ପାର୍କରେ ବ୍ୟାୟାମ କରୁଥିବା ବେଳେ ହୃଦଘାତ, ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକଙ୍କ ପରଲୋକ

ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କର ଆଜି ସକାଳେ ପରଲୋକ ଘଟିଛି ।

ଭୁବନେଶ୍ୱର : ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କର ଆଜି ସକାଳେ ପରଲୋକ ଘଟିଛି । ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଛନ୍ତି ।
ଆଜି ସକାଳେ ଶ୍ରୀ ମଲ୍ଲିକ ପାର୍କରେ ବ୍ୟାୟାମ କରିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ । ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା କ୍ଷଣି ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ଅନ୍ୟ ଅଧିକାରୀବୃନ୍ଦ କ୍ୟାପିଟାଲ୍ ହସ୍ପିଟାଲ୍ରେ ପହଞ୍ଚିଥିଲେ । ପରେ ଶ୍ରୀ ମଲ୍ଲିକଙ୍କ ମୃତଶରୀରକୁ ତାଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ଶବାଧାରରେ ମାଲ୍ୟାର୍ପଣ କରିଥିଲେ ।

ସରକାରୀ ବାସଭବନ ଓ ଡାକ୍ତରଖାନା ପରିସରରେ ପ୍ରଫୁଲ୍ଲଙ୍କ ପରଲୋକରେ ଶୋକାକୁଳ ଆତ୍ମୀୟସ୍ୱଜନ ଓ ବିଭାଗର ସହକର୍ମୀ ତଥା ସମ୍ପର୍କୀୟମାନଙ୍କର ଭିଡ଼ ଲାଗିଥିଲା । ଅପରାହ୍ନରେ ମୃତଦେହକୁ ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ସମସ୍ତ କର୍ମଚାରୀ, ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍ବୀର ସିଂ, ବିଶ୍ୱଜିତ ଦାଶ ପ୍ରମୁଖ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ବିୟୋଗରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଓ ନିର୍ଦ୍ଦେଶକ ଶ୍ରୀ ସାମଲଙ୍କ ଉପସ୍ଥିତିରେ ନୀରବ ପ୍ରାର୍ଥନା କରାଯାଇଥିଲା ।

ଶ୍ରୀ ମଲ୍ଲିକ ୧୯୯୪ ମସିହାରେ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଧର୍ମଗଡ଼ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରି ସେ ପରେ ଜୟପୁର, କୋରାପୁଟରେ ଦାୟିତ୍ୱ ନିର୍ବାହ କରିଥିଲେ । ଭୁବନେଶ୍ୱରସ୍ଥିତ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶାଳୟରେ ଯୋଗ ଦେଇ ସୂଚନା ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ । ପ୍ରକାଶନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକସଂପର୍କ ଅଧିକାରୀ ଭାବରେ ସେ କାର୍ଯ୍ୟରତ ଥିଲେ । ଶ୍ରୀ ମଲ୍ଲିକ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ଥିଲେ । ବିଭାଗର କାର୍ଯ୍ୟରେ ସେ ଯଥେଷ୍ଟ ଶୃଙ୍ଖଳା ଓ ନିଷ୍ଠାପରତା ପ୍ରଦର୍ଶନ କରି ଆସୁଥିଲେ । ତାଙ୍କ ବିୟୋଗରେ ବିଭାଗରେ ଶୋକର ଛାୟା ଖେଳି ଯାଇଛି । ଆଜି ସନ୍ଧ୍ୟାରେ ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା କହନା ଗ୍ରାମରେ ଅନ୍ତ୍ୟେଷ୍ଟିକ୍ରିୟା ହେଉଛି । ଶ୍ରୀ ମଲ୍ଲିକଙ୍କର ପତ୍ନୀ, ଦୁଇ କନ୍ୟା ଓ ପୁତ୍ର ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.