ଇଷ୍ଟ୍ ଇଣ୍ଡିଆ କମ୍ପାନୀ, ଇଣ୍ଡିଆନ୍ ମୁଜାହିଦ୍ଦିନ ନାଁ ନେଇ ବିରୋଧୀ ମେଣ୍ଟ ‘I.N.D.I.A’ ଉପରେ ଖୁବ୍ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ସଂସଦରେ ଜାରି ହଙ୍ଗାମା ଏବଂ ବିରୋଧୀଙ୍କ ମେଣ୍ଟର ନାଁରେ ‘ଇଣ୍ଡିଆ’ ଶବ୍ଦ ବ୍ୟବହାରକୁ ନେଇ ଖୁବ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ନୂଆ ମେଣ୍ଟ ‘ଇଣ୍ଡିଆ (I.N.D.I.A)’କୁ ନେଇ ଖୁବ୍ ବର୍ଷିଛନ୍ତି। ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ସଂସଦରେ ଜାରି ହଙ୍ଗାମା ଏବଂ ବିରୋଧୀଙ୍କ ମେଣ୍ଟର ନାଁରେ ‘ଇଣ୍ଡିଆ’ ଶବ୍ଦ ବ୍ୟବହାରକୁ ନେଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି।
ବିଜେପି ସଂସଦୀୟ ଦଳର ମୁଖ୍ୟ ବୈଠକରେ ମୋଦି କହିଛନ୍ତି ଯେ କେବଳ ‘ଇଣ୍ଡିଆ’ ନାମ ବ୍ୟବହାର କରିଦେଲେ କାମ ଚଳିବ ନାହିଁ। ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ ମୁଜାହିଦ୍ଦିନ ମଧ୍ୟ ଇଣ୍ଡିଆ ଶବ୍ଦ ବ୍ୟବହାର କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ସକାଳେ ବୈଠକରେ ଯୋଗ ଦେଇଥିଲେ। ମଣିପୁର ପ୍ରସଙ୍ଗରେ ସଂସଦରେ ପ୍ରବଳ ହଙ୍ଗାମାକୁ ନେଇ ମୋଦି କହିଛନ୍ତି ଯେ ସେ ଏପରି ‘ଦିଗହୀନ ବିରୋଧୀ’ କେବେ ଦେଖି ନାହାଁନ୍ତି। ବିରୋଧୀମାନେ ବିଛିନ୍ନ ଏବଂ ହତାଶ ହୋଇଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ବିରୋଧୀଙ୍କ ମନୋଭାବ ଦେଖିଲେ ଲାଗୁଛି, ଯେମିତି ସେମାନେ ଲମ୍ବା ସମୟ ଧରି କ୍ଷମତାକୁ ଆସିବାକୁ ଚାହୁଁନାହାନ୍ତି। ସୂଚନାଥାଉ କି, ଜୁଲାଇ ୧୮ରେ ବେଙ୍ଗାଲୁରୁରେ ଆୟୋଜିତ ବିରୋଧୀ ବୈଠକରେ ୨୬ଟି ବିରୋଧୀ ଦଳ ସେମାନଙ୍କ ମିଳିତ ମେଣ୍ଟର ନାମ ‘I.N.D.I.A’ ରଖିଥିଲେ।