Below header

ଆଉଟୁ ପାଉଟୁ ହେଉଛି ନେତାଙ୍କ ମନ, କରୋନା ସେମାନଙ୍କୁ ବାନ୍ଧି ରଖିଛି ଘରେ

ସାରା ବିଶ୍ୱରେ ଜାରି ରହିଛି କରୋନା ଲଢ଼େଇ । ତେବେ ଆମ ରାଜ୍ୟର ରଣନୀତି କିଛି ଅଲଗା ପ୍ରକାର । ଯାହା ଆମ ଦେଶର ଅନ୍ୟ କୌଣସି ରାଜ୍ୟରେ ଦେଖା ଯାଇ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂରା ସରକାରୀ କଳ ପ୍ରତି ପ୍ରଭାବିତ ଜିଲ୍ଲାରେ ପୂରା ଦମ୍‌ରେ କାମ କରୁଛି । ପୁଣି ତଦାରଖ କରୁଛନ୍ତି ରାଜଧାନୀରେ ସରକାର ଚଳାଉଥିବା ବଡ଼ ବଡ଼ ଅଧିକାରୀମାନେ । ପ୍ରତିଦିନ ସରକାରଙ୍କ କାର‌୍ୟ୍ୟଧାରା, ସଫଳତା, କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରାଯିବା ସହ ଜନସାଧାରଣଙ୍କୁ ମଧ୍ୟ ସମସ୍ତ ବିଷୟରେ ଅବଗତ କରାଯାଉଛି । କେବଳ ରବିବାରକୁ ଛାଡ଼ି ସପ୍ତାହର ୬ ଦିନ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ତାଙ୍କର ଏହି ସମ୍ମିଳନୀରେ ଅନ୍ୟ ଅଧିକାରୀମାନେ ସୂଚନା ଦେଉଛନ୍ତି । ପୁଣି ଗ୍ରାଉଣ୍ଡ ଜିରୋରେ ବି ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦାରଖ କରୁଛନ୍ତି ।

ଏସବୁ ବାଦ୍ ରାଜ୍ୟର ସରପଞ୍ଚମାନଙ୍କୁ ମଧ୍ୟ ଜିଲ୍ଲାପାଳର କ୍ଷମତା ଦେଇଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । ସେମାନେ ନିଜ ଅଞ୍ଚଳର ସବୁ କଥା ବୁଝିବେ ଏବଂ ସେମାନଙ୍କ ନିର୍ଦ୍ଦେଶ ଅନୁସାରେ କାମ ହେବ । ଏବେ ସେଇଆ ହିଁ ଚାଲିଛି ।

NAVEEN

ହେଲେ ଗୋଟିଏ କଥା ଏଠି ଟିକେ ଅଖାଡୁଆ ଲାଗୁଛି । କେଉଁଠି ବି ଦେଖଶ ଯାଉନାହାନ୍ତି ରାଜ୍ୟର ମନ୍ତ୍ରୀ କିମ୍ବା ନେତା । କେବଳ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କିଛି ପ୍ରେସ୍‌ମିଟ୍ କରିଛନ୍ତି । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ସାମନାକୁ ଆସିଛନ୍ତି । ଅନ୍ୟ ବିଧାୟକ ଏବଂ ନେତା ଓ ମନ୍ତ୍ରୀମାନେ ନିରବି ଯାଇଛନ୍ତି । ଏହାକୁ ନେଇ କିଛି ଦିନ ହେଲା କଥା ବି ଉଠିଲାଣି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆପତ୍ତି କଲେଣି । ଅବଶ୍ୟ ଏହା ସ୍ୱାଭାବିକ କଥା ଯେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜନପ୍ରତିନିଧି ଯଦି ଘରେ ବସି ରହିବେ ତେବେ କଥା ଉଠିବ ନିଶ୍ଚୟ । ଅନେକ ସନ୍ଦେହ କରୁଛନ୍ତି, ଆଲୋଚନା ବି କରୁଛନ୍ତି କି ମୁଖ୍ୟମନ୍ତ୍ରୀ କଣ ତାଙ୍କ ଦଳର ନେତାଙ୍କ ଉପରେ ଭରସା କଲେନାହିଁ କି ? ନାଁ ଏହା ପଛରେ ଆଉ କିଛି କାରଣ ରହିଛି ? ଆଉ କିଛି ଲୋକ କହୁଛନ୍ତି ଯେ ଏଇ ମହାମାରୀରେ ଜନପ୍ରତିନିଧିଙ୍କର କାଳେ କିଛି କ୍ଷତି ହୋଇଯିବ ସେ ରିସ୍କ ନେବାକୁ ମୁଖ୍ୟମନ୍ତ୍ରୀ ଚାହିଁଲେନି ।

NABA DASଆଜ୍ଞା ! ନାନା ମୁନୀଙ୍କ ନାନା ମତ । ଆଉ କିଛିଙ୍କ ପ୍ରତିକ୍ରିୟା ହେଲା ଯେ ଭଲ ହୋଇଛି ନେତାମାନେ ନାହାନ୍ତି । ନହେଲେ ସେମାନେ ନିଜ ଚେଲାଚାମୁଣ୍ଡାଙ୍କୁ ଧରି ବୁଲୁଥାନ୍ତେ ଆଉ କରୋନା ବଢ଼ାଇଥାନ୍ତେ । ପୁଣି ଠିକଣା ଭାବେ ସମସ୍ତଙ୍କ ପାଖରେ ସାହାଯ୍ୟ ସହଯୋଗ ପହଞ୍ଚିଥାନ୍ତା କି ନାହିଁ ତାହା ବି ସନ୍ଦେହ ।
ତେବେ ଏଠି କହି ରଖୁଛୁ ଯେ ଜନପ୍ରତିନିଧିମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି ସତ ହେଲେ ଅସଲ କାମ ତ ପ୍ରଶାସକମାନେ ହିଁ କରନ୍ତି । ତେଣୁ ଯୁବକ ହୁଅନ୍ତୁ କି ବୟସ୍କ ନେତା ସେମାନେ ଘରେ ରହିଲେ ଭଲ ।
ଅବଶ୍ୟ ଜନପ୍ରତିନିଧିମାନେ ଯେ ଘରେ ଲୁଚି କରି ରହିଛନ୍ତି ତା ନୁହେଁ । ଆମେ ଯାହା ଦେଖିଛୁ ଅନେକ ବିଧାୟକ, ମନ୍ତ୍ରୀ ଏବଂ ଅନ୍ୟ ଦଳର ନେତାମାନେ ନିଜ ଅଞ୍ଚଳରେ ଲୋକଙ୍କ ଭଲମନ୍ଦ ବୁଝିଛନ୍ତି । ସେମାନଙ୍କ ସମସ୍ୟା ପ୍ରଶାସନ ନିକଟରେ ପହଞ୍ଚାଇଛନ୍ତି । ବ୍ୟକ୍ତିଗତ ଭାବେ ମଧ୍ୟ ସାହାଯ୍ୟ ସହଯୋଗ କରିଥିବା ଦେଖାଯାଇଛି । ହେଲେ ଗଣମାଧ୍ୟମ ସାମ୍ବାଦିକଙ୍କ କ୍ୟାମେରା ସାମନାକୁ ଆସିବା ପାଇଁ ଚାହିଁ ନାହାନ୍ତି ।

RAJA SWAIN-2ସବୁବେଳେ ଲୋକଙ୍କ ସହ ଯୋଡ଼ି ହୋଇ ରହୁଥିବା ନେତାମାନେ ନିଶ୍ଚିତ ଭାବେ କରୋନା ଆତଙ୍କ ସମୟରେ ନିଜକୁ ଟିକେ ଅସହାୟ ମନେ କରୁଛନ୍ତି । କାରଣ ପରୋକ୍ଷରେ ହୁଏତ ସେମାନଙ୍କୁ ବାରଣ କରାଯାଇଛି । ତେବେ ଯେଉଁଠି ଡାକ୍ତର, ପୋଲିସ୍‌, ପ୍ରଶାସନିକ ଅଧିକାରୀ ଏମିତିକି ସରପଞ୍ଚ ଯାଏ ସମସ୍ତେ ଫୁଲ ଦମ୍‌ରେ ପବଲିସିଟି ପାଉଛନ୍ତି, ସେଠି ନେତାଙ୍କ ମନ ତ ହାଇଁପାଇଁ ନିଶ୍ଚୟ ହେଉଥିବ । କାରଣ, ସେ ବାତ୍ୟା ହେଉ କି ବନ୍ୟା ଅବା ଅନ୍ୟ କୌଣସି ଦୁର୍ବିପାକ, କହିବାକୁ ପଡ଼େ ନାହିଁ ନେତାମାନେ ପହଞ୍ଚିଯାନ୍ତି ଠିକଣା ଜାଗାରେ । ଏବେ କିନ୍ତୁ କରୋନା ସେ ସ୍ଥିତିକୁ ବଦଳାଇ ଦେଇଛି । ତା ଆଗରେ ସମସ୍ତେ ଯେତେବେଳେ ମୁଣ୍ଡ ନୁଆଁଇଛନ୍ତି, ସେଠି ନେତା ବା ବାଦ୍ ଯିବେ କେମିତି ? ତଥାପି ସେମାନଙ୍କୁ ଲାଗୁଛି ଯେମିତି ଲୋକଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଯେମିତି ପାଣି ବିନା ମାଛ ।

BIKRAM ARUKHUଆମ ନିର୍ବାଚିତ ଏବଂ ଅନିର୍ବାଚିତ ପ୍ରତିନିଧିମାନେ ଟିକେ ଧୈର‌୍ୟ୍ୟ ଧରନ୍ତୁ । କରୋନା ଏତେ ଶୀଘ୍ର ଯାଉ ନାହିଁ କି ଆପଣମାନଙ୍କ ହାତରୁ ମଉକା ବି ଚାଲି ଯାଉ ନାହିଁ । ହେଲେ ସାବଧାନ୍ ଓ ସତର୍କ ରୁହନ୍ତୁ । କରୋନାର ନିୟମକୁ ମାନୁଥାନ୍ତୁ । କାରଣ ଆପଣମାନଙ୍କ ଜୀବନ ମଧ୍ୟ ରାଜ୍ୟ ପାଇଁ ମୂଲ୍ୟବାନ।

ହିମାଂଶୁ ଶେଖର ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.