ସ୍କୁଲ ଘର ନଥିବାରୁ ବାରଣ୍ଡାରେ ଚାଲିଛି ପାଠପଢ଼ା
ସ୍କୁଲ ଘର ନଥିବାରୁ ଗୋଟିଏ କ୍ଲାସ ରୁମରେ ପ୍ରଥମ ରୁ ଷଷ୍ଠ ଶ୍ରେଣୀ ଯାଏଁ ପିଲା ପାଠ ପଢ଼ୁଛନ୍ତି । ଆଉ ୭ମ ଶ୍ରେଣୀ ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି।ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଳମଡ଼ା ସରକାରୀ ପ୍ରକଳ୍ପ ଉ:ପ୍ରା ବିଦ୍ୟାଳୟରେ। ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନଥିବାରୁ ପିଲାମାନେ ବିଭିନ୍ନ ସମସ୍ୟା ଭିତରେ ପାଠ ପଢୁଛନ୍ତି।

ପୁଣି ଫେଲ୍ ମାରିଛି ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା। ପଦାରେ ପଡିଛି ଶିକ୍ଷା ବିଭାଗର ଗୁମର। ସ୍କୁଲଘର ନଥିବାରୁ ବାରଣ୍ଡାରେ ଚାଲିଛି ପାଠ ପଢ଼ା। ବିଦ୍ୟାଳୟ ଭିତ୍ତିଭୂମିର ପରିବର୍ତ୍ତନ ସହିତ ଛାତ୍ର ଛାତ୍ରୀଙ୍କୁ ଏକ ଉତ୍ତମ ପରିବେଶରେ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ନୂଆ ନୂଆ ଯୋଜନା କରୁଛନ୍ତି। ଆଉ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । କେଉଁଠି ଡିଜିଟାଲ କ୍ଲାସ ରୁମ ତିଆରି କରାଯାଉଛି ତ ଆଉ କେଉଁଠି ନୂଆକରି ସ୍କୁଲ ଘର ନିର୍ମାଣ କରୁଛନ୍ତି।ହେଲେ ଆଜିବି ଏମିତି ସ୍କୁଲରହିଛି ଯେଉଁଠି ସ୍କୁଲ ଘର ନଥିବାରୁ ଗୋଟିଏ କ୍ଲାସ ରୁମରେ ପ୍ରଥମ ରୁ ଷଷ୍ଠ ଶ୍ରେଣୀ ଯାଏଁ ପିଲା ପାଠ ପଢ଼ୁଛନ୍ତି । ଆଉ ୭ମ ଶ୍ରେଣୀ ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି।ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଳମଡ଼ା ସରକାରୀ ପ୍ରକଳ୍ପ ଉ:ପ୍ରା ବିଦ୍ୟାଳୟରେ। ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନଥିବାରୁ ପିଲାମାନେ ବିଭିନ୍ନ ସମସ୍ୟା ଭିତରେ ପାଠ ପଢୁଛନ୍ତି।
ଗୋଟିଏ ସ୍କୁଲଘର। ଆଉ ତାହାରି ଭିତରେ ଖୁନ୍ଦା ଖୁନ୍ଦି ହୋଇ ପ୍ରଥମ ରୁ ଷଷ୍ଠ ଶ୍ରେଣୀ ଯାଏଁ ପିଲା ପାଠ ପଢୁଛନ୍ତି। ଏପଟେ ବାରଣ୍ଡାରେ ବସି ୭ମ ଶ୍ରେଣୀର ପିଲା ପଢୁଛନ୍ତି। ଏମାନଙ୍କ ମଧ୍ୟରୁ କିଏ କେଉଁ ଶ୍ରେଣୀର ପିଲା ତାହା ଜାଣିବା ବି ମୁସ୍କିଲ। ଏହାରି ଭିତରେ ଶିକ୍ଷୟତ୍ରୀ ବସି ପାଠ ପଢାଉଛନ୍ତି। ଆଖ ପାଖ ଅଞ୍ଚଳର ୬୨ଜଣ ଛାତ୍ର ଛାତ୍ରୀ ଏଠାରେ ପାଠ ପଢ଼ିଥାନ୍ତି। ଏବେ ବର୍ଷା ଦିନରେ ପିଲା ମାନେ ଓଦା ହୋଇ ବାରଣ୍ଡାରେ ବସି ପଢ଼ୁଥିବା ଦେଖିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ଯାଏଁ ପିଲା ବସୁଛନ୍ତି କେମିତି? ଆଉ ଏକାଠି ବସୁଥିବା ବେଳେ ସବୁ ପାଠ କେମିତି ପଢ଼ା ଯାଉଥିବା ? ଦୃଶ୍ୟ ଦେଖିଲେ ଜଣ ପଡୁଛି ଗୋଟିଏ ସ୍କୁଲଘରେ ଏତେ ସଂଖ୍ୟକ ପିଲା ପାଠ ପଢିବା ଓ ଶିକ୍ଷକ ମାନେ ପାଠ ପଢାଇବା ପାଇଁ ନାନା ସମସ୍ୟା ଦେଖାଦେଉଛି ।
ଗୋଟିଏ ପଟେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶ୍ରେଣୀଗୃହର ଅଭାବ ଥିବାବେଳେ ଅନ୍ୟ ପଟେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ବିଦ୍ୟାଳୟରେ ରୋଷେଇ ଘର ବି ନାହିଁ। ବିପଦ ସଂକୁଳ ଆଜବେଷ୍ଟସ ଘରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ଏହି ପୁରୁଣା ଘର ସ୍କୁଲ ପରିସରରେ ଥିବାରୁ କେଉଁ ମୁହୁର୍ତ୍ତରେ ଏହା ଧସି କି’ ଅଘଟଣ ଘଟିବ ତାହା କହି ହେବନାହିଁ। ଅନ୍ୟ ପଟେ ଶିକ୍ଷାବିଭାଗ ବେଶ ହାଲକା ଭାବେ ନିଜ ମୁଣ୍ଡରୁ ଦାୟିତ୍ୱକୁ ଖସାଇ ଦେଇଥିବାର ଶୁଣିବାକୁ ମିଳିଛି । ତେଣୁ ସ୍କୁଲ ପରିସରରେ ଥିବା ପୁରୁଣା ବିପଜ୍ଜନକ ଘର ହଟାଇବା ସହିତ ନୂଆ ସ୍କୁଲଘର ଓ ରୋଷେଇ ଶାଳ ନିର୍ମାଣ ପାଇଁ ଦାବି ହୋଇଛି।