଉଁଠି ଗାଡ଼ି ଜବତ କରି ନେଉଛି । ତେବେ ଚିନ୍ତା କରନ୍ତୁ ତ ? ଏ କାମ କଣ ପୋଲିସ୍‌ କେବଳ ତାର ପାଓ୍ଵାର ଦେଖାଇବା ପାଇଁ କରୁଛି କି ? ସେହି କଥାଟି ଟିକେ ଭଲ କରି ବୁଝନ୍ତୁ ।

POLICE-2ଟ୍ରାଫିକ୍‌ ନିୟମ କଡ଼ାକଡ଼ି ବେଳେ ଲୋକେ ପୋଲିସ୍‌ ଉପରେ ଖପ୍ପା ହୋଇଥିଲେ । ସେତେବେଳେ ବି ଆମମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ କଠୋର ହେବାକୁ ପଡ଼ିଥିଲା । ତେବେ ଏଠି ଆଉ ଗୋଟିଏ କଥା ବି କହିବା ଜରୁରୀ ଯେ ପୋଲିସ୍‌ ଏସବୁ ନିଜେ କରୁ ନାହିଁ କି ନିୟମଗୁଡ଼ିକୁ ନିଜେ ତିଆରି କରି ନାହିଁ । ସରକାରଙ୍କ ନିର୍ଦ୍ଦେଶକୁ କେବଳ ପାଳନ କରୁଛି । ତେଣୁ ପୋଲିସ୍‌ ଭାଇମାନଙ୍କର ଭୁଲ ରହିଲା କେଉଁଠି । ଆମମାଙ୍କୁ ମୃତ୍ୟୁ ଆଡ଼ରୁ ଯଦି ଜୀବନ ଆଡ଼କୁ ନେଇଯିବା ପାଇଁ ସେମାନେ ଟିକେ ଶକ୍ତ ହୋଇଛନ୍ତି ତେବେ ଏଥିରେ ତ ଆଦୌ ଭୁଲ ନାହିଁ ।

POLICE-3ଆଉ ଗୋଟିଏ କଥା ହେଉଛି, ବର୍ତ୍ତମାନ ସମୟରେ ପୋଲିସ୍‌ର ନିଷ୍ଠା ମାନବ ସେବା ଏମିତିକି ପ୍ରାଣୀଙ୍କ ସେବା କରିବାରେ ପୋଲିସ୍‌ ପଛାଇ ନାହିଁ କି ହେଳା କରି ନାହିଁ । ସୀମାରେ ଆମକୁ ଦିନରାତି ସୁରକ୍ଷା ଦେଉଥିବା ଯବାନ୍‌ଙ୍କ ଭଳି ଦେଶ ଭିତରେ ଆମକୁ ସୁରକ୍ଷିତ ରଖିବାକୁ ଜାଗ୍ରତ ପ୍ରହରୀ ହୋଇ ଅହରହ ଉଦ୍ୟମ ଚଳାଇଛି ପୋଲିସ୍‌ । ତଥାପି ଆମେ ସେମାନଙ୍କ କଥା ମାନୁନାହୁଁ, ସେମାନଙ୍କୁ ଟେକାପଥର ଫିଙ୍ଗୁଛୁ ଓ ସମାଲୋଚନା କରୁଛୁ ।

POLICE-5

ଗୋଟିଏ କଥା କହିବି, ପୋଲିସ୍‌ କର୍ମଚାରୀମାନେ କୌଣସି ଅନ୍ୟ ଗ୍ରହରୁ ଆସି ନାହାନ୍ତି । ସେମାନେ ମଧ୍ୟ ଆମ ପରିବାରର । ଆମରି ଭଳି ମଣିଷ । ଖାକି ପୋଷାକ ପିନ୍ଧି ଦେଲେ ସେମାନଙ୍କ ପରିଚୟ ସିନା ପୋଲିସ୍‌ ହୋଇଯାଏ ହେଲେ ସେମାନେ ବି

POLICE-4

ସେଇ ମଣିଷ ହୋଇ ରୁହନ୍ତି । ଆମ ଭିତରୁ ହିଁ କାହା ବାପା, ଭାଇ ଦାଦା ଅବା ପୁଅ, ପୁତୁରା ପୋଲିସ୍‌ରେ ଥିବେ । ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଯଦି ଆପଣମାନେ ଭଲ କରି ବୁଝିବେ ତେବେ ଆମର ଆଭିମୁଖ୍ୟ ନିଶ୍ଚୟ ବଦଳିଯିବ ।
ଯେଉଁ ନିବେଦନ ସେମାନେ କରିଛନ୍ତି ତାହା ଅତ୍ୟନ୍ତ ସମ୍ବେଦନଶୀଳ । ଆମର ସୁରକ୍ଷା ପାଇଁ ସେମାନେ ଦିନରାତି ଜଗି ରହୁଛନ୍ତି । ଆମକୁ ଘରୁ ବାହାରିବାକୁ ବାରଣ କରୁଛନ୍ତି । କାରଣ ବାହାରକୁ ଆସିଲେ କରୋନା ଭୟ ରହିଛି । ଯେଉଁ ସାମାଜିକ ଦୂରତା କଥା କୁହାଯାଉଛି, ତାକୁ ଆମେ ରକ୍ଷା କରି ପାରୁନାହୁଁ । ଦିନକୁ ଦିନ କରୋନା ତାର କାୟା ମେଲାଇ ଚାଲିଥିବାରୁ ସେମାନଙ୍କୁ ଆହୁରି ଶକ୍ତ ହେବାକୁ ଆମ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ସେମାନଙ୍କୁ ସହଯୋଗ କରିବା ଆମର କର୍ତ୍ତବ୍ୟ । ଏହା ସହିତ ମାନବିକତା ଦୃଷ୍ଟିରୁ ଆମେ ଯଦି ଘରେ ରହିବା ଓ ନିଜକୁ ନଜେ ନିୟନ୍ତ୍ରଣରେ ରହିବା ତେବେ ସେମାନଙ୍କ ଉପରୁ ଚାପ କମିବ । ସେମାନେ ଆମ ଭଳି ୨୪ ଘଣ୍ଟଇଆ ଡ୍ୟୁଟି ଛାଡ଼ି ନିଜ ପରିବାର ପାଇଁ ମଧ୍ୟ କିଛି ସମୟ ଦେଇ ପାରିବେ ।

sudhanshu sarangiଯଦି ଆପଣଙ୍କ ପରିବାର ଲୋକେ କରୋନା ଭୟରେ ଆପଣଙ୍କୁ ବାହାରକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ସେଠି ଜଣେ ପୋଲିସ୍‌ କର୍ମଚାରୀ କେମିତି କାମ କରୁଥିବ ଭାବିଲେ ? କରୋନା ସଂକ୍ରମିତ ଅଞ୍ଚଳକୁ ଯିବାକୁ ହେଉଛି, ନିଜ ଇଚ୍ଛା ବିରୁଦ୍ଧରେ ଲୋକଙ୍କୁ ଶାସନ କରିବାକୁ ପଡୁଛି । ଏସବୁ କଣ ସେମାନେ ନିଜ ଖୁସିରେ କରୁଛନ୍ତି ? ଯାହା କରୁଛନ୍ତି ଆମରି ଭଲ ପାଇଁ ।

WOMEN POLICE

ଇଏ କେବଳ ଭାଷଣବାଜି ନୁହେଁ । ଆପଣମାନେ ଘରେ ରହି ଏବେକାର ପରିସ୍ଥିତି ଓ ପୋଲିସ୍‌ର କାର୍ଯ୍ୟକୁ ଖାଲି ଲକ୍ଷ୍ୟ କରନ୍ତୁ, ମାନବିକତାର ଦିଗରୁ ବିଚାର କରନ୍ତୁ ଜାଣି ପାରିବେ ପୋଲିସ୍‌, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ, ସରକାରୀ ଅଧିକାରୀ ଓ କର୍ମଚାରୀ, ଅଗ୍ନିଶମ, ଏନ୍‌ଡିଆରଏଫ୍‌, ଆମକୁ ଅହରହ ବିଜୁଳି, ପାଣି ଆଦି ଯୋଗାଉଥିବା ବିଭାଗ ଏବଂ ସର୍ବୋପରି ଆମ ଭଳି ଘରେ ନରହିବ ଏବେବି ରାସ୍ତାଘାଟ ଓ ନାଳନର୍ଦ୍ଦମାକୁ ସଫା କରୁଥିବା ସଫେଇ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ଦାୟିତ୍ୱବୋଧ କେତେ ଏବଂ ସେମାନେ କଣ କରୁଛନ୍ତି ଆପେ ଆପେ ବୁଝିଯିବେ ।

police dg abhay

ତେଣୁ ଆମର ଅନୁରୋଧ, ପୋଲିସ୍‌ କଥା ମାନନ୍ତୁ ଓ ସୁସ୍ଥ ରୁହନ୍ତୁ । ଅବଶ୍ୟ ଟିକେ କେଉଁଠି ଅଧିକ କିଛି କଷ୍ଟ ଦେଉଥିବା ପୋଲିସ୍‌ ଭାଇ, ଭଉଣୀଙ୍କୁ ମଧ୍ୟ ନିବେଦନ ସେମାନେ ଟିକେ ପରିସ୍ଥିତିକୁ ବି ବୁଝିବା ଦରକାର । ଅବଶ୍ୟ ଠକଙ୍କୁ ଏମିତି ସାବାଡ୍‌ କରିବା ଦରକାର ।

ହିମାଂଶୁ ଶେଖର ପତିମିଶ୍ର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.