ମହାସାଗରରେ ଛୋଟ ହେଉଛି ମାଛର ଆକାର, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ
ଅନେକ ସମସ୍ୟା ମଧ୍ୟରୁ ସମଗ୍ର ବିଶ୍ୱରେ ମାଛର ଆକାର କମି ଯାଉଥିବା ସମସ୍ୟା ଅନ୍ୟତମ । କିନ୍ତୁ ଏହା କେମିତି ସମ୍ଭବ ହେଉଛି । ଏଭଳି ପ୍ରଶ୍ନ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । ସେମାନଙ୍କୁ ଏହି ଘଟଣା ଅଧିକ ଦ୍ୱନ୍ଦରେ ପକାଉଛି ।

ଧୀରେ ଧୀରେ ଗରମ ହେଉଛି ସମୁଦ୍ର । ମହାସାଗରରେ ବଢ଼ୁଥିବା ତାପମାତ୍ରା ପାଇଁ ଅନେକ ସମସ୍ୟା ଦେଖାଗଲାଣି । ଅନେକ ସମୁଦ୍ର ଜୀବ ବିଲୁପ୍ତ ହୋଇଗଲେଣି । ଅନେକ ସମସ୍ୟା ମଧ୍ୟରୁ ସମଗ୍ର ବିଶ୍ୱରେ ମାଛର ଆକାର କମି ଯାଉଥିବା ସମସ୍ୟା ଅନ୍ୟତମ । କିନ୍ତୁ ଏହା କେମିତି ସମ୍ଭବ ହେଉଛି । ଏଭଳି ପ୍ରଶ୍ନ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । ସେମାନଙ୍କୁ ଏହି ଘଟଣା ଅଧିକ ଦ୍ୱନ୍ଦରେ ପକାଉଛି । ଏହାର ଅନେକ କାରଣ ମଧ୍ୟ ସାମ୍ନାକୁ ଆସିଛି , କିନ୍ତୁ ନିକଟରେ ଏକ ନୂଆ ଷ୍ଟଡି ଆସିଛି ଯାହା କାରଣକୁ ଚ୍ୟାଲେଞ୍ଜ କରିଛି । ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଯେଉଁ କାରଣ ଖୋଜି ପାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଆସନ୍ତୁ ଜାଣବା କାହିଁକି ମାଛମାନଙ୍କର ଆକାର ଧୀରେ ଧୀରେ ଛୋଟ ହେବାକୁ ଲାଗିଲାଣି ।
ଅଧ୍ୟୟନ ଅନୁଯାୟୀ, ମାଛର ଆକାର ହ୍ରାସ ହେବାର କାରଣ ହେଉଛି ସେମାନଙ୍କର ଗିଲ୍ସ ବା ଶ୍ୱାସକ୍ରିୟା ଗ୍ରନ୍ଥି । ଯାହା ଧିରେ ଧିରେ ଛୋଟ ହୋଇଯାଉଛି ଏବଂ ମାଛମାନେ ଅଧିକ ଅମ୍ଳଜାନ ଗ୍ରହଣ କରିବାରେ ସକ୍ଷମ ହେଉନାହାନ୍ତି ।ଅଧ୍ୟୟନରୁ ମିଳିଥିବା ଏହି ସିଦ୍ଧାନ୍ତକୁ ଗିଲ ଅକ୍ସିଜେନ୍ ଲିମିଟେସନ୍ ଥିଓରୀ କୁହାଯାଉଛି । ଏହି ରିସର୍ଚ୍ଚ ଅନୁଯାୟୀ ସମୁଦ୍ରର ତାପମାତ୍ରା ବଢ଼ୁଥିବାରୁ ମାଛର ଗିଲ୍ସ ଛୋଟ ହେଉଛି ।
ବ୍ରୁକ୍ ଟ୍ରାଉଟ୍ ନାମକ ମାଛ ଉପରେ ରିସର୍ଚ୍ଚ କରୁଥିବା ଅନୁସନ୍ଧାନକାରୀମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାପମାତ୍ରା ବୃଦ୍ଧି ହେତୁ ମାଛର ଆକାର ହ୍ରାସ ପାଉଛି ସତ କିନ୍ତୁ ମାଛର ଗିଲ୍ସର ଆକାର କମ୍ ହେବା ସହିତ ସମୁଦ୍ର ତାପମାତ୍ରା ସହିତ ସିଧାସଳଖ କୌଣସି ସମ୍ପର୍କ ନାହିଁ। ଏମହର୍ଷ୍ଟ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ଅଧ୍ୟାପକ ଜୋଶୁଆ ଲୋନଥେଅର୍ ମଧ୍ୟ ତାପମାତ୍ରା କାରଣରୁ ମାଛମାନଙ୍କର ଆକାର ଛୋଟ ହେଉଥିବା ଗୁରୁତ୍ୱାରୋପ କରିଥିଲେ ।
ଅଧ୍ୟାପକ ଲୋନଥେଅର୍ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆମ ମହାସାଗର ଏବଂ ନଦୀ ଗରମ ହେଉଛି । ଫଳରେ କେବଳ ମାଛ ନୁହେଁ ଅନେକ ପ୍ରାଣୀଙ୍କ ବୟସ ହୋଇଯିବା ପରେ ସେମାନେ ଆକାରରେ ଛୋଟ ହୋଇଯାଉଛନ୍ତି । କିନ୍ତୁ ବର୍ଷ ବର୍ଷ ଧରି ଅନୁସନ୍ଧାନ ପରେ ମଧ୍ୟ ଏଭଳି କାହିଁକି ବା କିପରି ଘଟୁଛି ତାହା ଜଣା ପଡୁ ନାହିଁ ।
ଅନୁସନ୍ଧାନକାରୀମାନେ ମାଛର ଅଧ୍ୟୟନ କରିବା ପାଇଁ ବ୍ରୋକ୍ ଟ୍ରାଉଟ୍ ପ୍ରଜାତିର ମାଛକୁ ବାଛିଥିଲେ। ବୈଜ୍ଞାନିକମାନେ ଅଳ୍ପ କିଛି ମାଛକୁ ୧୫ ଡିଗ୍ରୀ ସେଲସିୟସ ପାଣିରେ ରଖିଥିଲେ ତ ସମାନ ପ୍ରଜାତିର କିଛି ମାଛକୁ ୨୦ ଡିଗ୍ରୀ ସେଲସିୟସ ପାଣିର ଏକ ଟ୍ୟାଙ୍କରେ ରଖିଥିଲେ ।ପ୍ରତି ମାସରେ ମାଛର ଓଜନ, ଆକାର ଏବଂ ଅମ୍ଳଜାନ ବ୍ୟବହାରରେ ହେଉଥିବା ପରିବର୍ତ୍ତନ କୁ ପରୀକ୍ଷା କରାଯାଉଥିଲା । ଏହା ସହିତ ମାଛମାନଙ୍କର ଗିଲରେ ହେଉଥିବା ପରିବର୍ତ୍ତନକୁ ଭଲ ଭାବେ ପରୀକ୍ଷା କରାଯାଇଥିଲା । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ ଯେ ମାଛର ଆକାର ହ୍ରାସ ପାଉଛି । କିନ୍ତୁ ମାଛର ଗିଲ୍ସ କମି ନଥିଲା । ମାଛମାନେ ଅମ୍ଳଜାନ କମ୍ ବ୍ୟବହାର କରିଥିବା ମଧ୍ୟ ଦେଖାଯାଇନଥିଲା । ଏହାର କାରଣ ଜାଣିବା ପାଇଁ ବୈଜ୍ଞାନିକମାନଙ୍କୁ ଅଧିକ ଅନୁସନ୍ଧାନ କରିବାକୁ ପଡିବ ।