Below header

ଏବେ ବି ରହସ୍ୟଘେରରେ “ଅଜାଣ ମଠ” ର ସେହି ଗଛ, ରୋଗବ୍ୟାଧି ପାଇଁ ଅମୃତ ସାଜେ ଏହାର ପତ୍ର

ମାହାଙ୍ଗା(କେ ନ୍ୟୁଜ ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନୃତାଙ୍ଗ ପଞ୍ଚାୟତ ଅଧୀନରେ ରହିଛି ଏକ ମଠ | ଯାହାର ନାଁ ରଖାଯାଇଥିଲା “ଅଜାଣ ମଠ” | ଏହି ମଠରେ ଲୁଚି ରହିଛି ଅନେକ ରହସ୍ୟ l ଲୋକକଥା ଅନୁଯାୟୀ ପାଖାପାଖି ୩୦୦ ବର୍ଷ ପୂର୍ବେ ମଣିପୁରର କାଉଁରୀ କାମାକ୍ଷା ଅଞ୍ଚଳରୁ ବୈଷ୍ଣବ ଦାସ ନାମକ ଜଣେ ବ୍ୟକ୍ତି ଗୋଟିଏ ଗଛ ଉପରେ ବସି ଉଡ଼ି ଉଡ଼ି ଆସୁଥିଲେ l ସେହି ସମୟରେ ଏହି ସ୍ଥାନରେ ଜଣେ କୈବର୍ତ୍ତଙ୍କ ଘର ଥିଲା l ସେହି କୈବର୍ତ୍ତଙ୍କ ପତ୍ନୀ ଜଣେ ବଡ଼ ତାନ୍ତ୍ରିକ ଥିଲେ l ଦିନେ ଭୋର୍ ସମୟରେ ଢ଼ିଙ୍କିରେ ଚୁଡ଼ା କୁଟିବା ସମୟରେ ଏକ ଶବ୍ଦ ଆକାଶମାର୍ଗରୁ ଶୁଭିଲାମାତ୍ରେ କୈବର୍ତ୍ତଙ୍କ ପତ୍ନୀ ଏହାକୁ ଦେଖିବାପାଇଁ ବାହାରକୁ ଆସନ୍ତେ ଏକ ଗଛ ସହିତ ଜଣେ କେହି ବସି ଉଡ଼ି ଉଡ଼ି ଯାଉଥିବାର ଦେଖିବାକୁ ପାଇ ଲେ l ତତକ୍ଷଣାତ ନିଜ ତାନ୍ତ୍ରିକ ଶକ୍ତି ବଳରେ ସେହି ଗଛକୁ ଓହ୍ଲାଇ ଦେଇଥିଲେ l

mahanga

ପୂର୍ବରୁ ସେଠାରେ ଥିବା ମଠ ଟିରେ ଗଛଟିକୁ ପୋତା ଯାଇଥିଲା l ପରେ ଗଛର ନାମ କେହି ନ ଜାଣି ପାରିବାରୁ ସେହିଦିନ ଠାରୁ ଏହି ମଠକୁ ଅଜାଣ ମଠରେ ନାମିତ କରାଗଲା l ପରବର୍ତ୍ତୀ ସମୟରେ ଏହି ଅଜାଣ ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ବୋଲି କେହି ଜଣେ ସାଧୁ ଆବିଷ୍କାର କରିଥିଲେ l ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ସେହି ଗଛର ପତ୍ରକୁ ବିଶ୍ୱାସର ସହିତ ଖାଇଲେ ଅନେକ ରୋଗ ବ୍ୟାଧି ଦୂର ହେବା ସହ ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ଆଉ ସେହି ବିଶ୍ଵାସରେ କଟକ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରୁ ଲୋକମାନେ ଏହି ପୀଠକୁ ପୂଜାର୍ଚ୍ଚନା କରିବାକୁ ଆସୁଛନ୍ତି l ଏହି ମଠରେ ପୂଜା ପାଉଛନ୍ତି ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ l

mahanga

ପଣାସଂକ୍ରାନ୍ତି ଦିନ ପ୍ରତିବର୍ଷ ଏଠାକୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଆସିବା ସହ ପୂଜାର୍ଚ୍ଚନା କରିଥାନ୍ତି | ସଙ୍କୀର୍ତ୍ତନ କରାଯିବା ସହ ବହୁ ଆଡମ୍ବରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥାଏ l ଯେହେତୁ ଜନବସତି ଠାରୁ ଏହି ମଠଟି ଅନେକ ଦୂରରେ ରହିଛି ତେଣୁ ଏଠାରେ ଏକ ଅପୂର୍ବ ଶାନ୍ତି ଓ ଆନନ୍ଦ ମିଳିଥାଏ l ଏହାର ଆଉ ଏକ ବିଶେଷତ୍ୱ ହେଲା ଛୋଟରୁ ବଡ ସମସ୍ତେ ଏହି ସ୍ଥାନକୁ ମଧ୍ୟ ବିଶ୍ରାମସ୍ଥଳୀ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି l ତେବେ ଏହି ରହସ୍ୟମୟୀ “ଅଜାଣ ମଠ”ର ଉନ୍ନତି ପାଇଁ ସରକାର ଯଦି କିଛି ସାହାଯ୍ୟ ଯୋଗାଇ ଦିଅନ୍ତେ ତେବେ ଏହି ମଠର ମହାତ୍ମ୍ୟ ଆହୁରି ବଢ଼ିଯାନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.