Below header

ଅଂଶୁପା ପାଶ୍ଵର୍ରେ ରହିଛି ଐତିହାସିକ ସ୍ଥଳ ସରଣ୍ଡା ଗଡ଼, ଏବେ ପର୍ଯ୍ୟଟନ ସ୍ଥଳୀ

ବାଙ୍କୀ (କେନ୍ୟୁଜ୍‌) : ହୁଏତ ଆମ ଦେଶରେ ରାଜା ଓ ସମ୍ରାଟ୍‌୍‌ମାନେ ନିଜର ପ୍ରତିପତ୍ତି କିମ୍ବା କଳା ପ୍ରତି ଥିବା ମୋହକୁ ଦେଖାଇବା ପାଇଁ ବଡ଼ ବଡ଼ ପ୍ରାସାଦ ଠାରୁ ଆରମ୍ଭ କରି ମନ୍ଦିର ଆଦି ନିର୍ମାଣ କରିଥିଲେ । ସେମାନଙ୍କ ପୃଷ୍ଠପୋଷକତାରେ ଆମ ଦେଶ ଓ ରାଜ୍ୟରେ ଥିବା ଶିଳ୍ପର ସୃଜନଶୀଳତା ଫୁଟି ଫୁଟି ବାହାରୁଥିଲା । ହେଲେ ସେମାନେ ମଧ୍ୟ ଜାଣି ନଥିବେ କି ଏସବୁ ଦିନେ ଐତିହ୍ୟ ପାଲଟିବ ଆଉ ସାଧାରଣ ଲୋକଙ୍କ ପାଇଁ ଦର୍ଶନୀୟ ହୋଇଯିବ । ଏମିତିକି ସରକାର ଏସବୁଥିରୁ ରାଜସ୍ୱ ସିନା ପାଉଛନ୍ତି ହେଲେ କେବେ ଭାବି ନଥିଲେ କି ଏଭଳି ଐତିହ୍ୟ ସବୁ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି । ଆମ ରାଜ୍ୟରେ ଏମିତି ଅନେକ ଐତିହ୍ୟ ସ୍ଥଳ ଏବଂ ମନ୍ଦିର ରହିଛି । ଏସବୁ ସ୍ଥାନ ପଛରେ ଅଛି ଅନେକ ରହସ୍ୟ ଓ କିମ୍ବଦନ୍ତୀ । ଏଥିରୁ ବହୁ ସ୍ଥାନର ବିକାଶ ହୋଇଥିବା ବେଳେ ଆହୁରି ଶହ ଶହ ଐତିହ୍ୟ ଏବଂ ପର୍ଯ୍ୟଟନ ସ୍ଥଳ ଏବେବି ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଯାହାର ବିକାଶ ଘଟିଲେ ବୃଦ୍ଧି ହେବ ରାଜ୍ୟର ରାଜସ୍ୱ, ଦୃଢ଼ ହେବ ଅର୍ଥନୀତି ଆଉ ମର୍ଯ୍ୟାଦା । ଏଭଳି ଏକ ଜାଗା ସମ୍ପର୍କରେ ଆଜି ଆମେ ଜଣାଇବୁ ।

ମଧୁର ଜଳହ୍ରଦ ଅଂଶୁପା । ଏହାରି କୂଳରେ ରହିଛି ପର୍ଯ୍ୟଟନ ସ୍ଥଳୀ ସରଣ୍ଡା ପାହାଡ଼। କଟକ ଜିଲ୍ଲାର ବାଙ୍କୀ ବ୍ଲକ ମହାନଦୀର ଉତ୍ତର ପାର୍ଶ୍ଵରେ ସବୁଜିମା ଭରା ଏହି ଜାଗାଟି ବେଶ୍‌ ମନୋରମ । ଅଂଶୁପା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଦିନ ସାରା ହ୍ରଦରେ ବୁଲି ଖାଦ୍ୟ ଅନେ୍ଵଷଣ କରିବା ପରେ ସନ୍ଧ୍ୟାରେ ପକ୍ଷୀମାନେ ଏହି ପାହାଡ଼ରେ ହିଁ ରହିଥାନ୍ତି। ତେବେ ସରଣ୍ଡା ପର୍ବତର ଇତିହାସ ଓ ଦାର୍ଶନିକ ତତ୍ତ୍ୱକୁ ବିବେଚନା କଲେ ଜଣାପଡ଼େ ଯେ ଶବ୍ଦତାତ୍ତ୍ୱିକ ଭାବରେ ‘ସରଣ୍ଡ’ ଶବ୍ଦର ଅର୍ଥ ହେଉଛି ପକ୍ଷୀ । ପକ୍ଷୀମାନଙ୍କର ‘ଅଗାର’ ବା ବାସସ୍ଥଳୀ । ଏହି ଜାଗା ବହୁ ବିଦେଶାଗତ ପକ୍ଷୀମାନଙ୍କର ରହଣିସ୍ଥଳ ପାଲଟିଛି। ଏହାକୁ ସରଣ୍ଡା କୁହାଯାଉ ଥିଲା। କାଳକ୍ରମେ ଏହା ସରଣ୍ଡା ଗଡ଼ ନାମ କରଣ ହୋଇଛି। ଏହି ପାହାଡ଼ ସମ୍ପର୍କରେ ଉଭୟ ଇତିହାସ ଓ ପୁରାଣରେ ବର୍ଣ୍ଣିତ ଅଛି। …. ଇତିହାସ କହେ, କେଶରୀ ଵଂଶର ଶେଷ ରାଜା ସୁବର୍ଣ୍ଣ କେଶରୀ, ଗଙ୍ଗ ବଂଶୀୟ ରାଜା ଚୋଡ଼ଗଙ୍ଗଦେବଙ୍କଠାରୁ ଯୁଦ୍ଧରେ ପରାସ୍ତ ହେବା ପରେ ମହାନଦୀ ପାର ହୋଇ ଉତ୍ତର ଦିଗକୁ ଯାଉଥିଲେ । ତେବେ ଅଂଶୁପା ହ୍ରଦକୁ ଦେଖି ସରଣ୍ଡା ପାହାଡ଼ରେ ରହିବାକୁ ସ୍ଥିର କଲେ। ଅଂଶୁପାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଅଂଶୁପାର ଜଳପାନ କରିବା ପରେ ମନ ଭିତରେ ତାଙ୍କର ଭାବାନ୍ତର ସୃଷ୍ଟି ହେଲେ। ଏହି କୂଳରେ ରହିବା ପାଇଁ ମନ ବଳାଇଲେ। ସେହି ଅନୁଯାୟୀ ପର୍ବତରେ ରହିବାର ବ୍ୟବସ୍ଥା ମଧ୍ୟ କଲେ।

ଅନ୍ୟପକ୍ଷରେ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବରାଜ ଇନ୍ଦ୍ର ନିଜେ ସୁବର୍ଣ୍ଣ କେଶରୀ ବେଶରେ ଅବତୀର୍ଣ୍ଣ ହୋଇ ଏଠାକୁ ଆସିଥିଲେ। ଅଂଶୁପା ପ୍ରତି ତାଙ୍କର ବରଦାନ ଥିଲା। ସେତେବେଳେ ଅଂଶୁପା ନିକଟବର୍ତ୍ତୀ ଅଞ୍ଚଳ ଅତି ଉର୍ବର ଥାଏ । ଏହାର ମାଟି ସୁନା ଉପୁଜାଉ ଥିଲା । ଅର୍ଥାତ୍‌ ଖୁବ୍‌ ଭଲ ଫସଲ ହେଉଥିଲା ଏଠାରେ । ତେଣୁ ଏହି ଅଞ୍ଚଳର ନାମ ରହିଛି ସୁବର୍ଣ୍ଣପୁର।

ସୁବର୍ଣ୍ଣ କେଶରୀ ରାଜା ତାଙ୍କ ପରିବାର ସହିତ ଏଠାରେ ରହୁଥିଲେ। ଯେଉଁ ହାତୀ ଦ୍ୱାର ଥିଲା,ଏହି ଦ୍ୱାର ଦେଇ ରାଜା ଭ୍ରମଣ କରିବାକୁ ଯାଉଥିଲେ। ଶତ୍ରୁ ପକ୍ଷ ରାଜାମାନଙ୍କ ଆକ୍ରମଣକୁ ଆଶଙ୍କା କରି ସେଠାରେ ବାରୁଦ ଭଣ୍ଡାର କରିଥିଲେ। ସେଥିରେ ଗୋଳ ବାରୁଦ ମହଜୁଦ ରଖା ଯାଉଥିଲା। ଏବେ ବି ଭଗ୍ନ ଅବସ୍ଥାରେ ରହିଛି ସେହି ସ୍ଥାନ। ରାଜା ପ୍ରଜାମାନଙ୍କଠାରୁ ଯେଉଁ ରାଜସ୍ୱ ଆଦାୟ କରୁଥିଲେ ତାହା କଉଡ଼ି ଖାତରେ ରଖୁଥିଲେ। ସେତେବେଳ ଟଙ୍କା ପଇସା ବଦଳରେ କଉଡ଼ି ପ୍ରଚଳନ ଥିଲା । ଯାହା ଟଙ୍କା ଭଳି କାମ କରୁଥିଲା । ତେଣୁ ଏହାକୁ ସଞ୍ଚୟ କରିବା ପାଇଁ କଉଡ଼ି ଖାତ ବା ଆମେ ଏବେ ଯାହାକୁ କହୁଛେ ଟ୍ରେଜେରୀ ତାହା ହିଁ ଥିଲା। କଉଡିର ଅନ୍ୟନାମ ହେଉଛି ବରାଟ ବା କପରଦକ । ଏହାରି ବିନିମୟରେ ଦ୍ରବ୍ୟ କିଣା ଯାଉଥିଲା। ଏହି କଉଡ଼ି ଖାତକୁ ପର୍ଯ୍ୟଟନ ବିଭାଗ ତରଫରୁ ସ୍ମୃତି ଭାବେ ରଖା ଯାଇଛି ।

ରାଜା ସୁବର୍ଣ୍ଣକେଶରୀ ତାଙ୍କର ଏହି ବାନପ୍ରସ୍ଥ ଜୀବନ ଭିତରେ ଅଂଶୁପାର ସୌନ୍ଦର୍ଯ୍ୟ ଓ ସରଣ୍ଡା ପର୍ବତକୁ ଦେଖି ରାଜ୍ୟ ହରାଇବାର ଦୁଃଖକୁ ଭୁଲି ଗଲେ । ଏଠାକାର ସୌନ୍ଦର୍ଯ୍ୟ ତାଙ୍କୁ ବିମୋହିତ କରି ରଖିଥିଲା । ସେଇଥି ପାଇଁ ଅଂଶୁପା କୂଳଟି ହେଉଛି ଶାନ୍ତିପ୍ରଦ ସ୍ଥଳ। ସରଣ୍ଡା ପାହାଡ଼ ହେଉଛି ସୁନ୍ଦର ସାବଲୀଳ କ୍ଷେତ୍ର ଭାବରେ ମନକୁ ଆକର୍ଷିତ କରିଥାଏ। ପାଣି ପାଇଁ ରାଜା ପାହାଡ଼ରେ ଏକ କୂଅ ଖୋଳିଥିଲେ। ଏହି କୂଅକୁ ନେଇ ଏକ ରୋଚକ କଥା ମଧ୍ୟ ରହିଛି । କୂଅଟି ଏଭଳି ଭାବରେ ନିର୍ମିତ ହୋଇଥିଲା ଯେ ସେଥିରୁ ଦୁଇଟି ବାଟରେ ପାଣି ଆଣି ହେଉଥିଲା । ଯଦି ଉପର ବାଟରେ ଭାଇବୋହୂ ପାଣି ଆଣୁଛନ୍ତି ତେବେ ରାଜା ତଳ ପଟେ ଥିବା ସୁଡ଼ଙ୍ଗ ରାସ୍ତାରେ ଚାଲି କରି ଯାଇ ପାଣି ଆଣି ପାରୁଥିଲେ । ଏହା ଏଭଳି ଟେକନିକ୍‌ରେ ନିର୍ମାଣ କରାଯାଇଥିଲା ଯେ ଏକା ସମୟରେ ଦୁଇ ଜଣ କୂଅରୁ ପାଣି ଆଣୁଥିଲେ ମଧ୍ୟ କେହି କାହାରିକୁ ଦେଖି ପାରୁ ନଥିଲେ । ସେଥିଲାଗି କୂଅର ନାମ ରଖା ଯାଇଥିଲା ଭାଇବୋହୂ କୂଅ। ଯାହାକୁ ନେଇ ଅନେକ ପୁରୁଣା ସ୍ମୃତି ରହିଛି। ପର୍ଯ୍ୟଟକଙ୍କ ପାଇଁ ଏହି କୂଅ ଏକ ଭିନ୍ନ ଆକର୍ଷଣ ହୋଇ ରହିଛି ।
ରାଜା ଏହିଠାରେ ରହି ତାଙ୍କ ମିତ୍ର ରାଜାମାନଙ୍କୁ ସାହାଯ୍ୟ କରୁଥିଲେ। ସେତେବେଳେ ରାଜାଙ୍କ ଦରବାର ସମେତ ଗୁଳି ବାରୁଦ ଗୃହ, ଆକ୍ରମଣ ସମୟରେ ଖସି ଯିବା ପାଇଁ ସ୍ୱତନ୍ତ୍ର ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା । ଏବେ ସବୁ କିଛି ଭଗ୍ନ ଅବସ୍ଥାରେ ରହିଛି । ଅଂଶୁପାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସରଣ୍ଡା ପାହାଡ଼ ଉପରେ ରହିଛି ଏକ ଓ୍ଵାଚଟାୱାର। ତେଣୁ ସେହି ଅତୀତର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଏହି ସ୍ଥାନକୁ ଏବେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛି।

ଆଠଗଡ଼ ବନ ବିଭାଗ ଜରିଆରେ ସରଣ୍ଡାର ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି । ଏଠାରେ ରାତ୍ରୀ ରହଣି ପାଇଁ ବାଉଁଶ ନିର୍ମିତ ଶୀତତାପ ନିୟନ୍ତ୍ରିତ କୋଠରୀ ନିର୍ମାଣ କରାଯାଇଛି। ଇକୋ ଟୁରିଜିମକୁ ପ୍ରୋତ୍ସାହନ ଦେବା ହେଉଛି ଏହାର ଲକ୍ଷ୍ୟ । ଅନଲାଇନରେ ବୁକିଙ୍ଗ କରି ପର୍ଯ୍ୟଟକମାନେ ଏହି କୁଡ଼ିଆରେ ରାତ୍ରିଯାପନ କରୁଥିଲେ। ମାତ୍ର ମହାମାରୀ କରୋନା ପାଇଁ ଦୁଇ ବର୍ଷ କାଳ କଡ଼ା କଟକଣା ଲାଗି ରହିଲା । ଫଳରେ ଏହି ସମୟ ଭିତରେ ରକ୍ଷଣା ବେକ୍ଷଣ ଅଭାବରୁ ଏହି ବାଉଁଶ କୁଡ଼ିଆ ସବୁ ଭାଙ୍ଗିରୁଜି ନଷ୍ଟ ହୋଇ ଯାଇଥିଲା। … ଅବଶ୍ୟ ଏହି ଖବର କଳିଙ୍ଗ ଟିଭିରେ ପ୍ରସାରଣ ପରେ ଏବେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି । ରାତ୍ରିଯାପନ ପାଇଁ ପୁଣି ପ୍ରସ୍ତୁତ ହୋଇଛି ବାଉଁଶ ଘର। ଏଠାରେ ୨୦୧୩ ମସିହା ନଭେମ୍ବର ୨୩ ତାରିଖରେ ଆରମ୍ଭ ହୋଇଥିଲା ଇକୋଟୁରିଜିମ୍‌ । ଶୀତତାପ ନିୟନ୍ତ୍ରିତ ବାମ୍ବୁ କଟେଜର ବ୍ୟବସ୍ଥା ହୋଇଥିଲା ।

ଯାହା ବିଦେଶୀ ବାଉଁଶରେ ତିଆରି । ପ୍ରତି ବାଉଁଶ କୁଟୀରରେ ଦୁଇଟି ଲେଖାଏଁ ରୁମ ରହିଛି । ରାତ୍ରିଯାପନ ପାଇଁ ଅନଲାଇନରେ ଆଗୁଆ ବୁକିଙ୍ଗ କଲେ ପୂର୍ବରୁ ୩ ହଜାର ୭ ଶହ୧୪ ଟଙ୍କା ଦେବାକୁ ପଡୁଥିଲା । ତେବେ ଗତ ତିନି ବର୍ଷ ହେଲା ମହାମାରୀ କରୋନା କଟକଣା ଯୋଗୁଁ ଏଠାକୁ ପର୍ଯ୍ୟଟକ ଆସିବା ବନ୍ଦ ହୋଇଯାଇଥିଲା । ଵର୍ତ୍ତମାନ ଏହି କୁଟୀରଗୁଡ଼ିକୁ ପୁଣିଥରେ ନୂତନ ରୂପ ଦିଆଯାଇଛି । ଏଥିରେ ରାତ୍ରିଯାପନ ପାଇଁ ପୂର୍ବ ବର୍ଷ ତୁଳନାରେ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଏହି ନୂଆ ଦର ଅନୁଯାୟୀ ଏବେ ବାମ୍ବୁ କଟେଜ୍‌ ବୁକ୍‌ କଲେ ୩ ହଜାର ୮ ଶହ ୬୦ ଟଙ୍କା ଦେବାକୁ ହେବ । ଏ ନେଇ ଆଠଗଡ଼ ବନବିଭାଗ ରେଞ୍ଜର ସୂଚନା ଦେଇଛନ୍ତି। ବାମ୍ବୁ କଟେଜରେ ରହଣି କାଳରେ ପର୍ଯ୍ୟଟକମାନଙ୍କ ପାଇଁ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ସହିତ ରାତ୍ରିଭୋଜନର ବ୍ୟବସ୍ଥା କରାଯାଇଛି। ଚଳିତ ମାସ ଶେଷ ବେଳକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଯିବ ।

saranda-3

ତେବେ ଏହା ସହିତ ଏଠାକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ପର୍ଯ୍ୟଟକମାନଙ୍କ ପକ୍ଷରୁ ଦାବି ହେଉଛି। ତା ସହିତ ବିଶୁଦ୍ଧ ପିଇବା ପାଣି ଏବଂ ଆଲୋକ ବ୍ୟବସ୍ଥା କରାଯିବା ଜରୁରୀ । କାରଣ ଅପରାହ୍ନ ପରେ ସମ୍ପୂର୍ଣ୍ଣ ଅନ୍ଧାରରେ ଡୁବି ଯାଉଛି ସରଣ୍ଡା ପାହାଡ଼। ଏଠାରେ ପାର୍କ ବୁଲିବା ପାଇଁ ଦର୍ଶକଙ୍କ ପିଛା ଟିକେଟ୍‌୍‌ର ମୂଲ୍ୟ ୨୦ ଟଙ୍କା ରଖାଯାଇଛି। କମିଶନ ଭିତ୍ତିରେ ମହିଳା ସ୍ୱଂୟସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ବାଙ୍କୀ ଉପଜିଲ୍ଲାପାଳ କହିଛନ୍ତି। ତେବେ ସରଣ୍ଡାର ଦ୍ରୁତ ବିକାଶ ପାଇଁ ଏହାର ଦାୟିତ୍ୱ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ସ୍ୱତନ୍ତ୍ର ଭାବେ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଦିନେ ଶତ୍ରୁ ଭୟରେ ରାଜା ଆତ୍ମ ଗୋପନ କରିଥିବା ଏଇ ପାହାଡ଼ ଏବେ ପାଲଟିଛି ପର୍ଯ୍ୟଟନ ସ୍ଥଳୀ । ତେଣୁ ଅତୀତର ସ୍ମାରକୀକୁ ଅବହେଳା କରିବା ଉଚିତ ନୁହେଁ । ଏହାକୁ ଅବକ୍ଷୟରୁ ସୁରକ୍ଷା ଦିଆଯିବା ଦରକାର । କାରଣ ସେହି ଅତୀତର ସ୍ମୃତିରେ ଲୁଚି ରହିଛି ଆମର ପୁରାତନ ସଭ୍ୟତା, ଆମ ସଂସ୍କୃତି । ଯାହାକୁ ନେଇ ଆମେ ଗର୍ବ କରିବା କଥା । ହେଲେ ଏଥିପାଇଁ ସେସବୁର ରକ୍ଷଣା ବେକ୍ଷଣ ସହିତ ବିକାଶ ହେବା ନିତାନ୍ତ ଜରୁରୀ । ହଜାର ହଜାର ବର୍ଷ ତଳର ଏହି ଐତିହ୍ୟକୁ ସୁରକ୍ଷିତ ରଖିବା ଏବଂ ଆମର ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ଦରକାର । କାରଣ ଏସବୁ ଏତିହ୍ୟ ହିଁ ଆମର ଗର୍ବ, ଗୌରବ ଏବଂ ଆୟର ମଧ୍ୟ ସ୍ରୋତ । ଏକଥା ସରକାର ଏବଂ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ଯେତେ ଶୀଘ୍ର ବୁଝିବେ ସେତେ ଭଲ ।

ରିପୋର୍ଟ: ପୂର୍ଣ୍ଣ ଚନ୍ଦ୍ର ସାହୁ, ବାଙ୍କୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.