ଆଜି ଅନ୍ତର୍ଜାତୀୟ ହସ୍ତୀ ଦିବସ: ଓଡ଼ିଶାରେ କମୁଛନ୍ତି ହାତୀ, ବଢ଼ୁଛି ମୃତ୍ୟୁ ସଂଖ୍ୟା; ହାତୀ କରିଡର ସୁରକ୍ଷା ଉପରେ ଗୁରୁତ୍ୱ

ଆଜି ସାରା ବିଶ୍ୱରେ ପାଳିତ ହେଉଛି ଅନ୍ତର୍ଜାତୀୟ ହସ୍ତୀ ଦିବସ। ଚଳିତବର୍ଷ ହସ୍ତୀ ଦିବସର ଥିମ୍‌ ଘୋଷଣା କରାଯାଇ ନ ଥିବା ବେଳେ ହାତୀ ସଂରକ୍ଷଣ ଏବଂ ସେମାନଙ୍କ ସୁରକ୍ଷା ନେଇ ବିଶ୍ୱବାସୀଙ୍କୁ ସଚେତନ କରେଇବା ଏହି ଦିବସର ମୂଳ ଉଦ୍ଦେଶ୍ୟ ରହିଛି। ୨୦୧୨ ଅଗଷ୍ଟ ୧୨ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଏହାପରଠାରୁ ପ୍ରତ୍ୟେକ ବର୍ଷ ବିଭିନ୍ନ ସଙ୍ଗଠନ, ସାମାଜିକ ଏବଂ ସରକାରୀ ଅନୁଷ୍ଠାନ ପକ୍ଷରୁ ହସ୍ତୀ ଦିବସ ପାଳନ କରାଯାଇ ଆସୁଛି।

ତେବେ ଏହାରି ଭିତରେ ବିଗତ କିଛି ବର୍ଷ ହେବ ବିଶ୍ୱରେ ହାତୀ ସଂଖ୍ୟା କମିବାରେ ଲାଗୁଛି। ଏମାନଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି। ୨୦୧୦ ଅକ୍ଟୋବର ୧୩ରେ ଜାତୀୟ ବନ୍ୟ ପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟି ପକ୍ଷରୁ ହାତୀକୁ ଭାରତର ଜାତୀୟ ଐତିହ୍ୟ ପ୍ରାଣୀ ଭାବେ ଘୋଷଣା କରାଯାଇଛି। ତଥ୍ୟ ରହିଛି କି, ୧୯୭୯ ମସିହାରେ ଓଡ଼ିଶାରେ ହାତୀ ସଂଖ୍ୟା ଥିଲା ୨,୦୪୪। କିନ୍ତୁ ୨୦୧୭ ହାତୀ ଗଣନା ଅନୁସାରେ, ଏହା ୧୯୭୬କୁ କମିଛି। ଆସନ୍ତା ୨୦୨୨ରେ ପୁନଃ ହାତୀ ଗଣନା ହେବ।

ବିଶେଷ କରି ଓଡ଼ିଶାରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ହାତୀଙ୍କ ସଂଖ୍ୟା କମିବାରେ ଲାଗିଛି। ୧୯୯୯ରୁ ୨୦୦୦ ମସିହା ଭିତରେ ବର୍ଷକୁ ପ୍ରାୟ ୩୩ ହାତୀ ମୃତ୍ୟୁବରଣ କରିଥିଲେ। ୨୦୦୦ରୁ ୨୦୧୦ ମସିହା ଭିତରେ ହାତୀ ମୃତ୍ୟୁ ସଂଖ୍ୟା ବର୍ଷକୁ ପାଖାପାଖି ୪୬କୁ ବୃଦ୍ଧି ପାଇ ଯାଇଥିଲା। ଏବେ ୨୦୧୦ ମସିହା ପରଠାରୁ ବର୍ଷକୁ ପାଖାପାଖି ୭୮ ହାତୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ୨୦୦୦ ରୁ ୨୦୧୦ ମଧ୍ୟରେ ରାଜ୍ୟରେ ମୋଟ ୪୬୩ଟି ହାତୀ ମରିଥିବା ବେଳେ ୨୦୧୦ରୁ ୨୦୨୦ ମଧ୍ୟରେ ଏହି ସଂଖ୍ୟା ରହିଛି ୭୮୪। ଗତ ୧୦ ବର୍ଷରେ ମୃତ୍ୟୁବରଣ କରିଥିବା ୭୮୪ ହାତୀଙ୍କ ମଧ୍ୟରୁ ୨୮୧ ହାତୀଙ୍କ ମୃତ୍ୟୁ ଅସ୍ୱାଭାବିକ ରୂପେ ହୋଇଛି। ସେହିପରି ୧୬୦ଟି ହାତୀଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ଚିତ୍ର ନ ଥିବା ବେଳେ ୧୧୪ଟି ହାତୀ ଶିକାରୀ କବଳରେ ପଡ଼ିଛନ୍ତି।

ମୁଖ୍ୟତଃ ଦାନ୍ତ ପାଇଁ ହାତୀ ଶିକାର କରାଯାଉଥିବାରୁ ଏହା ବନ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅନେକ ସମୟରେ ଫସଲ ଲୋଭରେ ଆସୁଥିବା ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି, ଯାହାକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗ ହାତୀ କରିଡର ଉପରେ ବିଶେଷ ଗୁରୁତ୍ୱ ଦେଉଛି। ତେବେ ରାଜ୍ୟର ୫ଟି ସ୍ଥାନରେ ହାତୀ ରିଜର୍ଭ ଚିହ୍ନଟ ହୋଇଥିବା ବେଳେ କେବଳ ୩ଟି ରିଜର୍ଭ ମହାନଦୀ, ମୟୁରଭଞ୍ଜ ଓ ସମ୍ବଲପୁର ରିଜର୍ଭକୁ ମାନ୍ୟତା ମିଳିଛି। ଅନ୍ୟ ଦୁଇଟି ରିଜର୍ଭ ଦକ୍ଷିଣ ଓଡିଶା ରିଜର୍ଭ ଓ ବୈତରଣୀ ରିଜର୍ଭକୁ ଏ ପର୍ଯ୍ୟନ୍ତ ମାନ୍ୟତା ମିଳି ନାହିଁ। ଯଦି ବାକି ରିଜର୍ଭକୁ ମାନ୍ୟତା ଦିଆଯାଆନ୍ତା, ତେବେ ହାତୀଙ୍କୁ ସୁରକ୍ଷା ମିଳିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.