Below header

୨୬ ବର୍ଷ ଚାକିରିରେ ନେଇଛନ୍ତି ମାତ୍ର ଗୋଟିଏ ଛୁଟି, ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସାମିଲ ହେଲା ନାଁ

ଉତ୍ତରପ୍ରଦେଶର ବିଜନୋରର ଦ୍ୱାରିକେଶ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବୁନ୍ଦକିରେ ଅତିରିକ୍ତ ମ୍ୟାନେଜର ପର୍ସନାଲ ଭାବରେ କାର୍ଯ୍ୟ କରୁଥିବା ତେଜପାଲ ସିଂ ତାଙ୍କ କାର୍ଯ୍ୟକୁ ଏତେ ଭଲ ପାଉଥିଲେ ଯେ କେବେ ବି ଛୁଟି ନେଇ ନାହାନ୍ତି ।

ସରକାରୀ ଚାକିରି ହେଉ କି ବେସରକାରୀ ଚାକିରି ହେଉ, ପ୍ରତ୍ୟେକ ଚାକିରିରେ ସପ୍ତାହକୁ ଛୁଟି ଥାଏ । ନଚେତ ଚାକିରି କରୁଥିବା ବ୍ୟକ୍ତି କାମ କରିବା ଚାପରେ ଅସୁସ୍ଥ ହୋଇପଡ଼ନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୨୬ ବର୍ଷ ଚାକିରିରେ ମାତ୍ର ଗୋଟିଏ ଛୁଟି ନେଇଛନ୍ତି । ଅର୍ଥାତ ସେ ଚାକିରି କରୁଥିବା ସମୟରେ ମାତ୍ର ଗୋଟିଏ ଦିନ ଛୁଟିରେ ରହିଥିଲେ । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ କିନ୍ତୁ ଏ ବ୍ୟକ୍ତି ଜଣଙ୍କ ସତରେ ଏମିତି କିଛି ଆଶ୍ଚର୍ଯ୍ୟ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କ ନାମ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସାମିଲ ହୋଇଛି ।

ଉତ୍ତରପ୍ରଦେଶର ବିଜନୋରର ଦ୍ୱାରିକେଶ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବୁନ୍ଦକିରେ ଅତିରିକ୍ତ ମ୍ୟାନେଜର ପର୍ସନାଲ ଭାବରେ କାର୍ଯ୍ୟ କରୁଥିବା ତେଜପାଲ ସିଂ ତାଙ୍କ କାର୍ଯ୍ୟକୁ ଏତେ ଭଲ ପାଉଥିଲେ ଯେ କେବେ ବି ଛୁଟି ନେଇ ନାହାନ୍ତି । ବନ୍ୟା ହେଉ କି ବାତ୍ୟା ହେଉ କି କୌଣସି ମହାମାରୀ ହେଉ ତେଜପାଲ କେବେ ବି ଛୁଟି ନେବାକୁ ଇଚ୍ଛା କରି ନଥିଲେ ।

ସେ ୨୬ ଡିସେମ୍ବର ୧୯୯୫ରୁ ବୁନ୍ଦକିର ଦ୍ୱାରିକେଶ ସୁଗାର ମିଲରେ ଟ୍ରେନି କ୍ଲର୍କ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୬ ଡିସେମ୍ବର ୧୯୯୫ ରୁ ୫ ମେ ୨୦୨୧ ପର୍ଯ୍ୟନ୍ତ ପ୍ରାୟ ୨୬ ବର୍ଷର କାର୍ଯ୍ୟକାଳରେ କେବଳ ଗୋଟିଏ ଛୁଟି ନେଇଥିଲେ । ଯେଉଁଥିପାଇଁ ତାଙ୍କ ନାଁ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ କରାଯାଇଛି ।

ହରି ସିଂଙ୍କ ପୁଅ ତେଜପାଲ ସିଂ ଏଭଳି ରେକର୍ଡ କରିଛନ୍ତି । ସେ ସବୁବେଳେ ଠିକ୍ ସମୟରେ ନିଜ କାର୍ଯ୍ୟାଳୟରେ ପହଞ୍ଚିଥାନ୍ତି । କମ୍ପାନୀ ତରଫରୁ ସାପ୍ତାହିକ ଛୁଟି ବ୍ୟତୀତ କମ୍ପାନୀରେ ଗୋଟିଏ ବର୍ଷରେ ୪୫ ଦିନ ପାଇଁ ଛୁଟି ବ୍ୟବସ୍ଥା ରହିଛି । କିନ୍ତୁ ୧୯୯୫ ମସିହାରୁ ୨୦୨୧ ମସିହା ମଧ୍ୟରେ ତେଜପାଲ ମାତ୍ର ଥରେ ହିଁ ଛୁଟି ନେଇଥିଲେ । ତାଙ୍କ ସାନଭାଇର ବିବାହ ପାଇଁ ୧୮ ଜୁନ୍ ୨୦୦୩ରେ କେବଳ ଗୋଟିଏ ଦିନ ପାଇଁ ଛୁଟି ନେଇଥିଲେ।

ତେଜପାଲଙ୍କ କହିବା ଅନୁସାରେ ସେ ରବିବାର ଏବଂ କୌଣସି ପର୍ବରେ ମଧ୍ୟ ଛୁଟି ନନେଇ ଅଫିସକୁ ଯାଆନ୍ତି। ଯଦି କୌଣସି ଘରୋଇ କାମ ଥାଏ ତେବେ ସେ ରବିବାର ଦିନ ଶ୍ରୀଘ୍ର କାମ ସାରି ଅଫିସରୁ ବାହାରି ଯାଆନ୍ତି । ଏଥିପାଇଁ ତାଙ୍କ ନାମ ଏହି ସପ୍ତାହରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ ହୋଇଛି।
ତେଜପାଲ ସିଂ କହିଛନ୍ତି ଯେ ତାଙ୍କ ପିତା ହରି ସିଂ ତାଙ୍କୁ କାମରୁ ଅନାବଶ୍ୟକ ଛୁଟି ନ ନେବାକୁ ଶିଖାଉଥିଲେ । ସେ ଯେଉଁ ସ୍ଥାନରେ କାମ କରୁଥିଲେ ସେହି ସ୍ଥାନଟି ଗାଁଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିଲା । ଗାଁରୁ ମୁଖ୍ୟ ରାସ୍ତାକୁ ଯିବା ପାଇଁ ରାସ୍ତା ନଥିବାରୁ ତାଙ୍କ ସାନଭାଇ ମନୋଜ ତାଙ୍କୁ ପ୍ରତିଦିନ ବାଇକରେ ବସ୍‌ ଷ୍ଟପ୍‌ ରେ ପହଞ୍ଚାନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ ।

ତେଜପାଲ ସିଂ ଜଣେ ଟ୍ରେନି କ୍ଲର୍କ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଦେଖି କମ୍ପାନୀ ତାଙ୍କୁ ପ୍ରୋତ୍ସାହିତ କରି ଚାଲିଥିଲା ଏବଂ ବର୍ତ୍ତମାନ ସେ ଅତିରିକ୍ତ ମ୍ୟାନେଜର ପର୍ସନାଲ ପଦରେ କାର୍ଯ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.