ନିର୍ବନ୍ଧ ପାଇଁ ଲେହେଙ୍ଗା ବୁକ୍‌ କରିବାକୁ ଯାଇଥିଲା ଝିଅ, ଟ୍ରାକ୍ଟର ଧକ୍କାରେ ଉଡ଼ିଗଲା ପ୍ରାଣବାୟୁ

ଏଠାରେ ବିବାହ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଆସନ୍ତା ଏପ୍ରିଲ ୧୮ରେ ଯୁବତୀଙ୍କର ବାହାଘର ଥିଲା ।

ୟୁପିର ବାନ୍ଦା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଆସନ୍ତା ଏପ୍ରିଲ ୧୮ରେ ଯୁବତୀଙ୍କର ବାହାଘର ଥିଲା । ଏହାପୂର୍ବରୁ ଏପ୍ରିଲ ୪ରେ ତାଙ୍କ ନିର୍ବନ୍ଧ ଉତ୍ସବ ଥିଲା । ଏଥିପାଇଁ ଯୁବତୀ ତାଙ୍କ ବାପାଙ୍କ ସହ ଲେହେଙ୍ଗା ବୁକ୍‌ କରିବାକୁ ବଜାର ଯାଇଥିଲେ । ଫେରିବା ରାସ୍ତାରେ ହିଁ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନା ମୁତାବକ, ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ବାପଝିଅଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଯୁବତୀଙ୍କ ବାପା ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଛି ।

କମାସିନ ଥାନା ଅଧୀନ ତିଲୌସା ଗାଁର ଶିବଶରଣ ବିଶ୍ୱକର୍ମାଙ୍କ ଝିଅ ପୂଜା ଦେବୀଙ୍କର ଏପ୍ରିଲ ମାସରେ ବାହାଘର ଥିଲା । ଏହାପୂର୍ବରୁ ନିର୍ବନ୍ଧ ପାଇଁ ପରିବାର ଲୋକେ ପ୍ରସ୍ତୁତି କରୁଥିଲେ । ଶନିବାର ସନ୍ଧ୍ୟାରେ ଶିବଶରଣ ଝିଅକୁ ଧରି ନିର୍ବନ୍ଧର ଲେହେଙ୍ଗା ବୁକ୍‌ କରିବା ପାଇଁ କମାସିନ ବଜାର ଯାଇଥିଲେ । ଝିଅର ଶପିଂ ପରେ ଉଭୟ ସ୍କୁଟିରେ ଘରକୁ ଫେରୁଥିଲେ । ହେଲେ ଏହି ସମୟରେ ରାସ୍ତାରେ ଏକ ଟ୍ରାକ୍ଟର ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୂଜାଙ୍କ ଉପରେ ଗାଡ଼ି ମାଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ସେପଟେ ବାହାଘର ପୂର୍ବରୁ ଝିଅର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.