Below header

ଏହି ଗାଁରେ ଓଷା କରିଥିଲେ ତଅପୋଇ, ଆଜି ବି ରହିଛି ସେହି ଜଙ୍ଗଲ ଯେଉଁଠି ହଜିଥିଲା ଘରମଣି

ଆଜି ବି ରହିଛି ଦେବୀ ତଅପୋଇଙ୍କ ଗାଁ । ଆଜିବି ରହିଛି ସେହି ଜଙ୍ଗଲ । ଯେଉଁଠି ହଜିଥିଲା ଘରମଣି । ଆଜି ବି ରହିଛି ସେହି ପ୍ରାଚୀ ତଟ । ଯେଉଁଠି ତପୋଇ କରିଥିଲେ ମଙ୍ଗଳା ପୂଜା ।

କାକଟପୁର (କେନ୍ୟୁଜ) : ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ପ୍ରଥମ ରବିବାର ରୁ ଆରମ୍ଭ ହୁଏ ଦେବୀ ତପୋଇଙ୍କ ବ୍ରତ, ଯାହାକୁ କୁହାଯାଏ ଖୁଦରକୁଣି ଓଷା, ଗାଁ ଠୁ ସହର ପର୍ଯ୍ୟନ୍ତ ପ୍ରତ୍ୟକ କୁମାରୀ ଝିଅ ମାନେ ଶ୍ରଦ୍ଧାରେ ଏହି ବ୍ରତ କରିଥାନ୍ତି, ବିଶେଷ କରି ଏହି ବ୍ରତରେ ମା ମଙ୍ଗଳାଙ୍କ ମୃତିକା ପ୍ରତିମାକୁ ପୂଜାର୍ଚନା କରାଯାଏ, କିନ୍ତୁ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତଅପୋଇଙ୍କର ଗାଁ ଆଜି ବି ଅଛି, ଆଜି ବି ରହିଛି ସେହି ବନ, ଯେଉଁଠି ତପୋଇ ତାର ଘରମଣି ନାମକ ଛେଳି କୁ ହଜାଇ କରିଥିଲା ମା ସର୍ବମଙ୍ଗଳାଙ୍କୁ ଆରାଧନା ଆଉ ତା ଆରାଧନାରେ ଦେବୀ ମଙ୍ଗଳା ପ୍ରସନ ହୋଇ ତାର ସାଧବ ଭାଇ ମାନଙ୍କୁ ସକୁଶଳେ ବିଦେଶ ରୁ ଫେରାଇଆଣିଥିଲେ, ଆଉ ତଅପୋଇ ତାର ଘରମଣି କୁ ପାଇଥିଲା ।

କାକଟପୁର ବ୍ଲକ ବାଜପୁର ଗାଁ, ଏହି ଗାଁର ପ୍ରଥମ ନାମ ଥିଲା ବାଣିଜ୍ୟପୁର, ଏହି ଗାଁ ଥିଲା ସାଧବ ମାନଙ୍କ ଗ୍ରାମ, ଆଜି ବି ଏହି ଗାଁର ପ୍ରତ୍ୟେକ ପରିବାର ବ୍ୟବସାୟ କରି ନିଜ ଗୁଜୁରାଣ ମେଣ୍ଟାନ୍ତି । ବ୍ୟବସାୟ ହିଁ କେବଳ ଏହି ଗ୍ରାମବାସି ମାନଙ୍କ କୌଳିକ ବୃତ୍ତି । ଏହି ଗାଁର ତଟରେ ପ୍ରବାହିତ ହେଉଛି ପ୍ରାଚୀ ନଦୀ ଆଉ ନଦୀ କୁଳରେ ବିରାଜିତ ଅଛନ୍ତି ଜଗତଜନନୀ ମା ମଙ୍ଗଳା, ଏହି ଗ୍ରାମ ନିକଟରେ ପ୍ରାଚୀ ଘାଟକୁ ଆଜିବି କୁହାଯାଏ ବୋଇତକୁଦ, କାରଣ ଏଠି ସାଧବ ମାନଙ୍କ ବୋଇତ ରୁହେ, ଏହି ସ୍ଥାନରେ ମା ମଙ୍ଗଳାଙ୍କୁ ପୂଜାର୍ଚନା କରି ସାଧବପୁଅ ମାନେ ବାହାରିଯାନ୍ତି ବିଦେଶକୁ ନୌବାଣିଜ୍ୟରେ ।

ଏହି ଗ୍ରାମରେ ଖୁଦୁରୁକୁଣୀ ଓଷା କୁମାରୀମାନେ ସ୍ୱତନ୍ତ୍ର ନିଆରା ରୂପରେ ପାଳନ କରନ୍ତି । ଯାହା ତଅପୋଇ ଗାଁର ବାଳିକା ମାନେ ସକାଳୁ ଉଠି ବିଭିନ୍ନ ସ୍ଥାନରୁ ଫୁଲ ତୋଳନ୍ତି । ପ୍ରାଚୀରେ ସ୍ନାନ କରି ବାଲୁକା ତୋଳନ୍ତି ଆଉ ପ୍ରାଚୀ କୁଳରେ ବାଲୁକାକୁ ହଳଦୀ ପାଣିରେ ସ୍ନାନ କରାଇ, ଧୂପ, ଦୀପ, ଫୁଲ, ନୈବେଦ୍ୟ ଦେଇ ପୂଜା କରନ୍ତି । ଆଉ ତ ପୋଇ ଯେଉଁ ସ୍ଥାନରେ ମା ମଙ୍ଗଳାଙ୍କୁ ଆରାଧନା କରୁଥିଲେ ସେହି ନ୍ୟାୟବତୀ ମନ୍ଦିରରେ ମା ତପୋଇଙ୍କୁ ପାର୍ଥନା କରନ୍ତି ଆଉ ମଧ୍ୟାହ୍ନରେ ମାଙ୍କ ପାଇଁ ଅନେକ ମନଲୋଭା ଫୁଲ ହାର ପ୍ରସ୍ତୁତ କରନ୍ତି । ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରକାର ଭୋଗ, ଝୋଟି ଚିତା, ମୁରୁଜ ଝୋଟି, ଝୁଣା, ଧୂପ ଦୀପ ଦେଇ କଳସ ପୂଜା କରନ୍ତି ଆଉ ମା ମଙ୍ଗଳାଙ୍କ ମାଟି ପ୍ରତିମାଙ୍କୁ ପୂଜା କରି ଖୁଦୁରୁକୁଣୀ ବ୍ରତ ବହି ପଢନ୍ତି ଆଉ ନିଜ ନିଜ ଭାଇ ମାନଙ୍କ ଶୁଭ କାମନା କରନ୍ତି । ଆଉ ଏହି ପୂଜାର ଏକ ସ୍ୱତନ୍ତ୍ରତା ହେଉଛି ତପୋଇଙ୍କ ସ୍ମୃତି ଚାରଣ ପାଇଁ ଏକ ଢ଼ିଙ୍କି ପ୍ରସ୍ତୁତି କରି ତାକୁ ପୂଜାର୍ଚନା କରନ୍ତି ।

ସତରେ ଆମ ଉତ୍କଳୀୟ ଧର୍ମୀୟ ପରମ୍ପରା ଏକ ନିଆରା, ବିଶ୍ୱାସ ଓ ଅବିଶ୍ୱାସ ଭିତରେ ଅନେକ ଧାର୍ମିକ କାର୍ଯ୍ୟ ଆମ ଓଡ଼ିଆ ମାନେ ପାଳନ କରନ୍ତି, ତା ଭିତରେ କୁମାରୀ ମାନଙ୍କ ତପୋଇ ବା ଖୁଦୁରୁକୁଣୀ ଓଷା ନିଆରା ଓ ଅନ୍ୟତମ, କିନ୍ତୁ ଏହି ତପୋଇର ଗାଁ, ଜଙ୍ଗଲ ଆଉ କିମ୍ବଦନ୍ତୀ ଆଜି ବି କାକଟପୁର ଇତିହାସ ପୃଷ୍ଠା ରେ ପୃଷ୍ଠା ମଣ୍ଡନ କରିଛି ଯାହା ଅତି ଦୁର୍ଲଭ, ହଁ ଏହା ଆପଣ ମାନଙ୍କ ପାଇଁ ଏକ କାଳ୍ପନିକ ହେଇଥାଇପାରେ କିନ୍ତୁ ପୌରାଣିକ କିମ୍ବଦନ୍ତୀ ଆଉ ପୂର୍ବପୁରୁଷରୁ ରହିଥିବା ଏହି କଥା ଆଉ ମା ମଙ୍ଗଳାଙ୍କୁ ନେଇ ଏହି ତପୋଇ ର କାହାଣୀ ଆଉ ତାର ଗ୍ରାମର କିମ୍ବଦନ୍ତୀ ଆଉ ଇତିହାସ ଏହିଆ ହିଁ ପ୍ରମାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.