ଦଂଶିଲା ସାପ ଗଲା ଜୀବନ, ବଢ଼ିବାରେ ଲାଗିଛି ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା

ଚିନ୍ତା ବଢ଼ାଇଲାଣି ସାପ କାମୁଡ଼ା ଜନିତ ମୃତ୍ୟୁ । ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ୁଥିବା ବେଳେ ସମସ୍ତ ମେଡିକାଲରେ ଆଂଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।

ଦେବଗଡ଼/ଉଦଳା (କେନ୍ୟୁଜ): ଦଂଶିଲା ସାପ। ବିଷାକ୍ତ ସାପ କାମୁଡାରେ ଗଲା ଗୋଟିଏ ପରିବାରର ଦୁଇ ଶିଶୁଙ୍କ ଜୀବନ । ମୃତ ଶିଶୁ ଦ୍ଵୟ ହେଲେ ଦେବଗଡ଼ ଥାନା ଅନ୍ତର୍ଗତ ଜାଂଗଲିକୁଦର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ଶିଶୁ ପୁତ୍ର ଗୌରାଙ୍ଗ ଦେହୁରୀ (୧୪) ଓ ସୌଭାଗ୍ଯ ଦେହୁରୀ (୮)। ଗତକାଲି ରାତିରେ ଦୁଇ ଭାଇ ଘର ଚଟାଣରେ ଶୋଇଥିଲେ। ଭୋର ସମୟରେ ଏକ ସାପ ଆସି ଦୁଇଜଣଙ୍କୁ କାମୁଡି ଦେଇଥିଲା । ପରିବାର ଲୋକ ଦୁଇଜଣଙ୍କୁ ତୁରନ୍ତ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଦୁଇ ଭାଇଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ଏପଟେ ଅନ୍ୟ ଜଣେ ବି ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି । ସେ ହେଉଛନ୍ତି ବଳମ ଗ୍ରାମର କ୍ଷମାନିଧି କାରିଗର (୫୦)। ତେବେ ଚିତି ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ନାଗ ସାପ କାମୁଡ଼ାରର କ୍ଷମାନିଧିଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ପ୍ରାୟ ୧୬ରୁ ଊର୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜରୁରୀକାଳିନ ଅଧିକାରୀ ସୁଶାନ୍ତ ନାୟକ ସୂଚନା ଦେଇଥିବା ବେଳେ ସାପ କାମୁଡା ମାମଲା ପ୍ରାୟ ତଳେ ଶୋଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟୁଥିବା କୁହାଯାଇଛି । ଏପଟେ ବିଳମ୍ବରେ ଚିକିତ୍ସା ସାପ କାମୁଡା ମୃତ୍ୟୁର ମୁଖ୍ଯ କାରଣ ବୋଲି ଡାକ୍ତର ମନୋରଞ୍ଜନ ସାମଲ ପ୍ରକାଶ କରିଛନ୍ତି ।

ସାପ କାମୁଡାରେ ଗୁରୁତର ହେଲା ମା, ଆଉ ଚାଲିଗଲା ଦେଢବର୍ଷ ଶିଶୁ ପୁତ୍ରର ଜୀବନ:

ଏପଟେ ସାପ କାମୁଡାରେ ଗୁରୁତର ହେଲା ମା, ଆଉ ଚାଲିଗଲା ଦେଢବର୍ଷ ଶିଶୁ ପୁତ୍ରର ଜୀବନ । ଗୁରୁତର ଅବସ୍ଥାରେ ମା ମିନତୀ ମହାକୁଡ଼ଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ମୟୁରଭଞ୍ଜ ଜିଲ୍ଲାର ଶରତ ଥାନା କଟୁରିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ମିନତୀ ନିଜ ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ଚିତି ସାପ ଘରେ ପଶି ଦୁଇ ଜଣଙ୍କୁ କାମୁଡ଼ି ଦେଇଥିଲା। ମିନତୀଙ୍କ ସ୍ୱାମୀ ମାଆ ଓ ପୁଅ ଦୁଇ ଜଣଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ମା ମିନତୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ପ୍ରାଥମିକ ଚିକିତ୍ସା ପରେ ମିନତୀଙ୍କୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

snake

ସାପ କାମୁଡ଼ା ଜନିତ ମୃତ୍ୟୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅପିଲ:

ଏପଟେ ଚିନ୍ତା ବଢ଼ାଇଲା ସାପ କାମୁଡ଼ା ଜନିତ ମୃତ୍ୟୁ । ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ୁଥିବା ବେଳେ ସମସ୍ତ ମେଡିକାଲରେ ଆଂଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଭିତରେ ସଚେତନତା ନଥିବାରୁ ସାପ କାମୂଡା ପାଇଁ ଗୁଣି ଗାରେଡ଼ି କରି ସମୟ ନଷ୍ଟ କରୁଛନ୍ତି । ସାପ କାମୁଡ଼ିଲେ ଗୁଣି ଗାରେଡ଼ି ଚିକିତ୍ସା ନକରି ତୁରନ୍ତ ମେଡିକାଲ ଆଣିବାକୁ ଲୋକଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅପିଲ କରିଛନ୍ତି ।

ଏପଟେ ସାପ କାମୁଡ଼ାରୁ ରକ୍ଷା ପାଇବା ଲାଗି ନଜେ ସତର୍କ ରହିବାକୁ ପଡିବ:

ନିଜର ଘର ଆଖପାଖ ସଫା ରଖିବା ସହିତ ଘରକୁ ଲାଗି ଅନାବନାଗଛ ବା ବୁଦାକୁ ସଫା କରନ୍ତୁ । ଘରକୁ ମୂଷା, ବେଙ୍ଗ ଭଳି ଜୀବକୁ ରହିବାକ ଦିଅନ୍ତୁ ନାହିଁ । ଯଦି ଆପଣ ସାପ କାମୁଡାର ଶିକାର ହେଉଛନ୍ତି, ତେବେ ଭୟବିତ ନହୋଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଚାଲିଯାଆନ୍ତୁ। ସାପ କାମୁଡ଼ା ସ୍ଥାନରେ ବରଫ ରଖନ୍ତୁ ନାହିଁ କିମ୍ବା କୌଣସି ଚେରମୂଳି ଲଗାନ୍ତୁ ନାହିଁ। ସାପ କାମୁଡ଼ା ସ୍ଥାନରୁ ପାଟି ଜରିଆରେ ବିଷ କାଢିବାକୁ ଚେଷ୍ଟା କରନ୍ତୁ ନାହିଁ। ବିଶେଷ କରି ଗୁଣି ଗାରେଡି ଭଳି କାର୍ଯ୍ୟରୁ ନିବୃତ ରୁହନ୍ତୁ ।