Below header

ଚିଠି ଆୟିହେ… ଗୀତର ଗାୟକ ପ୍ରସିଦ୍ଧ ଗାୟକ ପଙ୍କଜ ଉଦାସଙ୍କ ପରଲୋକ

ଚିଠି ଆୟି ହେ…ଆୟି ହେ ..ଚିଠି ଆୟି ହେ… । ଏ ଗୀତଟି ଯିଏ ଶୁଣିଛି ସିଏ କିଛି ସମୟ ପାଇଁ ଭାବ ବିଭୋର ହୋଇଛି । ବିଦେଶରେ ଥିବା ଲୋକେ ନିଜ ଘର ପରିବାରକୁ ମନେ ପକାଇଛନ୍ତି । ବଲିଉଡ୍‌ର ସୁପର ହିଟ୍‌ ଫିଲ୍ମ ‘ନାମ୍‌’ର ଏହି ଗୀତଟି ଏତେ ଲୋକପ୍ରିୟ ହୋଇଥିଲା ଯେ ସେତେବେଳେ ସବୁଠି ଶୁଣିବାକୁ ମିଳୁଥିଲା ତାର ସ୍ୱର ।

ଚିଠି ଆୟି ହେ…ଆୟି ହେ ..ଚିଠି ଆୟି ହେ… । ଏ ଗୀତଟି ଯିଏ ଶୁଣିଛି ସିଏ କିଛି ସମୟ ପାଇଁ ଭାବ ବିଭୋର ହୋଇଛି । ବିଦେଶରେ ଥିବା ଲୋକେ ନିଜ ଘର ପରିବାରକୁ ମନେ ପକାଇଛନ୍ତି । ବଲିଉଡ୍‌ର ସୁପର ହିଟ୍‌ ଫିଲ୍ମ ‘ନାମ୍‌’ର ଏହି ଗୀତଟି ଏତେ ଲୋକପ୍ରିୟ ହୋଇଥିଲା ଯେ ସେତେବେଳେ ସବୁଠି ଶୁଣିବାକୁ ମିଳୁଥିଲା ତାର ସ୍ୱର । ଆଉ ସେ ଗୀତଟି ଯିଏ ଗାଇଥିଲେ ସାରା ଦେଶରେ ଲୋକେ ଜାଣିଗଲେ ତାଙ୍କୁ । ସିଏ ହେଉଛନ୍ତି ସୁପ୍ରସିଦ୍ଧ ଗଜଲ ଗାୟକ ପଙ୍କଜ ଉଧାସ । ଆଜି ତାଙ୍କର ସେ ହୃଦୟକୁ ଛୁଇଁ ଗଲା ଭଳି ସ୍ୱର ନିରବି ଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଚାଲି ଯାଇଛନ୍ତି ଅଫେରା ରାଇଜକୁ । … ଅଚାନକ ଏଇ ଖବର ଏବେ ସାରା ବଲିଉଡ୍‌କୁ ସ୍ତବଧ କରି ଦେଇଛି । ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏଇ ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି ତାଙ୍କ ଝିଅ ନାୟାବ ଉଧାସ । ଏହା ପରେ ଅନେକ ଷ୍ଟାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ କରିଛନ୍ତି । ସେ ଅନେକ ଦିନ ହେବ ଅସୁସ୍ଥ ଥିଲେ । ଆଜି ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସପିଟାଲରେ ଦିନ ୧୧ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

୧୯୫୧ ମସିହା ମେ ୧୭ ତାରିଖରେ ଗୁଜରାଟର ଜେତପୁର ଠାରେ ଜନ୍ମ ଗ୍ରହଣ କରିଥିଲେ ପଙ୍କଜ ଉଧାସ । ମାତ୍ର ୬ ବର୍ଷ ବୟସରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ସ୍କୁଲରେ ପ୍ରାର୍ଥନା ସଭାରେ ପ୍ରାର୍ଥନା ଗାଇ ସେ ତାଙ୍କର ସଂଗୀତ ଜୀବନ ଆରମ୍ଭ କରିଥିଲେ । ଜଣେ ଗଜଲ ଗାୟକ ଭାବେ ଖୁବ୍‌ କମ୍‌ ବୟସରୁ ପ୍ରସିଦ୍ଧି ଲାଭ କରିଥିଲେ । ୧୯୮୦ରେ ତାଙ୍କର ପ୍ରଥମ ଆଲବମ୍‌ ‘ଆହଟ୍‌’ ଆସିଥିଲା । ଚାନ୍ଦି ଜୈସା ରଙ୍ଗ ହୋ ତେରା… ସୋନେ ଜୈସା ବାଲ୍‌…’ ଏହି କ୍ୟାସେଟ ସେତେବେଳେ ଲୋକପ୍ରିୟତାର ଶୀର୍ଷ ଛୁଇଁଥିଲା । ପଙ୍କଜଙ୍କ ବାପା ଏବଂ ଦୁଇ ଭାଇ ମଧ୍ୟ ଗାୟକ ଥିଲେ । ତେଣୁ ପରିବାରରୁ ହିଁ ତାଙ୍କର ସଂଗୀତ ଶିକ୍ଷା ଆରମ୍ଭ ହୋଇଥିଲା । ଏକ ସାକ୍ଷତକାରରେ ସେ କହିଥିଲେ କି ଭାରତ-ଚୀନ୍‌ ଯୁଦ୍ଧ ବେଳେ ଏକ ଷ୍ଟେଜ୍‌ ସୋ’ରେ ସେ ଗାଇଥିଲେ ‘ଏ ମେରେ ବତନ କେ ଲୋଗେ..’ ଗୀତ । ଏତେ ଭଲ ଗାଇଲେ ଯେ ସମସ୍ତେ ପ୍ରଶଂସା କଲେ । ଆଉ ତାଙ୍କୁ ମିଳିଥିଲ ୫୧ ଟଙ୍କାର ପୁରସ୍କାର । ଯାହା ଥିଲା ଗୀତରୁ ତାଙ୍କର ପ୍ରଥମ ରୋଜଗାର । ବଲିଉଡରେ ‘କାମନା’ ଥିଲା ତାଙ୍କର ପ୍ରଥମ ଫିଲ୍ମ ।
ପରେ ବଲିଉଡ୍‌ରେ ଅନେକ ସୁପରହିଟ୍‌ ଗୀତ ଗାଇଥିଲେ ପଙ୍କଜ । ସାଜନ ଫିଲ୍ମର ‘ଜିଏ ତୋ ଜିଏ କୈସେ ବିନ୍‌ ଆପକେ..’, ମୋହର ଫିଲ୍ମର ‘ନା କଜରେ କି ଧାର…’, ଏବେବି ଲୋକଙ୍କ ମୁହଁରୁ ଓ ପ୍ରତ୍ୟେକ ମେଲୋଡି ପ୍ରୋଗ୍ରାମରେ ଶୁଣିବାକୁ ମିଳେ । ୨୦୦୬ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ପଙ୍କଜ ନିଜ ପଡ଼ୋଶୀରେ ରହୁଥିବା ଝିଅ ଫରିଦାଙ୍କୁ ପ୍ରେମ ବିବାହ କରିଥିଲେ । ଫରିଦା ଥିଲେ ଏୟାର ହୋଷ୍ଟେସ୍‌ । ପଙ୍କଜ ଓ ଫରିଦାଙ୍କର ତିନିଟି ଝିଅ ଅଛନ୍ତି । ତାଙ୍କର ଭାରୀ ଗମ୍ଭୀର କିନ୍ତୁ ହୃଦୟଜିଣା ସ୍ୱର ସମସ୍ତଙ୍କୁ ଆକର୍ଷିତ କରୁଥିଲା । କୁହାଯାଏ, ପଙ୍କଜ ଉଦାସଙ୍କ ଗଜଲ ଓ ଗୀତ ଧନୀ ଲୋକଙ୍କ ପ୍ରାସାଦରୁ ଆରମ୍ଭ କରି ଅଟୋରିକ୍ସରୁ ବି ଶୁଭିଥାଏ । ସେ ଥିଲେ ସବୁ ବର୍ଗଙ୍କ ପ୍ରିୟ ଗାୟକ । ଆଜି ପଙ୍କଜ ଉଦାସଙ୍କର ପରଲୋକରେ ସମସ୍ତେ ଉଦାସ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.