ଗଭୀର ସମୁଦ୍ର ତଳେ ଥିବା ଉଡ଼ାଜାହାଜ ଭିତରକୁ ସ୍କୁବା ଡାଇଭିଂ କରି ଚର୍ଚ୍ଚାରେ ଦୁବାଇ ନିବାସୀ ଓଡ଼ିଆ ବାପା-ଝିଅ

ଦୁବାଇ ନିବାସୀ ଓଡ଼ିଆ ବାପା-ଝିଅ ସ୍କୁବା ଡାଇଭିଂ ଯୋଡ଼ି ପୁଣିଥରେ ସମୁଦ୍ର ବୁଡ଼ିବା କ୍ଷେତ୍ରରେ ଅନନ୍ୟ ପାରଦର୍ଶିତା ଅର୍ଜନ କରିଛନ୍ତି । ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କ ୧୩ ବର୍ଷର ଝିଅ ତିସ୍ୟା ପାଣିଗ୍ରାହୀ ସ୍କୁବା ଡାଇଭିଂ କରି ଆରବୀୟ ଦେଶ ଜୋର୍ଡାନର ଅକାବା ନିକଟ ଲୋହିତ ସାଗରର ୫୫ ଫୁଟ୍ ଗଭୀରରେ ବୁଡ଼ି ରହିଥିବା ହରକୁଲସ-ସି-୧୩୦ ଏୟାରକ୍ରାଫ୍ଟ ଭିତରେ ପ୍ରବେଶ କରିବା ସହ ବିଚରଣ କରିଛନ୍ତି ।

ଦୁବାଇ ନିବାସୀ ଓଡ଼ିଆ ବାପା-ଝିଅ ସ୍କୁବା ଡାଇଭିଂ ଯୋଡ଼ି ପୁଣିଥରେ ସମୁଦ୍ର ବୁଡ଼ିବା କ୍ଷେତ୍ରରେ ଅନନ୍ୟ ପାରଦର୍ଶିତା ଅର୍ଜନ କରିଛନ୍ତି । ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କ ୧୩ ବର୍ଷର ଝିଅ ତିସ୍ୟା ପାଣିଗ୍ରାହୀ ସ୍କୁବା ଡାଇଭିଂ କରି ଆରବୀୟ ଦେଶ ଜୋର୍ଡାନର ଅକାବା ନିକଟ ଲୋହିତ ସାଗରର ୫୫ ଫୁଟ୍ ଗଭୀରରେ ବୁଡ଼ି ରହିଥିବା ହରକୁଲସ-ସି-୧୩୦ ଏୟାରକ୍ରାଫ୍ଟ ଭିତରେ ପ୍ରବେଶ କରିବା ସହ ବିଚରଣ କରିଛନ୍ତି ।

ଲକହିଡ୍ କଂପାନି ଦ୍ବାରା ନିର୍ମିତ ହରକୁଲସ-ସି-୧୩୦ ଏୟାରକ୍ପାଫ୍ଟଟି ୪ ଇଞ୍ଜିନ ବିଶିଷ୍ଟ ଟର୍ବୋପ୍ରପ ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଓ ଏହା ୧୯୫୦ ରୁ ୭୦ରୁ ଅଧିକ ଦେଶର ସେନା ପ୍ରତିଷ୍ଠାନର କାର୍ଯ୍ୟରେ ନିୟୋଜିତ ରହିଥିଲା । କୃତ୍ରିମ ପ୍ରବାଳ ପ୍ରାଚୀର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜୋର୍ଡାନ ରାଜାଙ୍କ ଦ୍ବାରା ପ୍ରଦତ୍ତ ଅବସରପ୍ରାପ୍ତ ଏହି ହରକୁଲସ-ସି ଏୟାରକ୍ରାଫ୍ଟକୁ ୨୦୧୭ ରେ ସମୁଦ୍ର ଗର୍ଭରେ ବୁଡ଼ାଇ ଦିଆଯାଇଥିଲା ।

ତେବେ ସମୁଦ୍ରରେ ବୁଡ଼ାଇ ଦିଆଯିବା ପୂର୍ବରୁ ଏଥିରୁ ସମସ୍ତ ଇନ୍ଧନ, କ୍ଷତିକାରକ ଧାତବ ପଦାର୍ଥକୁ ବାହାର କରି ନିଆଯାଇଥିଲା । ଏହାପରେ ଅକାବା ଉପକୂଳରୁ ୩୦୦ ମିଟର ଦୂରରେ ୫୫ ଫୁଟ୍ ଗଭୀରରେ ବୁଡ଼ାଯାଇଥିଲା । ବୁଡ଼ିବାର ୭ ବର୍ଷ ଭିତରେ ଏବେ ଏହା ଗୋଟିଏ ପ୍ରବାଳ ପ୍ରାଚୀରର ରୂପ ନେଇସାରିଛି । ଯାହାକି ସାମୁଦ୍ରିକ ମାଛ ଓ ପ୍ରବାଳମାନଙ୍କ ପାଇଁ ସୁନ୍ଦର ବାସସ୍ଥଳୀ ପାଲଟିଛି ।

ତିସ୍ୟା ଏବଂ ପ୍ରିୟଦର୍ଶୀ ଡାଇଭିଂ କରି ଏୟାରକ୍ରାଫ୍ଟର ମଧ୍ୟଭାଗ ଦେଇ ଏହା ଭିତରେ ପ୍ରବେଶ କରିବା ସହ କକପିଟରେ କିଛି କ୍ଷଣ ବିତାଇଥିଲେ । କୁନି ସମୁଦ୍ର ବୁଡ଼ାଳୀ ତିସ୍ୟା କକପିଟରେ ପଶି ଏହାର ନିୟନ୍ତ୍ରଣ କକ୍ଷରେ ବିଭିନ୍ନ ଉପକରଣ ସହ ଖେଳୁଥିବା ଦେଖିବାକୁ ମିଳିଛି । ତେବେ ସମୁଦ୍ର ଗର୍ଭରେ ବୁଡ଼ି ରହିଥିବା ଏଭଳି ଏକ ବିଶାଳକାୟ ଏୟାରକ୍ରାଫ୍ଟ ଭିତରେ ପଶିବା ଲାଗି ସ୍ବତନ୍ତ୍ର ଭାବେ ତାଲିମ ନେବାକୁ ପଡ଼ିଥାଏ ଓ ସବୁ କଥା ଜାଣିବାକୁ ହୋଇଥାଏ ।

ଏନେଇ ପ୍ରିୟଦର୍ଶୀ କହିଛନ୍ତି ଯେ, ସମୁଦ୍ର ଗର୍ଭରେ ବିଶାଳ ଏୟାରକ୍ରାଫ୍ଟ ଦେଖିବା ଓ ସାମୁଦ୍ରିକ ମାଛମାନଙ୍କ ମଝିରେ ବିଚରଣ କରିବା ସ୍ବପ୍ନ ରାଇଜର କାହାଣୀ ଭଲି ଲାଗୁଥିଲା । ଯେଉଁ ଜାହାଜ ହଜାର ହଜାର ଫୁଟ୍ ଉଚ୍ଚରେ ଉଡ଼ିବାର କ୍ଷମତା ରଖେ, ସେ ଯେତେବେଳେ ସମୁଦ୍ର ଗର୍ଭରେ ଶୋଇ ରହିଛି, ତା ଭିତରେ ପ୍ରବେଶ କରିବା କମ୍ ଉନ୍ମାଦନା ସୃଷ୍ଟି କରିନଥିଲା । ଏହା ତାଙ୍କ ପାଇଁ ଭିନ୍ନ ଅନୁଭୂତି ଆଣିଦେଇଛି ବୋଲି ସେ କହିଛନ୍ତି ।

ସେହିପରି ଏଭଳି ଏକ ଡାଇଭିଂକୁ ନେଇ ଖୁବ୍ ଖୁସି ଥିଲେ ଝିଅ ତଥା କୁନି ସ୍କୁବା ଡାଇଭର ତିସ୍ୟା । ଏୟାରକ୍ରାଫ୍ଟ ଭିତରେ ରଙ୍ଗ ବେରଙ୍ଗର ଓ ଭିନ୍ନ ଭିନ୍ନ ପ୍ରଜାତିର ମାଛ ଦେଖିବା ତାଙ୍କୁ ଖୁବ୍ ଆନନ୍ଦ ଦେଇଛି । ସେହିପରି ଅଥଳ ଥଳ ସମୁଦ୍ର ଗର୍ଭରେ ପଡ଼ି ରହିଥିବା ଏୟାରକ୍ରାଫ୍ଟର ନିୟନ୍ତ୍ରଣ କକ୍ଷରେ ଯନ୍ତ୍ରାଂଶ ସହ ଖେଳିବା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି ।

ପ୍ରିୟଦର୍ଶୀ ଓ ଝିଅ ତିସ୍ୟା ଦୁବାଇର ପ୍ରତିଷ୍ଠିତ ସ୍କୁବା ଡାଇଭର ଭାବେ ଜଣାଶୁଣା। ପ୍ରିୟଦର୍ଶୀ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପୁଅ ହୋଇଥିବାବେଳେ ସେ ଏବେ ଦୁବାଇରେ ଭାରତୀୟ ବହୁ ରାଷ୍ଟ୍ରୀୟ କଂପାନିରେ କାର୍ଯ୍ୟରତ ଅଛନ୍ତି । ସେହିପରି ତିସ୍ୟା ଦୁବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ତେବେ ବାପା ଝିଅ ସ୍କୁବା ଡାଇଭିଂ ଯୋଡ଼ି ପ୍ରଥମ ଥର ପାଇଁ ଏଭଳି ଆଡଭେଞ୍ଚରସ୍ ଡାଇଭିଂ କରିନାହାନ୍ତି । ପୂର୍ବରୁ ଅନେକ ବାର ଏଭଳି ସ୍କୁବା ଡାଇଭିଂ କରି ରେକର୍ଡ ସୃଷ୍ଟି କରିଛନ୍ତି ।

୨୦୨୦ରେ ମାତ୍ର ୧୦ ବର୍ଷ ବୟସରେ ସ୍କୁବା ଡାଇଭିଂ କରି ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭରର ମାନ୍ୟତା ହାସଲ କରିଥିଲେ ତିଷ୍ୟା । ସେହିପରି ୨୦୧୨ରେ ନିଜ ଜନ୍ମଦିନରେ ୭୦ ଫୁଟ୍ ଗଭୀର ସମୁଦ୍ରରେ ଡାଇଭିଂ କରି ରାଜ୍ୟର ସର୍ବକନିଷ୍ଠ ଆଡଭାନସଡ୍ ସ୍କୁବା ଡାଇଭର ଭାବେ ଖ୍ୟାତି କରିଥିଲେ ତିଷ୍ୟା । ଗତ ବର୍ଷ ଏପ୍ରିଲରେ ତିଷ୍ୟାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବାପା ପ୍ରୟଦର୍ଶୀ ମାଲୟେସିଆରେ ୧୦୦ ଫୁଟ୍ ଗଭୀରରେ ଡାଇଭିଂ କରିଥିଲେ । ଏହାସହ ବାପା ଝିଅ ଆଡଭାନସଡ ସ୍କୁବା ଡାଇଭିଂ କ୍ଲବରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.